ପ୍ରତିଭା ହିଁ ଅନ୍ୟ ଜଣେ ପ୍ରତିଭାର ମନକୁ ବୁଝିପାରେ : ଗଣମାଧ୍ୟମରେ ଚର୍ଚ୍ଚିତ ରାପ କଣ୍ଠଶିଳ୍ପୀ ଡୁଲେଶ୍ୱରଙ୍କୁ ସହାୟତାର ହାତ ବଢ଼ାଇଲେ ହ୍ୟୁମାନ ସାଗର

ଭବାନୀପାଟଣା : ପ୍ରତିଭା ଯେଉଁଠି ବି ଥାଉ ଧନୀ ଘରର ହେଉ ଅବା ଗରିବ ପରିବାରର ହେଉ ଆପେ ଆପେ ପ୍ରସ୍ଫୁଟିତ ହୋଇଥାଏ। ଆମେ କହୁଛୁ ଜଣେ ବିପ୍ଲବି ରାପ୍ ସିଙ୍ଗରର କଥା । ସବୁବେଳେ ନିଜ ଆଖ ପାଖରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ସରକାରର ଅଣଦେଖା, ଗରିବର ଆତ୍ମକଥାକୁ ରାପ୍ ସଙ୍ଗ ମାଧ୍ୟମରେ ସୋସିଆଲ୍ ମିଡିଆରେ ପ୍ରଚାର କରି ବେଶ୍ ଚର୍ଚ୍ଚାରେ ଅଛନ୍ତି କଳାହାଣ୍ଡିର ଗ୍ରାମାଞ୍ଚଳର ଜଣେ ଦଳିତ ଶିକ୍ଷିତ ଯୁବକ ଡୁଲେଶ୍ବର ତାଣ୍ଡି ଓରଫ୍ ରାପର୍ ଡୁଲେ ରୋକର୍। ଡୁଲେଶ୍ୱର ତାଣ୍ଡି ଭବାନୀପାଟଣା ସଦରବ୍ଲକ ବୋର୍ଡା ଗାଁର ସ୍କୁଲରେ ପ୍ରାଥମିକ ଶିକ୍ଷା ଓ ପରେ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ। ଗତ ୨୦୦୮ ମସିହାରେ ଶିକ୍ଷା ଲାଭ କଲା ପରେ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ତିନିରେ ନାମ ଲେଖାଇଥିଲେ। ଯୁକ୍ତ ତିନି ସାରିବା ପରେ ମା’ଙ୍କ ଦେହ ଖରାପ ହେବା ଯୋଗୁଁ ଅର୍ଥ ଯୋଗାଡ କରିବା ପାଇଁ ସୁଦୂର ରାୟପୁରକୁ ଚାଲିଗଲେ। ରାୟପୁରରେ କିଛି ଦିନ କାମ କଲାପରେ ହଠାତ୍ ବାପା ନିଲାଞ୍ଚଳ ତାଣ୍ଡିଙ୍କ ପାରାଲେସିସ ରୋଗରେ ୨୦୧୬ରେ ଦେହାନ୍ତ ହୋଇଥିଲା । ନିଜ ବିଧବା ମା’ଙ୍କ ସହ ଅଭାବ ଅସୁବିଧାରେ ରହୁଛନ୍ତି ଡୁଲେ। ସରକାରଙ୍କ ତରଫରୁ ବିଧବା ଭତ୍ତା ମିଳୁଛି, ପ୍ରଧାନମନ୍ତ୍ରୀ ଆବାସ ଘରଖଣ୍ଡେ ମିଳିଛି, ଉଜ୍ଜଳା ଯୋଜନାରେ ଗ୍ୟାସ ମିଳିଛି ।

ବର୍ତ୍ତମାନ ନିଜ ପ୍ରତିଭା ତାଙ୍କୁ ନୂଆ ପରିଚୟ ସୃଷ୍ଟି କରିଛି । ନାଁ ଏବେ ତାଙ୍କର ରାପର୍ ଡୁଲେ ରୋକର୍। ଗରିବୀକୁ ନିଜେ ଅଙ୍ଗେ ନିଭେଇ ଆସିଥିବା ଡୁଲେ ନନ୍ ଷ୍ଟପ୍ ରାପ୍ ସଙ୍ଗ୍ ମାଧ୍ୟମରେ ଉପସ୍ଥାପନା କରୁଛନ୍ତି ସମାଜର ସାମ୍ପ୍ରତିକ ପରିସ୍ଥିତିର ବାସ୍ତବ ଚିତ୍ର। ବାପ ଛେଉଣ୍ଡ ଏହି ବେରୋଜଗାର ଡୁଲେ ତାଣ୍ଡି ଖପର ଘରର ରାପର୍ ଭାବେ ପରିଚିତ । ସେ ଦେଶର ବ୍ୟବସ୍ଥା, ଗରିବୀ ଓ ସାମାଜିକ ଅବ୍ୟବସ୍ଥା ଆଦିକୁ ନେଇ ନିଜର ରାପ୍ ସଙ୍ଗ ମାଧ୍ୟମରେ ସତେ ଯେମିତି ବିପ୍ଲବ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଡୁଲେ ଏବେ ସୋସିଆଲ୍ ମିଡିଆରେ ପୁରା ଛାଇ ଯାଇଛନ୍ତି। ସମାଜର ବାସ୍ତବତା, ସରକାରଙ୍କ ଅପାରଗତା ଆଦିକୁ ଅତି ନିଖୁଣ ଭାବରେ ନିଜର ରାପ୍ ସଙ୍ଗ ମାଧ୍ୟମରେ ବର୍ଣ୍ଣନା କରୁଥିବା ଡୁଲେ ତାଣ୍ଡିଙ୍କ ବିଷୟରେ ଅନେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇ ଲୋକଲୋଚନକୁ ଆସିବା ପରେ, ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଗାୟକ ହୁମାନ୍ ସାଗର ବଢାଇଛନ୍ତି ସହଯୋଗର ହାତ ।

ଆଜି କଣ୍ଠଶିଳ୍ପୀ ହୁମାନ୍ ସାଗର, ରାପର୍ ଡୁଲେଙ୍କୁ ନିଜେ ବ୍ୟକ୍ତିଗତ ଭାବରେ ଯୋଗାଯୋଗ କରି ଫୋନପେ ମାଧ୍ୟମରେ ୩୦,୦୦୦ ଟଙ୍କାର ଆର୍ଥିକ ସାହାଯ୍ୟ କରିବା ସହ ଦରକାର ହେଲେ ସୁବିଧା ଅସୁବିଧା ବିଷୟରେ ଜଣାଇବାକୁ କହିଛନ୍ତି । ଏହି ଘଟଣା ବିଷୟରେ ରାପର୍ ଡୁଲେ ନିଜର ଫେସବୁକ ଆଇଡିରେ ପୋଷ୍ଟ କରି ହୁମାନ୍ ସାଗରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଶାସନର କୃପା ଦୃଷ୍ଟିରୁ ବଞ୍ଚିତ ଗରିବ ଡୁଲେଙ୍କୁ କଣ୍ଠଶିଳ୍ପୀଙ୍କ ଏପରି ସାହାଯ୍ୟର ବିଷୟ ବର୍ତ୍ତମାନ ଜନମାନସରେ ପ୍ରଶଂସାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର