କଟକ : ଓଡ଼ିଶା ମାନବାଧିକାର କମିସନ ସଦସ୍ୟ ପଦ ପୂରଣ ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଖାଲି ପଡ଼ିଥିବା ସଦସ୍ୟ ପଦ ପୂରଣ କରାଯିବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି। ଅଗଷ୍ଟ ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାନବାଧିକାର କମିସନ ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାଶ ଇସ୍ତଫା ଦେବାପରେ ଫେବ୍ରୁଆରି ୯ରୁ ଏହି ପଦବି ଖାଲିପଡ଼ିଛି। ସୁପ୍ରିମେକାର୍ଟ ଡି.କେ.ବସୁ ମାମଲାରେ ପ୍ରଦାନ କରିଥିବା ରାୟରେ ରାଜ୍ୟ ମାନବାଧିକାର କମିସନ ସଦସ୍ୟ ପଦ ତିନିମାସ ଭିତରେ ପୂରଣ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। କିନ୍ତୁ, ରାଜ୍ୟ ସରକାର ନିୟମ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା କରୁଛନ୍ତି। ତିନିମାସ ନିର୍ଦ୍ଧାରିତ ସମୟସୀମା ଅତିବାହିତ ହୋଇଥିଲେ ମଧ୍ୟ ରାଜ୍ୟ ମାନବାଧିକାର କମିସନ ସଦସ୍ୟ ପଦ ପୂରଣ କରାଯାଇ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।