ଫୁଲବାଣୀ : ମଣିଷ ନିକଟରୁ ଦିନକୁ ଦିନ ମାନବିକତା ଓ ସମ୍ବେଦନଶୀଳତା ହଜି ଯାଉଛି। ଏତେ ସ୍ବାର୍ଥପର ଏବଂ ସମ୍ବେଦନଶୂନ୍ୟ ହୋଇଯାଉଛି ଯେ ଅମଣିଷ ପାଲଟିଯାଉଛି। ଏଭଳି ଏକ ହୃଦୟବିଦାରକ ଘଟଣା ଫୁଲବାଣୀ ସଦର ଥାନା ଅନ୍ତର୍ଗତ କେରେଡ଼ି ଗାଁରେ ଦେଖିବାକୁ ମିଳିଛି। ଗାଁରେ ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଓ ଜାଣି ମଧ୍ୟ ତାଙ୍କ ପୁଅ ଝିଅ ପାଖ ନମାଡ଼ିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ପୁଅଝିଅ ଘରୁ ବାହାର କରି ଦେଇଥିଲେ। ଆଜି ସେହି ବୃଦ୍ଧ ପିତାଙ୍କର ପରିତ୍ୟକ୍ତ ଅବସ୍ଥାରେ ରାସ୍ତାପାର୍ଶ୍ବ ଏକ ବିଶ୍ରାମାଗାରରେ ମୃତ୍ୟୁ ହୋଇଥିଲା। ମାତ୍ର, ରାସ୍ତା କଡ଼େ ବାପାଙ୍କ ଶବ ପଡ଼ି ରହିଥିବା ଶୁଣି ମଧ୍ୟ ପୁଅ ଝିଅ ଓ ସମ୍ପର୍କୀୟ କେହି ଆସି ନଥିଲେ। ଗ୍ରାମବାସୀଙ୍କ ସହାୟତାରେ ଫୁଲବାଣୀ ସଦର ପୁଲିସ ବୃଦ୍ଧଙ୍କର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

Advertisment

publive-image

ଘଟଣାରୁ ପ୍ରକାଶ, ଦୀର୍ଘ ୨୫ ବର୍ଷ ଧରି କେରେଡ଼ି ଗ୍ରାମର ବୃଦ୍ଧ ନିମାଇଁ ଚରଣ ସାହୁଙ୍କୁ ତାଙ୍କ ପୁଅ, ଝିଅମାନେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଖାଇବାକୁ ନ ଦେଇ ଘରୁ ବାହାର କରି ଦେଇଥିଲେ। ବୃଦ୍ଧ ନିମାଇଁ ଦୀର୍ଘ ୨୫ ବର୍ଷ ଧରି କେରେଡ଼ି ପଞ୍ଚାୟତ ବିଶ୍ରାମାଗାରରେ କାଳ କାଟୁଥିଲେ। ସରକାରଙ୍କ ଭତ୍ତା ଏବଂ ଚାଉଳ ପାଉଥିଲେ ମଧ୍ୟ ବୃଦ୍ଧ ନିମାଇଁ ରୋଷେଇ କରିପାରୁ ନଥିଲେ। ଫଳରେ ଗ୍ରାମବାସୀ କିଏ କେତେବେଳେ ତାଙ୍କୁ ଖାଇବାକୁ ଦେଉଥିଲେ। ଆଜି ସକାଳୁ ବୃଦ୍ଧ ନିମାଇଁ ଶୌଚ ହେବାକୁ ନିକଟସ୍ଥ ପଡ଼ିଆକୁ ଯାଉଥିବା ବେଳେ ହଠାତ୍‌ ରାସ୍ତାରେ ପଡ଼ି ଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପାଖରେ ପୁଅ, ଝିଅ ଥାଇ ମଧ୍ୟ ବୃଦ୍ଧ ନିମାଇଁଙ୍କ ଶବ ଦେଖିବାକୁ କେହି ଆସି ନଥିଲେ। ଦୀର୍ଘ ସମୟ ଧରି ଶବ ରାସ୍ତାରେ ପଡ଼ି ରହିଥିଲା। ଗ୍ରାମବାସୀଙ୍କ ଉଦ୍ୟମରେ ପୁଲିସ ଉକ୍ତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବୃଦ୍ଧ ନିମାଇଁଙ୍କ ପୁତ୍ର ଜଣେ ଶିକ୍ଷକ ବୋଲି ଜଣାପଡ଼ିଛି। ତାଙ୍କର ଏଭଳି ଅମାନବିକତାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ପୁଲିସ ଓ ଗ୍ରାମବାସୀଙ୍କ ଉଦ୍ୟମରେ ଶବ ସତ୍କାର କରାଯାଇଛି।