ଗାଡ଼ି କାଗଜପତ୍ର ପ୍ରସ୍ତୁତି ପାଇଁ ସମୟ ଦେଇ ଅକଳରେ ସରକାର, ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

ଭୁବନେଶ୍ବର : ସଂଶୋଧିତ ମୋଟର ଯାନ ଆଇନ କଟକଣାକୁ ନେଇ ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ଗାଡ଼ି କାଗଜପତ୍ର ପ୍ରସ୍ତୁତି ପାଇଁ ସରକାର ତିନି ମାସ ସମୟ ଦେଇଛନ୍ତି। ଏହି ତିନି ମାସ ଗାଡ଼ି ମୋଟର ଯାଞ୍ଚ କରାଯାଉ ନଥିବାରୁ ବେପରୁଆ ଗାଡ଼ି ଚାଳକ ବିନା ବୈଧ କାଗଜପତ୍ରରେ ବେଧଡ଼କ୍‌ ଗାଡ଼ି ଚଳାଉଛନ୍ତି। ଫଳରେ ଦୁର୍ଘଟଣା ଘଟୁଛି। ଗୁରୁବାର କଟକ କଲେଜ୍‌ ଛକରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ଚଢ଼ି ଯିବାରୁ ଅନ୍ନପୂର୍ଣ୍ଣା ଚୌଧୁରୀ ନାମ୍ନୀ ଜଣେ ଛାତ୍ରୀଙ୍କ ଜୀବନ ଯିବା ପରେ ମାନବାଧିକାର କମିସନ ହସ୍ତକ୍ଷେପ କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ପାଇଁ ସରକାରଙ୍କର ଏହି ତିନି ମାସର ମହଲତକୁ ଦାୟୀ କରିଛନ୍ତି। ଅକ୍ଟୋବର ୧୪ ତାରିଖ ସୁଦ୍ଧା ସରକାରଙ୍କୁ ଏ ବାବଦରେ ଏକ ରିପୋର୍ଟ ତଲବ କରିଛନ୍ତି। ତେବେ ଯେଉଁ ଢଙ୍ଗରେ ଭୁବନେଶ୍ବର ଟ୍ରାଫିକ୍‌ ଡିସିପି ସଚେତନତା ସୃ‌ଷ୍ଟି କରୁଛନ୍ତି ତାହାକୁ କମିସନ ପ୍ରଶଂସା କରିବା ସହ ଅନ୍ୟ ସହରମାନଙ୍କରେ ଏଭଳି ସଚେତନତା ବ୍ୟବସ୍ଥା କରିବା ପାଇଁ କମିସନରେଟ୍‌ ପୁଲିସକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ଉଭୟ ସହର ଭିତରକୁ ଭାରୀଯାନ ପ୍ରବେଶ କରିବା ପାଇଁ କୌଣସି କଟକଣା ରହିଛି କି? ତିନି ମାସ ମହଲତରେ ଡ୍ରାଇଭିଂ ଲାଇସେନ୍ସ ଓ ବୀମା କିମ୍ବା ଅନ୍ୟ ସବୁ କାଗଜପତ୍ର ବୈଧ ନ ଥିଲେ ଗାଡ଼ି ଚାଲିବାକୁ ସୁଯୋଗ ଦିଆଯିବ କି? କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କରୁଥିବା ଅଟୋରିକ୍ସା ନିୟମିତ ଯାଞ୍ଚ ହେଉଛି କି ନାହିଁ? ଏହି ତିନି ମାସ ମଧ୍ୟରେ ବୀମା ନଥିବା ଗାଡ଼ି ଧକ୍କାରେ କେହି ମୃତ୍ୟୁବରଣ କଲେ ସରକାରଙ୍କର କ’ଣ ପଦକ୍ଷେପ ହେବ? କ୍ଷତିପୂରଣ କିଏ ଦେବ? ସରକାର ସମୟ ଦେଇଥିବାରୁ ଆମ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ଉଲ୍ଲଂଘନକାରୀ ଯେଉଁ ଯୁକ୍ତି ବାଢ଼ୁଛି ତାହାର ଉତ୍ତର ସରକାର କ’ଣ ରଖିବେ? ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ଗାଡ଼ିଗୁଡ଼ିକର ସ୍ଥିତି ନିୟମିତ ଯାଞ୍ଚ କରାଯାଉଛି କି ନାହିଁ? ଯେଉଁମାନେ କାର୍ଯ୍ୟରତ କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କୁ ଏହି କୋହଳ ପାଇଁ ଦଣ୍ଡ ଦିଆଯାଉ ନାହିଁ କି? ଏଭଳି ପ୍ରଶ୍ନଗୁଡ଼ିକୁ ନେଇ ସରକାର ରିପୋର୍ଟ ଦେବାପରେ ମାମଲାର ପରବର୍ତ୍ତୀ ଶୁଣାଣି ଆକ୍ଟୋବର ୧୪ ତାରିଖରେ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର