ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଡମପଡା କାଜୁ ଜଙ୍ଗଲରୁ ବୁଧବାର ଦିନ ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ବାଙ୍କୀ ଅଗ୍ନିଶମ ବିଭାଗ ପଛପଟେ ରହିଥିବା କାଜୁ ଜଙ୍ଗଲରେ ଆଜି କିଛି ବ୍ୟକ୍ତି ଉକ୍ତ ନର କଙ୍କାଳକୁ ଠାବ କରିବା ପରେ ବାଙ୍କୀ ପୁଲିସକୁ ସୂଚନା ପ୍ରଦାନ କରିଥିଲେ। ବାଙ୍କୀ ପୁଲିସ ଘଟଣାସ୍ଥଳରେ ପହଂଚି ନରକଙ୍କାଳ ଜବତ କରିବା ସହ ତାକୁ ଫୋରେନସିକ ଲାବୋରେଟୋରିକୁ ପଠାଇଥିବା ଜଣାଯାଇଛି। ଉକ୍ତ ନରକଙ୍କାଳ ନିକଟରେ ଜଣେ ମହିଳାଙ୍କ ପିନ୍ଧାବସ୍ତ୍ର ସହ ପାଣି ବୋତଲ, ଟିଫିନ ବାକ୍ସ, ବ୍ୟାଗ, ପରିଚୟପତ୍ର ଆଦି ପଡିଥିବା ଦେଖିବାକୁ ମିଳିଥିଲା।
ତେବେ ପ୍ରାୟ ଏକ ବର୍ଷ ତଳେ ଡମପଡା ଗ୍ରାମର ଜନୈକା ଯୁବତୀ ଝୁନୁ ଜେନା ମୁଣ୍ଡଳୀସ୍ଥିତ ଭାରତ ମସାଲା କମ୍ପାନିରୁ କାର୍ଯ୍ୟସାରି ଘରକୁ ସଂଧ୍ୟାରେ ଫେରୁଥିବା ବେଳେ ଜାତମୁଣ୍ଡିଆ-ଡମପଡା ରାସ୍ତାର ଡମପଡା ଅଗ୍ନିଶମ କାର୍ଯ୍ୟାଳୟ ନିକଟସ୍ଥ ଏକ ଛକରୁ ନିଖୋଜ ହୋଇଯାଇଥିବା ନେଇ ପରିବାରବର୍ଗ ବାଙ୍କୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ବସରୁ ଓହ୍ଲାଇ ଘରକୁ ଫୋନ କରୁଥିବା ବେଳେ ଅପହୃତା ଝୁନାଙ୍କ ହଠାତ ଫୋନ ବନ୍ଦ ହୋଇଯିବା ଏବଂ ତାପରଠାରୁ ତାଙ୍କର ଫୋନ ସ୍ପିଚ ଅଫ ଥିବା ଜଣାଯାଇଥିଲା। ବାଙ୍କୀ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ସୁରାକ ମିଳିନଥିଲା।
ତେବେ ଆଜିର ଘଟଣା ସମ୍ପର୍କରେ ଝୁନାଙ୍କ ପରିବାରବର୍ଗଙ୍କୁ ସୂଚନା ଦେବାପରେ ନିକଟରୁ ମିଳିଥିବା ବିଭିନ୍ନ ସାମଗ୍ରୀକୁ ପରିବାରବର୍ଗ ଚିହ୍ନଟ କରିବା ସହ ମିଳିଥିବା କଙ୍କାଳ ଝୁନାଙ୍କର ହୋଇଥିବା ନେଇ ସନ୍ଦେହ କରିଥିଲେ। ତେବେ ଉକ୍ତ କଙ୍କାଳକୁ ଚିହ୍ନଟ କରିବାକୁ ଫୋରେନସିକ ଲାବୋରେଟୋରିକୁ ପଠାଯାଇଥିବା ବାଙ୍କୀ ଥାନାଧିକାରୀ ଶିବ ଚରଣ ବେହେରା ସୂଚନା ଦେଇଛନ୍ତି।