ବଢ଼ିବ ମାନବ ଚାଲାଣ, ‘ଦଲାଲଙ୍କୁ ଜଗ’

ଭୁବନେଶ୍ୱର : କରୋନା ଦାଉରେ ସାରା ଦୁନିଆ ତ୍ରାହି ତ୍ରାହି ଡାକୁଛି। ଅନେକ ସଂକ୍ରମିତ ଜୀବନ ହରାଉଛନ୍ତି ଓ ଅନେକ ଜୀବିକା ପାଇଁ ଲଢ଼େଇ କରୁଛନ୍ତି। କରୋନାକୁ ଦମନ କରିବାରେ ଯେତିକି ବିଳମ୍ବ ହେଉଛି ଜୀବିକାକୁ ନେଇ ସେତିକି ଚିନ୍ତା ବଢ଼ୁଛି। ଏହାକୁ ଏକ ସୁଯୋଗ ଭାବି ମାନବ ଚାଲାଣକାରୀ ଜାଲ ବିଛାଇଲେଣି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ମାନବ ଚାଲାଣ ରୋକିବା ପାଇଁ ପଦକ୍ଷେପ ନେବାକୁ ପୁଲିସ୍‌ ବିଭାଗକୁ କହିଛନ୍ତି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଚିଠି ଆସିବା ପରେ ରାଜ୍ୟ ସରକାର ସମସ୍ତ ଏସ୍‌ପି, ଡିଆଇଜି ଓ କମିସନରଙ୍କୁ ଚିଠି ଲେଖି ତାଗିଦ୍‌ କରିଛନ୍ତି।

ପୂର୍ବରୁ ରାଜ୍ୟ ବାହାରକୁ ଶ୍ରମିକ ଓ କୁଶଳୀ ଶ୍ରମିକମାନେ କାମ କରିବା ପାଇଁ ଯାଉଥିଲେ। କିନ୍ତୁ କେତେ ଗଲେ, କେଉଁଠି କାମ କଲେ, ସେ ସଂପର୍କରେ ତଥ୍ୟ ସରକାରଙ୍କ ପାଖରେ ରହୁନଥିଲା। ଏଣୁ ଅନେକ ସମୟରେ ଆସୁଥିବା ଅଭିଯୋଗକୁ ନେଇ ସରକାର କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନଥିଲେ। ଶ୍ରମ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଥିଲା। ତେବେ ମହାମାରୀ ଯୋଗୁଁ ଯେଉଁମାନେ ବାହାରେ ରହିଥିଲେ ସେମାନେ ରାଜ୍ୟକୁ ଫେରି ଆସିଛନ୍ତି। ଏବେ ବାହାରକୁ ଯିବା ପୂର୍ବରୁ ସେମାନଙ୍କର ବିବରଣୀ ରଖିବା ସମ୍ଭବ ହେବ। ଏଣୁ ଚାଲାଣକାରୀ ଓ ସେମାନଙ୍କ ଗୋଷ୍ଠୀ ଉପରେ ନଜର ରଖିବା ସହ ସେମାନଙ୍କ ଅପରାଧ କାରବାରର ଏକ ସମ୍ପୂର୍ଣ୍ଣ ଡାଟାବେସ୍ ତିଆରି କରିବାକୁ ଚିଠିରେ ପୁଲିସକୁ କୁହାଯାଇଛି।

ଜିଲ୍ଲାଗୁଡ଼ିକରେ ପୁଲିସ ସେମାନଙ୍କ ଗୁଇନ୍ଦା ସୋର୍ସକୁ ମଜବୁତ କରିବା ପାଇଁ କୁହାଯାଇଛି। ଯେଉଁଠି ସନ୍ଦେହ ହେଉଛି ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ତା’ ଛଡ଼ା ପୂର୍ବ ବର୍ଷମାନଙ୍କରେ ଯେଉଁ ସବୁ ଦଲାଲଙ୍କ ନାମରେ ଅଭିଯୋଗ ରହିଥିଲା ସେମାନଙ୍କୁ ଚିହ୍ନଟ କରି ସେମାନଙ୍କର ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି। କାଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, ରାୟଗଡ଼ା ଓ ନୂଆପଡ଼ା ଭଳି ଜିଲ୍ଲାର ଲୋକମାନେ ରୋଜଗାର ଆଶାରେ ଚାଲାଣକାରୀର ଶିକାର ହୋଇଥାନ୍ତି। ନିଯୁକ୍ତି ସୁଯୋଗ ଅଭାବ ଥିବାରୁ ବେକାର ଯୁବକଯୁବତୀ ଚାକିରି ପାଇଁ ଏମାନଙ୍କ ଜାଲରେ ଫସି ଯିବାକୁ ବାଧ୍ୟ ହୋଇଥାନ୍ତି। ଏହି ସବୁ ଅଞ୍ଚଳ ଉପରେ ନଜର ରଖିବା ସହ ଗ୍ରାମବାସୀ, ସ୍ଥାନୀୟ ନେତା, ବିଭିନ୍ନ ସଂଗଠନ ଓ ବିଭିନ୍ନ ସମ୍ପ୍ରଦାୟ ମୁଖିଆଙ୍କୁ ନିଜ ବିଶ୍ବାସରେ ନେଇ ମୁକାବିଲା କରିବାକୁ କୁହାଯାଇଛି।

ସୂଚନା ମୁତାବକ, ଗତ ତିନି ବର୍ଷ ମଧ୍ୟରେ ଅନେକ ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ ୨୫୦୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ରାଜ୍ୟରେ ଏମାନଙ୍କୁ ଇଟାଭାଟି ଓ କାରଖାନାରେ ଲଗା ଯାଇଥିଲା। ଏମାନଙ୍କ ସହ ଥିବା ଶିଶୁମାନେ ସମସ୍ତ ଅଧିକାରରୁ ବଞ୍ଚିତ ହୋଇଥିଲେ। ଅନେକଙ୍କୁ ହତ୍ୟା କରାଯାଇଥିଲା। ଅନେକଙ୍କୁ ଶୋଷଣ କରାଯାଇଥିଲା। ବର୍ଷ ବର୍ଷ ଧରି ଏଭଳି କାରବାର ଚାଲିଥିଲେ ମଧ୍ୟ ଏମାନଙ୍କୁ ନ୍ୟାୟ ପ୍ରଦାନ କରିବା କିମ୍ବା ଅଭିଯୁକ୍ତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହୋଇନଥିଲା।

ସମ୍ବନ୍ଧିତ ଖବର