ନୟାଗଡ଼ : ନୟାଗଡ଼ ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତି ନୟାଗଡ଼ ସହରର ଏକ ମଦ ଦୋକାନରୁ ଚୋରି ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଥାନାରେ ବେଆଇନ ଭାବେ ୬ ଦିନ ଅଟକ ରଖିବା ଘଟଣାକୁ ନେଇ ଧୀରେ ଧୀରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଥି ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ମାନବାଧିକାର କର୍ମୀମାନେ ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଲେଣି। ଗତକାଲି ଏହି ଘଟଣାର ତଦନ୍ତ ଓ ଜୟଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କେନ୍ଦ୍ରାପଡ଼ାର ଜଣେ ମାନବାଧିକାର କର୍ମୀ ଜାତୀୟ ମାନବାଧିକାର କମିସନ୍ (ଏନ୍ଏଚ୍ଆରସି)ର ଦ୍ବାରସ୍ଥ ହୋଇଥିବା ବେଳେ, ପୁଣି କେନ୍ଦୁଝର ଜିଲ୍ଲାର ଜଣେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଏନ୍ଏଚ୍ଆର୍ସିର ଦ୍ବାରସ୍ଥ ହୋଇଛନ୍ତି। ଶ୍ରୀ ନାୟକଙ୍କ ଅଭିଯୋଗକୁ ଏନ୍ଏଚ୍ଆର୍ସି ମଧ୍ୟ ଗ୍ରହଣ (ଡାଏରୀ ନମ୍ବର ୯୩୯୩/ଆଇଏନ୍/୨୦୨୦) କରିଛନ୍ତି।
ଗତ ଜୁନ୍ ମାସ ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ରଖି ଚୋରି କରିଥିବା ନେଇ ମାନିବାକୁ ଆଇଆଇସି ଶ୍ରୀ ମହାନ୍ତି, ଗଣେଶ୍ବର ପ୍ରଧାନ(ପ୍ରକାଶ) ଓ ଭାସ୍କର ବିଶ୍ବାଳ ନାମକ ଯୁବକଙ୍କୁ ଥାନାରେ ଅଟକ ରଖିଥିଲେ। ଘଟଣା ପ୍ରଘଟ ହେବାରୁ ୨୭ ତାରିଖର ବିଳମ୍ବିତ ରାତିରେ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଯୁବକ ଦ୍ବୟଙ୍କୁ ଥାର୍ଡ ଡିଗ୍ରି ପ୍ରୟୋଗ କରି ନିର୍ଯାତନା ଦେବା ସହିତ, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ପୁଲିସ କବଳରୁ ଯୁବକ ଦ୍ବୟ ମୁକୁଳିବା ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ। ଏପରିକି ଭବିଷ୍ୟତରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବ ଜାଣି ଆଇଆଇସି ଶ୍ରୀ ମହାନ୍ତି ୨୨ ତାରିଖ ନୁହେଁ, ଯୁବକ ଦ୍ବୟଙ୍କୁ ୨୭ ତାରିଖରେ ହିଁ ଆଣିଥିବା ଓ ଉକ୍ତ ଦିନ ଛାଡ଼ିଥିବା ନେଇ ଜୋର୍ଜବରଦସ୍ତ ଦସ୍ତଖତ କରାଇ ନେଇଛନ୍ତି। ଏଭଳି ଚଞ୍ଚକତା ଉପରୁ ପରଦା ହଟାଇବାକୁ ମାନବାଧିକାରକର୍ମୀ ଶ୍ରୀ ନାୟକ, ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ନୟାଗଡ଼ ଟାଉନ ଥାନାର ସିସି ଟିଭି ଯାଞ୍ଚ କରାଇବାକୁ ମାନବାଧିକାର କମିସନ୍ଙ୍କୁ ନିବେଦନ କରିଛନ୍ତି। ଆଇଆଇସି ଶ୍ରୀ ମହାନ୍ତି ଥାନାର ଜଣେ ଏସ୍ଆଇ ଏଭଳି କାଣ୍ଡ ଭିଆଇଥିବାରୁ, ସେମାନଙ୍କ ଦରମାରୁ କାଟି ପୀଡ଼ିତ ଯୁବକଦ୍ବୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଓଡ଼ିଶା ସରକାରଙ୍କୁ କରାଇବାକୁ ଏନ୍ଏଚ୍ଆର୍ସି ବ୍ୟବସ୍ଥା କରାନ୍ତୁ ବୋଲି ନିବେଦନ କରିଛନ୍ତି। ଏହି ଘଟଣାର ତଦନ୍ତ ତିନି ସପ୍ତାହ ମଧ୍ୟରେ ଓଡ଼ିଶା ଡିଜିପି କରାଇ ରିପୋର୍ଟ ପ୍ରଦାନ କରିବାକୁ ଏନ୍ଏଚ୍ଆର୍ସି ବ୍ୟବସ୍ଥା କରନ୍ତୁ ବୋଲି ମାନବାଧିକାର କର୍ମୀଙ୍କ ନିବେଦନ ରହିଛି।
ଦିନକୁ ଦିନ ଟାଉନ ଥାନା ଆଇଆଇସି ଶ୍ରୀ ମହାନ୍ତିଙ୍କ ଏଭଳି କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ, ଜିଲ୍ଲା ପୁଲିସ ପ୍ରଶାସନର ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ମାନବାଧିକାର କର୍ମୀମାନେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ନେଇଥିବା ବେଳେ, ଆଗାମୀ ଦିନରେ କ’ଣ ହେଉଛି, ଆଇନକୁ ହାତକୁ ନେଇଥିବା ପୁଲିସ ବାବୁଙ୍କୁ ଦଣ୍ତ ମିଳୁଛି କି ନାହିଁ ଦେଖିବାକୁ ବାକି ରହିଲା।