ପୁରୀ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରେୟା ମିଶ୍ର ଆଜି ପୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି। ସେ ମଦପିଇ ମୋତେ ଭୀଷଣ ମାଡ଼ ମାରନ୍ତି। ତେବେ ଅନ୍ୟ ମହିଳାଙ୍କ ସହ ହ୍ୟୁମାନ ସାଗରଙ୍କ ସହ ପରକୀୟା ସଂପର୍କ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। ହେଲେ ସମସ୍ୟାର ସମାଧାନ ଲାଗି ଏନେଇ ସେ କିଛି କହୁନାହାନ୍ତି। ତେବେ ଶାଶୁ ତାଙ୍କୁ ନିର୍ଯାତନା ଦେଇନାହାନ୍ତି। ଯାହା ନିର୍ଯାତନା ଦେଇଛନ୍ତି, ତାହା କେବଳ ହ୍ୟୁମାନ ସାଗର ଦେଇଛନ୍ତି। ଏପରିରକି ତାଙ୍କୁ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବି ଦଅନ୍ତି ନାହିଁ ସ୍ୱମାୀ ଓ ଶାଶୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ଦିନ କଟକ ମହିଳା ଥାନାରେ ହାଜର ହୋଇଥିଲେ। ପୁଲିସ ଉଭୟ ପତିପତ୍ନୀ, ସେମାନଙ୍କ ପରିବାର ଲୋକ ଓ ଓକିଲଙ୍କୁ ବସାଇ ଆଲୋଚନା କରିଥିଲା। କିନ୍ତୁ, ଉଭୟପକ୍ଷ ପୁଲିସ ଉପସ୍ଥିତିରେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିଛନ୍ତି। ଗଣମାଧ୍ୟମ ସାମ୍ନାରେ ବି ପରସ୍ପର ବିରୋଧରେ ବୟାନ ଦେଇଛନ୍ତି। ଏଭଳି ସ୍ଥିତିରେ ପୁଲିସ ସେମାନଙ୍କୁ ଦୁଇଦିନ ସମୟ ଦେଇଛି। ପରସ୍ପର ଭିତରେ ଆଲୋଚନା କରି ବିବାଦର ସମାଧାନ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇ ଛାଡ଼ିଛି।
ଏହାଭିତରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ରେୟାଙ୍କ ଓକିଲ। ସେ କହିଛନ୍ତି ଯେ ଧର୍ମ ପରିବର୍ତ୍ତନ ପାଇଁ ଶ୍ରେୟାଙ୍କ ଉପରେ ଚାପ ପଡ଼ିଥିଲା। ତେବେ, ଏ ସମ୍ପର୍କରେ ଥାନାରେ ଆଲୋଚନା ହୋଇନଥିବା ପୁଲିସ ସ୍ପଷ୍ଟ କରିଥିବା ବେଳେ ହ୍ୟୁମାନଙ୍କ ପରିବାର ବି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଗୁରୁବାର ଦିନ ପ୍ରାୟ ୧୨ଟାରୁ ୩ଟା ପର୍ଯ୍ୟନ୍ତ ମହିଳା ଥାନା ପୁଲିସ ଉଭୟ ହ୍ୟୁମାନ ଓ ଶ୍ରେୟାଙ୍କୁ କାଉନସେଲିଂ କରିଥିଲା। ଏସିପି ଅମିତାଭ ମହାପାତ୍ର ଓ ମହିଳା ଥାନା ଆଇଆଇସି ଅନସୂୟା ନାୟକ ଉଭୟଙ୍କୁ କାଉନସେଲିଂ କରିଥିଲେ। ତେବେ, ଥାନାରେ ରହିବା ସମୟ ଭିତରେ ଉଭୟ ପରିବାର ପରିସ୍ପର ବିରୋଧରେ ଅଭିଯୋଗ ଆଣିବା ସହିତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର ଅଭିଯୋଗ କରିଥିଲେ ଯେ ହ୍ୟୁମାନ ନିଶାସକ୍ତ ଅବସ୍ଥାରେ ତାଙ୍କ ଝିଅଙ୍କୁ ଦୀର୍ଘ ୫ ବର୍ଷ ହେବ ନିର୍ଯାତନା ଦେଉଥିଲେ। ସମାଧାନ ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରି ନାହିଁ। ଏଥିପାଇଁ ଶ୍ରେୟା ୫ ମାସ ହେଲା ତାଙ୍କ ପାଖରେ ରହୁଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ। ଅନ୍ୟପଟେ ହ୍ୟୁମାନଙ୍କ ମା’ ସେଫାଳିଙ୍କ ପାଲଟା ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ଶ୍ରେୟା, ତାଙ୍କ ବାପାମା’, ଭାଇ ଓ ଡ୍ରାଇଭର୍ ମଦ ପିଇବା ସହିତ ହ୍ୟୁମାନଙ୍କୁ ବି ମଦ ପିଆଉଥିଲେ। ଏ ନେଇ ତାଙ୍କ ପାଖରେ ପ୍ରମାଣ ରହିଛି। ଶ୍ରେୟାଙ୍କୁ ସେ କେବେ ବି ମାଡ଼ ମାରିନାହାନ୍ତି ବୋଲି କହିଥିଲେ।
ଏହିଭଳି ଏକ ପରିସ୍ଥିତିରେ ଶ୍ରେୟାଙ୍କ ଓକିଲ ଆଇନଜୀବୀ ଅନିଲ କୁମାର ରାୟ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଶ୍ରେୟାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଯାଇଥିବା ଏବଂ ଦୁଇଟି ପର୍ଯ୍ୟାୟରେ ଯୌତୁକ ବାବଦରେ ୧୫ଲକ୍ଷ ଟଙ୍କା ଓ ଗାଡ଼ି ଦିଆଯାଇଥିବା ଅଭିଯୋଗ କରିଥିଲେ। ତେବେ, ହ୍ୟୁମାନଙ୍କ ମା’ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ବିବାହର ସାତବର୍ଷ ଭିତରେ ଦିନେ ବି ଚର୍ଚ୍ଚ ଯିବାକୁ ତାଙ୍କୁ ବାଧ୍ୟ କରାଯାଇନଥିବା କହିଥିଲେ। ଏଥିସହିତ, ୧୫ଲକ୍ଷ ଟଙ୍କା ଅଭିଯୋଗ ଉପରେ କହିଥିଲେ ଯେ, ତାଙ୍କର ସବୁ ଟଙ୍କା ଶ୍ରେୟାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବାବେଳେ ତାଙ୍କ ଗହଣା ବି ତାଙ୍କ ନାଁରେ ଥିବା ଲକରରେ ରହିଛି। ଗାଡ଼ି, ପ୍ଲଟ୍ ବି ଶ୍ରେୟାଙ୍କ ନାଁରେ ଅଛି। ଯୌତୁକ କାହିଁକି ମାଗିବୁ ବୋଲି ସେଫାଳି ପ୍ରଶ୍ନ କରିଥିଲେ। ଏଥିସହିତ, ହ୍ୟୁମାନଙ୍କର ଘର ନଥିବାରୁ ଘର କିଣିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଥିବା ଟଙ୍କା ସମ୍ପର୍କରେ ପଚାରିବାରୁ ଘର ଭିତରେ ଝଗଡ଼ା ଆରମ୍ଭ ହୋଇଥିଲା ବୋଲି କହିଥିଲେ। ଆଲୋଚନା ମାଧ୍ୟମରେ ଉଭୟ ସ୍ବାମୀ-ସ୍ତ୍ରୀ ବିବାଦର ସମାଧାନ କରି ମିଶି ରହିବାକୁ ପରାମର୍ଶ ଦେଇଥିଲେ ସେଫାଳି।