ମାନବାଧିକାର କମିସନ ଅଧୢକ୍ଷ ପଦ ପୂରଣ ପ୍ରସଂଗ : ମାର୍ଚ୍ଚ ୧୧ରେ ଜନସ୍ବାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି

କଟକ : ରାଜ୍ୟ ମାନବାଧିକାର କମିସନରେ ସ୍ଥାୟୀ ଅଧୢକ୍ଷ ପଦ ପୂରଣ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ଘୁଞ୍ଚିଛି। ୨୦୧୯, ଜାନୁଆରି ୨୧ରେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.‌ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଅଧ୍ୟକ୍ଷ ନିଯୁକ୍ତି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ମାମଲା ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ଶୁଣାଣି ହୋଇ ପାରି ନଥିଲା। ମାର୍ଚ୍ଚ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାନବାଧିକାର କମିସନ୍ ଅଧ୍ୟକ୍ଷ ପଦ ପୂରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ସରକାର ତଥ୍ୟ ଉପସ୍ଥାପନ କରିବେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାନବାଧିକାର କର୍ମୀ ପ୍ରବୀର କୁମାର ଦାସ ଓ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ସରକାର ମାନବାଧିକାର କମିସନର ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୨ରୁ ମାନବାଧିକାର କମିସନଙ୍କ ସ୍ଥାୟୀ ଅଧୢକ୍ଷ ପଦ ଖାଲି ପଡିଥିବା ବେଳେ ଏ ନେଇ ଶ୍ରୀ ଦାସ ଓ ଶ୍ରୀ ମହାନ୍ତି ଦୁଇଟି ପୃଥକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ।

ସମ୍ବନ୍ଧିତ ଖବର