ଡାକ୍ତରଖାନାରୁ ମିଳିଲା ୭ ମଣିଷ ଖପୁରୀ : ଚର୍ଚ୍ଚାରେ ତନ୍ତ୍ରସାଧନା

ବର୍ଷେ ତଳେ ପୋଲ ତଳୁ ମିଳିଥିଲା ୩୦ରୁ ଅଧିକ ଖପୁରୀ, କାମ କରୁଛି ଏକ ବଡ଼ ର‍୍ୟାକେଟ୍‌

ପୁରୀ : ପାଖାପାଖି ବର୍ଷେ ପରେ ମଣିଷ ଖପୁରୀକୁ ନେଇ ପୁଣି ଚର୍ଚ୍ଚା ପରିସରକୁ ଆସିଛି ଶ୍ରୀକ୍ଷେତ୍ର ପୁରୀ। ତେବେ ଏଥର କୌଣସି ପୋଲ କିମ୍ବା ମଠରୁ ନୁହେଁ, ପୁରୀର ଜଣାଶୁଣା କମଳା ଦେବୀ ମାତୃମଙ୍ଗଳ ଚିକିତ୍ସାଳୟ ପରିସରରୁ ୭ ମଣିଷ ଖପୁରୀ ମିଳିଛି। ଖବର ଦୁଇଦିନ ତଳର ହୋଇଥିଲେ ହେଁ ସମୁଦ୍ରକୂଳ ଥାନା ପୁଲିସ ଆଜି ଘଟଣାସ୍ଥଳରୁ ଖପୁରୀଗୁଡିକୁ ଜବତ କରି ପରୀକ୍ଷଣ ନିମନ୍ତେ ରାଜ୍ୟ ଫରେନ୍‌ସିକ୍‌ ପରୀକ୍ଷାଗାରକୁ ପଠାଇଛି। ଏକାଦିକ୍ରମେ ଏତେ ମଣିଷ ଖପୁରୀ କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାପଛରେ ତନ୍ତ୍ରସାଧନା ଉଦ୍ଦେଶ୍ୟ ଥିବା ଚର୍ଚ୍ଚା ଜୋର ଧରିଛି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗତ ୭ ତାରିଖ ରାତି ପ୍ରାୟ ୧୨ଟାରେ ଜଣେ ୧୮ ବର୍ଷର ଅଚିହ୍ନା ଯୁବକ ଏକ ଜୁପିଟର ସ୍କୁଟରରେ କମଳା ଦେବୀ ମାତୃମଙ୍ଗଳ ଚିକିତ୍ସାଳୟ ପରିସରରେ ସନ୍ଦେହଜନକ ଭାବେ ବୁଲୁଥିଲେ। ଏହି ସମୟରେ କିଛି ଶଦ୍ଦ ଶୁଣି ଡାକ୍ତରଖାନା ପରିସରରେ ରହୁଥିବା ଜନୈକ ବ୍ୟକ୍ତି ସଂପୃକ୍ତ ଯୁବକଙ୍କୁ କୁଆଡ଼େ ଆସିଛ ବୋଲି ପଚାରିଥିଲେ। ଯୁବକ ଜଣକ ଡାକ୍ତରଖାନା ପରିସରରେ ରହୁଥିବା ଜଣେ ମେଡିକାଲ୍‌ କର୍ମଚାରୀଙ୍କ ଘରକୁ ଆସିଥିବା ପ୍ରକାଶ କରିଥିଲେ। ସେତେବେଳକୁ ଖପୁରୀ ଭର୍ତି ଅଖା ତାଙ୍କ ଗାଡ଼ି ଉପରେ ରହିଥିଲା। ଶଦ୍ଦ କେଉଁଠୁ ଆସିଲା ପଚାରିବାରୁ ଯୁବକ ଜଣକ ଅଖାଟି ଖସି ପଡ଼ିଥିଲା ବୋଲି କହିଥିଲେ। ଯେଉଁ ବ୍ୟକ୍ତିଙ୍କ ନାମ ସଂପୃକ୍ତ ଯୁବକ ପ୍ରକାଶ କରିଥିଲେ ସେହି ମେଡିକାଲ୍‌ କର୍ମଚାରୀ ଜଣକ ଡାକ୍ତରଖାନା ପରିସରରେ ରହୁଥିବାରୁ ସ୍ଥାନୀୟ ଲୋକେ ଆଉ ସନ୍ଦେହପ୍ରକଟ କରିନଥିଲେ। ପରଦିନ ସକାଳେ କମଳା ଦେବୀ ମାତୃମଙ୍ଗଳ ଚିକିତ୍ସାଳୟ ପରିସର କ୍ୟାବିନ୍‌ ପାଖରେ ଯୁବକ ଜଣକ ଆଣିଥିବା ଅଖାଟି ପଡ଼ିଥିବା ଦେଖି ଲୋକେ ଖୋଲିବା ବେଳକୁ ସେଥିରେ ୭ଟି ମଣିଷ ଖପୁରୀ ରହିଥିଲା। ସଙ୍ଗେ ସଙ୍ଗେ ଲୋକେ ଏ ସଂପର୍କରେ ସମୁଦ୍ରକୂଳ ଥାନାକୁ ଖବର ଦେଇଥିଲେ। କିନ୍ତୁ ପୁଲିସ ଏହାକୁ ହେୟଜ୍ଞାନ କରିଥିଲା। ଓଲଟା ଅଖାକୁ ନେଇ ଅନ୍ୟତ୍ର ଫିଙ୍ଗିଦିଅ, ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟି କରନି ବୋଲି ଉତ୍ତର ଦେଇଥିଲା। ପୁଲିସଠାରୁ ଏଭଳି ଉତ୍ତର ଶୁଣିବା ପରେ ସ୍ଥାନୀୟ ଲୋକେ ଆଉ ଏଥିରେ ମୁଣ୍ଡ ଖେଳାଇନଥିଲେ। ତେବେ ଆଜି ସକାଳ ପ୍ରାୟ ୧୦ଟାରେ ତରବରିଆ ଭାବେ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖପୁରୀଗୁଡ଼ିକୁ ଜବତ କରିଥିଲା। ଘଟଣା ସଂପର୍କରେ ପୁଲିସ କିଛି ସ୍ପଷ୍ଟ କରିନଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ସମୁଦ୍ରକୂଳ ଥାନା ପୁଲିସ ପ୍ରକାଶ କରିଛି।

ସୂଚନାଥାଉକି, ବର୍ଷେ ତଳେ ଲିଆଖିଆ ବ୍ରିଜ୍‌ ତଳୁ ଏକ ଅଖା ଭିତରୁ ୩୦ରୁ ଅଧିକ ମଣିଷ ଖପୁରୀ ମିଳିଥିଲା। ଏହାକୁ ନେଇ ସେ ସମୟରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଲିସ ତନାଘନା ତଦନ୍ତ କରି ତନ୍ତ୍ରସାଧନା ପାଇଁ ପଦୁ ନାମଧାରୀ ଜଣେ ବାବାଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ଅର୍ଥାତ୍‌ ପ୍ରାୟ ଦୁଇ ବର୍ଷ ତଳେ ସିଦ୍ଧ ମହାବୀର ମନୁବାବା ଆଶ୍ରମରୁ ବି ୩୦ରୁ ଅଧିକ ଖପୁରୀ ମିଳିଥିଲା। କେବଳ ଏହି ଦୁଇ ଘଟଣା ନୁହେଁ, ଶ୍ରୀମନ୍ଦିର ପାଖ ଲକ୍ଷ୍ମୀ ବଜାରରୁ ୪ରୁ ଅଧିକ ମଣିଷ ଖପୁରୀ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ଆଜି ପର୍ଯ୍ୟନ୍ତ ପୁଲିସ ଉପରୋକ୍ତ ଘଟଣାବଳୀରେ ପୂର୍ଣ୍ଣଚ୍ଛେଦ ପକାଇ ପାରିନାହିଁ। ଏହା ପଛରେ ଏକ ବଡ଼ ର‍୍ୟାକେଟ୍‌ କାମ କରୁଥିବା ଆଲୋଚିତ ହେଉଥିଲେ ମଧ୍ୟ କେଉଁଠୁ ଏହି ସବୁ ଖପୁରୀ ଆସୁଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ଗତ କିଛି ବର୍ଷ ମଧ୍ୟରେ ପର୍ଯ୍ୟଟନ ସହର ପୁରୀରୁ ଏକାଧିକ ମଣିଷ ଖପୁରୀ ମିଳିବା ଘଟଣା ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର