ମାଧପୁର / ଆଠମଲ୍ଲିକ : ଗୁପ୍ତଧନ ପାଇବା ଲୋଭରେ ଜଣେ ନାବାଳକକୁ ବଳି ଦିଆଯାଇଛି। ପରେ ମୃତଦେହକୁ ଗଛରେ ଝୁଲେଇ ଦିଆଯାଇଛି। ଏମିତି ସାଂଘାତିକ ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ଅଞ୍ଚଳରୁ। ହତ୍ୟାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସର କୋହଳ ମନୋଭାବ ପାଇଁ ଅକାଳରେ ନାବାଳକର ଜୀବନ ଗଲା ବୋଲି ଲୋକମାନେ କ୍ଷୋଭ ପ୍ରକାଶ କରିବା ସହ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପରେ କିଆକଟା ଥାନା ବାରେଣି ଛକରେ ରାସ୍ତା ଅବରୋଧ କରିଛନ୍ତି।

Advertisment

ଆଠମଲ୍ଲିକ ବାରେଣି ଜଙ୍ଗଲରେ ଶୁକ୍ରବାର ଜଣେ ନାବାଳକର କ୍ଷତବିକ୍ଷତ ମୃତଦେହ ଏକ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ନାବାଳକର ଗୋଡ଼ ହାତ ଆଦି ନଥିଲା। କିଆକଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ନାବାଳକ ଜଣକ କିଆକଟା ଥାନା ସୁବର୍ଣ୍ଣପୁର ଗାଁର ସ୍ବର୍ଗତ ଭକ୍ତ ବିଶ୍ବାଳଙ୍କ ପୁଅ ସଞ୍ଜିତ ବିଶ୍ବାଳ(୧୪) ବୋଲି ଜଣାପଡ଼ିଥିଲା।

ସୂଚନା ଅନୁଯାୟୀ, ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲା। ଦେହ ସବୁବେଳେ ଖରାପ ହେଉଥିବାରୁ ସଞ୍ଜିତକୁ ତାଙ୍କ ମାଆ ବାସନ୍ତୀ ବିଶ୍ବାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ। ରୀତାଞ୍ଜଳି ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରୁଛନ୍ତି। ମା ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି ସେ କହିଥିଲେ। ପରେ ମଙ୍ଗଳା କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ। ତାଙ୍କ ମା ଅନ୍ୟ ଏକ କୋଠରିରେ ଶୋଇଥିଲେ। ହେଲେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ କୋଠିରେ ନ ଥିଲେ। ଏଥିନେଇ ରୀତାଞ୍ଜଳିଙ୍କୁ ଜଣାଇବା ପରେ ଗାଁ ଠାକୁର ପୁଅକୁ ଲୁଚାଇ ରଖିଥିବା ସେ କହିଥିଲେ। ତେଣୁ ଗାଁକୁ ଯାଇ ପୂଜା କରିବାକୁ ପରାମର୍ଶ ଦେଇଥିଲେ। ଏପଟେ ଗାଁରେ ପୂଜା କରିବା ସହ ବିଭିନ୍ନ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ। ଏହାସତ୍ତ୍ବେ ସଞ୍ଜିତ ନ ମିଳିବାରୁ ମା ବାସନ୍ତୀ କିଆକଟା ଥାନାରେ ପୁଅ ନିଖୋଜ ନେଇ ଗତ ୨୪ ତାରିଖରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତାଙ୍କୁ ଉଦ୍ଧାର କରିବା ନେଇ ବିଶେଷ ଆଗ୍ରହ ପ୍ରକାଶ କରି ନଥିଲା। ପରେ ଏଥିନେଇ ଅନୁଗୁଳ ଏସ୍‌ପିଙ୍କ ପାଖରେ ମଧ୍ୟ ଫେରାଦ୍‌ ହୋଇଥିଲେ।

ଥାନାରେ ଏତଲା ଦେବାର ୫ ଦିନ ପରେ ମଧ୍ୟ ପୁଲିସ ନିଖୋଜ ନାବାଳକର ସନ୍ଧାନ ପାଇ ନଥିଲା ବେଳେ ଆଜି ଜଙ୍ଗଲରୁ ତାଙ୍କ ଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ସ୍ଥାନୀୟ ​ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। ତାଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରିଛନ୍ତି। ଗୁପ୍ତଧନ ପାଇବା ଲୋଭରେ ଠାକୁରାଣୀଙ୍କ ପୂଜା କରୁଥିବା ରୀତାଞ୍ଜଳି ଏଭଳି କାଣ୍ଡ ଭିଆଇଥିବା ଲୋକମାନେ ଅଭିଯୋଗ କରି ରାସ୍ତାରୋକ କରିଛନ୍ତି। ଏହି ଘଟଣା ପଛରେ ଏକ ବଡ଼ ରାକେଟ୍‌ କାମ କରୁଥିବା ସେମାନେ କହିଛନ୍ତି। ଏହାକୁ ନେଇ ଟୁସର, କିଆକଟା ଓ ବାସୁଦେବପୁର ପଞ୍ଚାୟତର ହଜାର ହଜାର ଲୋକ ଏକାଠି ହୋଇ ବାରେଣି ଛକରେ ରାସ୍ତା ଅବରୋଧ କରିଛନ୍ତି। ସେହିପରି ଏକ ପୁଲିସ ଭ୍ୟାନ୍‌କୁ ଉତ୍ତ୍ୟକ୍ତ ଲୋକ ଜାଳି ଦେଇଛନ୍ତି। ଏହାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାରେଣି ଛକରେ ଉତ୍ତେଜନା ଲାଗି ରହିଛି।

ଖବର ପାଇ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା, ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର ନାଥ ରାୟଗୁରୁ, ଏସଡିପିଓ ବାଳକୃଷ୍ଣ କହଁର, ଆଠମଲ୍ଲିକ ଥାନା ଅଧିକାରୀ ସୁମିତ୍ରା ପାତ୍ର, ଠାକୁରଗଡ଼ ଥାନା ଅଧିକାରୀ ପ୍ରିୟବ୍ରତ ଦାସଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। କିଆକଟା ଥାନା ପୁଲିସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଦୋଷୀଙ୍କୁ ତୁରନ୍ତ ଧରିବା ପାଇଁ ଲୋକମାନେ ଦାବି କରିଛନ୍ତି। ସେହିପରି ମୃତ ନାବାଳିକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସେମାନେ ଅଡ଼ି ବସିଛନ୍ତି। ଘଟଣାସ୍ଥଳରେ କିଆକଟା ପୁଲିସ ପହଞ୍ଚି ନ ଥିଲାବେ​ଳେ ପ୍ରଶାସନ ଓ ଲୋକଙ୍କ ଭିତରେ ଆଲୋଚନା ଚାଲିଛି।