କଟକ : ଦାୟିତ୍ବ ସଂପାଦନ ବେଳେ ପୁଲିସ ଅଧିକାରୀ ନାଗରିକଙ୍କ ମାନବିକ ଅଧିକାର ସୁରକ୍ଷା ପ୍ରସଙ୍ଗକୁ ଅଗ୍ରାଧିକାର ଦେବାଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ନାଗରିକଙ୍କ ମାନବିକ ଅଧିକାର ସୁରକ୍ଷା ପ୍ରସଙ୍ଗରେ ପୁଲିସ ଅଧିକାରୀଙ୍କ ନିୟମିତ କାଉନସେଲିଂ କରାଯିବ। ଏଥିପାଇଁ ପୁଲିସ ଡିଜି ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ରେ ଯାଜପୁର ଥାନା ଭିତରେ ୬ଜଣ ଯୁବକଯୁବତୀଙ୍କୁ ଆଣ୍ଠେଇବାକୁ ପୁଲିସ ବାଧ୍ୟକରିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିକରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୨୩, ମାର୍ଚ୍ଚ ୩୧ରେ ଯାଜପୁର ପ୍ରୋଟେକ୍ସନ ଅଫ୍ ସିଭିଲ ରାଇଟ୍ସ ସେଲ୍ ଡିଏସ୍‌ପିଙ୍କ ସତ୍ୟପାଠ ଓ ଆବେଦନକାରୀ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଯୁକ୍ତିକୁ ବିଚାରକୁ ନେଇ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିବା ସହିତ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୩, ଜାନୁଆରି ୧୫ରେ ପାର୍କରେ ବସିଥିବା ଯୁବକ ଯୁବତୀଙ୍କୁ ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀ ଯାଜପୁର ଥାନାକୁ ଆଣିଥିଲେ। ଯୁବକ ଯୁବତୀମାନେ ଥାନାରେ ଆଣ୍ଠେଇଥିବା ବେଳର ଫଟୋ ପରଦିନ ଖବର କାଗଜରେ ପ୍ରକାଶ ପାଇଥିଲା। ଏହି ପ୍ରସଙ୍ଗକୁ ନେଇ ଜାତୀୟ ଓ ରାଜ୍ୟ ମାନବାଧିକାର କମିସନ ରିପୋର୍ଟ ତଲବ କରିଥିଲେ।