କାର୍ଯ୍ୟସ୍ଥଳରେ କ୍ରେଚ୍‌ ବ୍ୟବସ୍ଥା ନାହିଁ, ମହିଳା ଓ ଶିଶୁବିକାଶ ବିଭାଗକୁ ରିପୋର୍ଟ ତଲବ

ଭୁବନେଶ୍ୱର : କାର୍ଯ୍ୟସ୍ଥଳରେ ଶିଶୁଙ୍କ ପାଇଁ କ୍ରେଚ୍‌ ବ୍ୟବସ୍ଥା କରିବା ନିମେନ୍ତ ଆଇନ ରହିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଏଭଳି ବ୍ୟବସ୍ଥା ହୋଇନାହିଁ। ଏନେଇ କ’ଣ ପଦକ୍ଷେପ ନିଆଯାଇଛି, ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ଏବଂ ମିସନ୍‌ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିସନ୍‌। ଡିସେମ୍ବର ୨୦ ତାରିଖ ସୁଦ୍ଧା ଏହି ରିପୋର୍ଟ କମିସନଙ୍କ ହସ୍ତଗତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। କମିସନ ଅଧ୍ୟକ୍ଷ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ, ଜଷ୍ଟିସ୍‌ ରଘୁବୀର ଦାଶ ଓ ଅସୀମ ଅମିତାଭ ଦାଶଙ୍କୁ ନେଇ ସମ୍ପୂର୍ଣ୍ଣ ବେଞ୍ଚ ଏହି ନୋଟିସ୍‌ ଜାରି କରିଛନ୍ତି।

ସୂଚନା ମୁତାବକ, ୨୦୧୭ ମସିହାରୁ ମହିଳାଙ୍କ କାର୍ଯ୍ୟସ୍ଥଳରେ ଶିଶୁମାନଙ୍କ ଯତ୍ନ ପାଇଁ ‘କ୍ରେଚ’(ଶିଶୁ ସଦନ) ବ୍ୟବସ୍ଥା କରାଯିବା ଲାଗି ମାତୃତ୍ୱ ଅଧିକାର ଆଇନରେ ବ୍ୟବସ୍ଥା ରହିଛି। ମାତୃତ୍ୱ ଅଧିକାର ଆଇନର ଧାରା ୧୧(କ) ଅନୁସାରେ ଯେଉଁ ସଂସ୍ଥାରେ ସର୍ବନିମ୍ନ ୫୦ମହିଳା କର୍ମଚାରୀ କାମ କରୁଛନ୍ତି, ସେହି ସଂସ୍ଥା ନବଜାତ ଶିଶୁମାନଙ୍କ ସେବା ଓ ଯତ୍ନ ପାଇଁ କ୍ରେଚ ବ୍ୟବସ୍ଥା କରିବ। କିନ୍ତୁ ଓଡ଼ିଶାରେ ଘରୋଇ ସଂସ୍ଥା ତ’ ଦୂରର କଥା, ରାଜ୍ୟ ସରକାର ନିଜ କର୍ମଚାରୀଙ୍କ ଶିଶୁମାନଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା କରିନାହାନ୍ତି। ୨୦୦୦ ମସିହାରେ ଦିଲ୍ଲୀ ମ୍ୟୁନିସିପାଲିଟିର ମଷ୍ଟର ରୋଲ ମହିଳା କର୍ମଚାରୀ ମାମଲାରେ ସୁପ୍ରିମକୋର୍ଟ ଏ ବାବଦରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଚିବାଳୟ, ତୋଷାଳି ଭବନ ସହ ସବୁ ଦପ୍ତରରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଶିଶୁମାନଙ୍କର ଯତ୍ନ ନେବା ପାଇଁ କ୍ରେଚ୍‌ ବ୍ୟବସ୍ଥା କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦେଶ ଦେବା ପାଇଁ ଆଇନଜୀବୀ ବିଶ୍ବପ୍ରିୟ କାନୁନ୍‌ଗୋ, ବିଜୟ କୁମାର ପଣ୍ଡା, ଶୁଭାଶିଷ ପଣ୍ଡା, ଗୋଲକ ପ୍ରସାଦ ନାୟକ, ସୁବ୍ରତ ମହାପାତ୍ର, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ମିଳିତ ଭାବେ ରାଜ୍ୟ ମାନବ ଅଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର