ଅନୁଗୁଳ : ଅନୁଗୁଳ ଟାଉନ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଏବଂ ତତ୍କାଳୀନ ଏସ୍ଆଇ ଅରକ୍ଷିତ ସେଠୀଙ୍କୁ ଓଡ଼ିଶା ରାଜ୍ୟ ମାନବାଧିକାର କମିସନ ନୋଟିସ୍ ଜାରି କରିଛନ୍ତି। ବହୁ ଚର୍ଚ୍ଚିତ ଅନୁଗୁଳ ଜିଲ୍ଲାପାଳଙ୍କ ଆକାଉଣ୍ଟ୍ରୁ ୬୦ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଅନୁଗୁଳ ଏଚ୍ଡିଏଫ୍ସି ବ୍ୟାଙ୍କ୍ର ତତ୍କାଳୀନ ମ୍ୟାନେଜର ଶକ୍ତିବେଦାନ୍ତ ଦାସଙ୍କୁ କୋର୍ଟ ଚାଲାଣ କରାନଯାଇ ଥାନାରେ ୨୪ ଘଣ୍ଟାରୁ ଅଧିକ ସମୟ ରଖାଯାଇଥିଲା। ତଦନ୍ତରୁ ଏହା ଜଣାପଡ଼ିବା ପରେ କମିସନ ଉଭୟ ପୁଲିସ ଅଧିକାରୀଙ୍କୁ ନୋଟିସ୍ ଜାରି କରିବା ସହିତ ନଭେମ୍ବର ୧୨ ତାରିଖ ସୁଦ୍ଧା ଏହା ଉପରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାରୁ ପ୍ରକାଶ ଯେ ୨୦୧୩ ମସିହାରେ ରାସ୍ତା କାମ ପାଇଁ ଏଚ୍ଡିଏଫ୍ସି ଅନୁଗୁଳ ଶାଖାରେ ଥିବା ଜିଲ୍ଲାପାଳଙ୍କ ଆକାଉଣ୍ଟରେ ଟାଟା ସ୍ପଞ୍ଜ୍ ଆଇରନ୍ ପକ୍ଷରୁ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ଜମା କରାଯାଇଥିଲା। କିନ୍ତୁ ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ଏହି ଟଙ୍କା ଗାଏବ କରାଯାଇଥିଲା। ଏହା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ଥାନାରେ ଏତଲା ଦେଇଥିଲା। ପୁଲିସ ଶ୍ରୀ ଦାସଙ୍କୁ ଉଠାଇ ଆଣି ୨୦୧୯ ମସିହା ସେପ୍ଟେମ୍ବର ୧୨ରୁ ୧୪ ଯାଏ ଥାନାରେ ଅଟକ ରଖିଥିଲା। ପ୍ରାୟ ୪୮ ଘଣ୍ଟା କାଳ ତାଙ୍କୁ ଥାନାରେ ରଖାଯାଇଥିଲେ ମଧ୍ୟ ଖାଦ୍ୟ, ପାନୀୟ ଦିଆଯାଇ ନଥିଲା। ଯାହାକୁ ନେଇ ରାଜ୍ୟ ମାନବାଧିକାର କମିସନରେ ଏକ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ ପାଇଁ ପୁଲିସ ଏଡିଜିଙ୍କୁ କମିସନ ନିର୍ଦ୍ଦେଶ ଦେଇଥିଲେ।