ମାନବିକତା ସର୍ବଶ୍ରେଷ୍ଠ ଈଶ୍ବର ଭକ୍ତି: ରାଷ୍ଟ୍ରପତି

ପୁରୀରେ ବିଶ୍ବ ବୈଷ୍ଣବ ସମ୍ମିଳନୀ: ‌‌ମଞ୍ଚରେ ଶ୍ରୀଚୈତନ୍ୟ, କବୀରଙ୍କ ଶ୍ଳୋକ ପଢ଼ିଲେ, କରୋନାମୁକ୍ତ ବିଶ୍ବ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା

ପୁରୀ: ମାନବିକତା ସର୍ବଶ୍ରେଷ୍ଠ ଈଶ୍ବର ଭକ୍ତି। ମାନବିକତାର ଧର୍ମ କେବେ ବି ବିଭାଜିତ ହୋଇପାରିବନି। କୌଣସି ବିଶ୍ବାସ ପଛରେ ଏକମାତ୍ର ଚିନ୍ତନଶକ୍ତି ହେଉଛି ଈଶ୍ବର ଭକ୍ତି ସହିତ ସମ୍ପୂର୍ଣ୍ଣ ମାନବ ସମାଜକୁ ଗୋଟିଏ ପରିବାର ଭଳି ଭାବି ସମାଜ କଲ୍ୟାଣ କରିବା। ସତ୍ୟକୁ କେବେ ବି ବାଣ୍ଟି ହେବନି। ଗୋଟିଏ ମାତ୍ର ସତ୍ୟକୁ ଅନେକ ରୂପରେ ବର୍ଣ୍ଣନା କରାଯାଉଛି। ଋକ୍‌ବେଦରେ ବି ଏହା ସ୍ପଷ୍ଟ କୁହାଯାଇଛି। ଅର୍ଥାତ୍‌ ସତ୍ୟ ଗୋଟିଏ, କିନ୍ତୁ ବିଦ୍ବାନ ଲୋକମାନେ ଏହାକୁ ଅନେକ ରୂପରେ ବର୍ଣ୍ଣନା କରୁଛନ୍ତି। ତଥାପି ଏହି ପରମଶକ୍ତି ସବୁ ରୂପରେ ପୂଜନୀୟ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିଠାରେ ଗୌଡ଼ୀୟ ମିସନ୍‌ ପକ୍ଷରୁ ଆୟୋଜିତ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ନାଗରିକ ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ କୋବିନ୍ଦ ୩ ବର୍ଷ(୨୦୨୫ ମସିହାରେ ଶେଷ ହେବ) ଧରି ପାଳନ ହେବାକୁ ଥିବା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମୋତ୍ସବ ପାଳନର ଶୁଭାରମ୍ଭ କରିଥିଲେ। ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ, ଏହା ମୋର ସୌଭାଗ୍ୟ ଯେ ଜଗନ୍ନାଥ ପୁରୀ ଆସିବା ଓ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର ସୁଯୋଗ ମୋତେ ମିଳିଆସୁଛି। ଏଠି ଆସି ଗୌଡ଼ୀୟ ମଠର ସଂସ୍ଥାପକ ଶ୍ରୀମଦ୍‌ ସରସ୍ବତୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଯୋଗଦେବା ‌ମୋ ପାଇଁ ଗୌରବର କଥା। ଈଶ୍ବରଙ୍କ କୃପାରୁ ‌ଜୀବନକାଳ ଭିତରେ ଦେଶର ଅନେକ ଧର୍ମାନୁଷ୍ଠାନ, ତୀର୍ଥସ୍ଥଳୀ ବୁଲି ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଛି। ସବୁଠି ବିଭିନ୍ନ ପରମ୍ପରା ଓ ଧାର୍ମିକ ପ୍ରଣାଳୀ ପ୍ରଚଳିତ ଅଛି। କିନ୍ତୁ ଭାରତରେ ଭକ୍ତିଭାବ ଦ୍ବାରା ଈଶ୍ବରଙ୍କ ପୂଜାର୍ଚ୍ଚନାର ପରମ୍ପରା ସର୍ବାଧିକ ମହତ୍ବପୂର୍ଣ୍ଣ ହୋଇ ଆସିଛି। ଏଣୁ ଆମ ଭାରତଭୂମି ଧନ୍ୟ, ଏଠି ଅନେକ ମହାନ ବିଭୂତିମାନେ ଲୋକଙ୍କୁ ନିଃସ୍ବାର୍ଥ ଉପାସନାର ମାର୍ଗ ଦେଖାଇଛନ୍ତି। ଏହି ମହାନ ବିଭୂତିଙ୍କ ଭିତରେ ଚୈତନ୍ୟ ମହାପ୍ରଭୁଙ୍କୁ ସର୍ବଶ୍ରେଷ୍ଠ ସ୍ଥାନ ଦିଆଯାଇଛି। ଚୈତନ୍ୟ ମହାପ୍ରଭୁଙ୍କୁ ସ୍ବୟଂ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଉଛି। ଏଣୁ ଶ୍ରୀ‌ ଚୈତନ୍ୟଙ୍କ ନାମ ସହ ମହାପ୍ରଭୁ ଶବ୍ଦ ବ୍ୟବହାର କରାଯାଉଛି। ତାଙ୍କ ବିଲକ୍ଷଣ ଭକ୍ତିରେ ପ୍ରେରିତ ହୋଇ ବହୁ ସଂଖ୍ୟାରେ ଲୋକେ ଭକ୍ତିମାର୍ଗକୁ ଚୟନ କରିଛନ୍ତି। ଶ୍ରୀଚୈତନ୍ୟ ଅଦ୍ଭୂତ ଓ ଅଖଣ୍ଡ ଭକ୍ତିଭାବ ଆଜୀବନ ପାଳନ କରିଛନ୍ତି। ଏହି ଅଖଣ୍ଡ ଆସ୍ଥା ବିଷୟରେ ସେ ଅନେକ ବଡ଼ ବଡ଼ ବିଦ୍ବାନଙ୍କ ସହ ଭକ୍ତି ଓ ଜ୍ଞାନ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି। ଶ୍ରୀଚୈତନ୍ୟଙ୍କ ଆସ୍ଥା ଓ ତର୍କ ଆଗରେ ବଡ଼ ବଡ଼ ବିଦ୍ବାନ ବି ତାଙ୍କ ଚରଣାଶ୍ରିତ ହୋଇଯାଇଥିଲେ। ଓଡ଼ିଶାର ପ୍ରଖ୍ୟାତ ବେଦାନ୍ତି ସାର୍ବଭୌମଙ୍କଠାରୁ ଆରମ୍ଭ କରି ବୈଷ୍ଣବ ପଠାଣଙ୍କ ନାମରେ ନାମିତ ପ୍ରସିଦ୍ଧ ପଠାଣ ସମୁଦାୟଙ୍କ ଭକ୍ତ ପର୍ଯ୍ୟନ୍ତ ଶ୍ରୀଚୈତନ୍ୟଙ୍କ ପ୍ରଭାବ ଦେଖିବାକୁ ମିଳିଛି।

ଶ୍ରୀ ଚୈତନ୍ୟଙ୍କ ଶ୍ଲୋକପାଠ ପୂର୍ବକ ରାଷ୍ଟ୍ରପତି କହିଥିଲେ, ଭଗବାନ ଶ୍ରୀ ଚୈତନ୍ୟ କହିଥିଲେ ଯେ ନିଜକୁ ପିମ୍ପୁଡ଼ିଠୁ ବି ଛୋଟ ଭାବି ଓ ଶ୍ରଦ୍ଧାପୂର୍ବକ ଭଗବାନଙ୍କୁ ସ୍ମରଣ କରିବା ଦରକାର। ବୃକ୍ଷଠାରୁ ବି ଅଧିକ ସହନଶୀଳ ସହ ମିଥ୍ୟା ପ୍ରତିଷ୍ଠାଠାରୁ ଦୂରେଇ ରହିବା ଦରକାର। ଅନ୍ୟ ଲୋକଙ୍କୁ ସର୍ବଦା ସମ୍ମାନ ଦେବା ଦରକାର। ମନୁଷ୍ୟ ସର୍ବଦା ଭାବିବା ଉଚିତ ଯେ ଈଶ୍ବର ସର୍ବଦା କୀର୍ତ୍ତନରେ ଥାଆନ୍ତି ଅର୍ଥାତ୍‌ ବ୍ୟକ୍ତି ସର୍ବଦା ଈଶ୍ବରଙ୍କ ସ୍ମରଣ କରିବା ଦରକାର। ଏହି ଭାବନା ଭକ୍ତିମାର୍ଗ ସହ ଜଡ଼ିତ। ନିରନ୍ତର ପ୍ରେମ ଭାବ ତଥା ସମାଜକୁ ସମାନତାର ଗଣ୍ଠିରେ ଯୋଡ଼ିବାର ଅଭିଯାନ ଆଜି ଭାରତୀୟ ସଂସ୍କୃତି ତଥା ଇତିହାସରେ ଶ୍ରୀ ଚୈତନ୍ୟଙ୍କୁ ଅଦ୍ବିତୀୟ ପ୍ରତିଷ୍ଠା ପ୍ରଦାନ କରିଛି। ନିଜର ସବୁ ଇନ୍ଦ୍ରୀୟ ଈଶ୍ବର ଦର୍ଶନ ଆଡ଼କୁ କେନ୍ଦ୍ରୀତ କରିଦେବା ଦରକାର। ଏହି ଅବସରରେ ରାଷ୍ଟ୍ରପତି ରାଜକୁମାରୀ ମିରା ବାଇଙ୍କ ଅନନ୍ୟ ଭକ୍ତି ଭାବର ଉଦାହରଣ ଦେଇ କହିଥିଲେ, ସନ୍ଥ କବୀରଙ୍କ ଲେଖାରେ ଈଶ୍ବରଙ୍କ ସହ ଭକ୍ତଙ୍କ ନିକଟ ହେବାରେ ବିଶ୍ବାସ ଓ ଭାବନାକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ଭକ୍ତର ହୃଦୟ ଈଶ୍ବରଙ୍କ ବିନା ଅନ୍ୟ କୌଣସିଠାରୁ ସୁଖ ଅନୁଭବ କରେନି। ଏହି ଅବସରରେ ରାଷ୍ଟ୍ରପତି ଭକ୍ତକବି ସୁରଦାସ, ଗୋସ୍ବାମୀ ତୁଳସୀଦାସ, ଗୁରୁ ନାନକ, ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଭକ୍ତିଭାବ ଓ ଧର୍ମପ୍ରଚାରର ଅବତାରଣ ଦେଇଥିଲେ। ଆସାମର ଶଙ୍କରଦେବ, ଗୁଜୁରାଟର ନରସୀ ମେହଟା, ମେଲପତ୍ତୁର ନାରାୟଣ ଭଟ୍ଟ, ମହାରାଷ୍ଟ୍ର ସନ୍ଥ ତୁକାରାମ, ସନ୍ଥ ଏକନାଥ, ସନ୍ଥ ଜ୍ଞାନେଶ୍ବରଙ୍କ ଭକ୍ତିଭାବ ଓ ଧର୍ମପ୍ରଚାରର ଉଦାହରଣ ଦେଇଥିଲେ। ଯେଉଁଥିପାଇଁ ଏହି ଭକ୍ତିଭାବର ଧାରା ଆଜି ବିଦେଶରେ ବି ପହଞ୍ଚିଛି ବୋଲି ସେ କହିଥିଲେ। ଶ୍ରୀ ଚୈତନ୍ୟ ମହାପ୍ରଭୁ ଭକ୍ତିର ଯେଉଁ ମହାନ ବଟବୃକ୍ଷର ବିକାଶ କରିଥିଲେ, ତାହା ଆଜି ଶାଖା ପ୍ରଶାଖା ହୋଇ ଦେଶବିଦେଶରେ ପହଞ୍ଚିଛି।

ଏହି ପରମ୍ପରା ଭିତରେ ଇସ୍କନର ପ୍ରତିଷ୍ଠାତା ସ୍ବାମୀ ଭକ୍ତି ବେଦାନ୍ତ ପ୍ରଭୁପାଦ ବି ଆସୁଛନ୍ତି, ଯିଏ କି ପାଶ୍ଚାତ୍ୟ ଦେଶ ବିଶେଷ କରି ଆମେରିକାରେ ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତି ‌ସନ୍ଦେଶକୁ ପହଞ୍ଚାଇଛନ୍ତି। ରାଷ୍ଟ୍ରପତି କହିଥିଲେ, ମାନବ ସେବାର ସମର୍ପଣ ବୃତ୍ତିର ଏକ ରୂପ ଆମକୁ ଡାକ୍ତର, ନର୍ସ ତଥା ସ୍ବାସ୍ଥ୍ୟକର୍ମୀଙ୍କ କର୍ତ୍ତବ୍ୟ ନିଷ୍ଠାରେ ବି ଦେଖିବାକୁ ମିଳିଛି। କୋଭିଡ୍‌ ମହାମାରୀରେ ଏମାନେ ଏହି ସେବାଭାବ ପ୍ରଦର୍ଶନ କରିଛନ୍ତି। ଯେଉଁ ସମୟରେ ଲୋକ କରୋନା ମହାମାରୀରେ ସଂକ୍ରମିତ ହେଉଥିଲେ, ସେହି ବିଷମ ପରିସ୍ଥିତିରେ ବି ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନେ ଧୈର୍ଯ୍ୟ ଓ ତ୍ୟାଗର ସହ ଲୋକଙ୍କୁ ସୁସ୍ଥ କରିଛନ୍ତି। ଏ ମଧ୍ୟରୁ ଅନେକ ସେମାନଙ୍କ ଜୀବନ ହରାଇଛନ୍ତି ଓ ଅସୁସ୍ଥ ହୋଇଛନ୍ତି।

ଶ୍ରୀଚୈତନ୍ୟ ମହାପ୍ରଭୁ ଭକ୍ତିଭାବ ସହ ଏକତାର ବାର୍ତ୍ତା ଦେଇଛନ୍ତି। ଯେଉଁଥିପାଇଁ ଭକ୍ତି ସମୁଦାୟରେ ସନ୍ଥମାନେ ନିଜ ଶିକ୍ଷା ଭିତରେ କେବେ ବି ଜଣେ ଅନ୍ୟ ଜଣଙ୍କ ଭକ୍ତିଭାବକୁ ବିରୋଧ କରିନାହାନ୍ତି।୧୮୯୩ରେ ଯେତେବେଳେ ଆମର ଦେଶ ବ୍ରିଟିସ୍‌ ଶାସନର ଉପନିବେଶ ଥିଲା, ସେ ସମୟରେ ସ୍ବାମୀ ବିବେକାନନ୍ଦ ଭାରତୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୌରବର ଉଦାହରଣ ସମ୍ପୂର୍ଣ୍ଣ ବିଶ୍ବର ସାମ୍ନାକୁ ଆଣିଥିଲେ। ଏଣୁ ଯେଉଁଭଳି ଅଲଗା ଅଲଗା ଜାଗାରୁ ସୃଷ୍ଟି ନଦୀ ସମୁଦ୍ରରେ ମିଶୁଛି, ସେହିଭଳି ମନୁଷ୍ୟ ନିଜ ଇଚ୍ଛା ଅନୁଯାୟୀ ଅଲଗା ଅଲଗା ରାସ୍ତା ବାଛେ। ଏହି ରାସ୍ତା ଦେଖିବାକୁ ଅଲଗା, କିନ୍ତୁ ସବୁ ସେହି ଈଶ୍ବର ପାଖରେ ପହଞ୍ଚିଥାନ୍ତି। ଏଣୁ ଗୌଡ଼ୀୟ ମିସନ୍‌, ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଏହି ମାନବ କଲ୍ୟାଣର ଉପଦେଶକୁ ବିଶ୍ବସାରା ପ୍ରସାରିତ କରିବାରେ ସଫଳ ହୁଅନ୍ତୁ ବୋଲି ରାଷ୍ଟ୍ରପତି କହିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କରୋନାମୁକ୍ତ ବିଶ୍ବପାଇଁ ପ୍ରାର୍ଥନା ଜଣାଇଛନ୍ତି ବୋଲି ଏହି ଅବସରରେ ରାଷ୍ଟ୍ରପତି କହିଥିଲେ। ଗୌଡ଼ୀୟ ମିସନ୍‌ ସଭାପତି ଆଚାର୍ଯ୍ୟ ତ୍ରିଦଣ୍ଡୀସ୍ବାମୀ ଭକ୍ତିସୁନ୍ଦର ସନ୍ନ୍ୟାସୀ ଗୋସ୍ବାମୀ ମହାରାଜ ସ୍ବାଗତ ଭାଷଣ ଦେଇଥିଲେ। ଶ୍ରୀକ୍ଷେତ୍ର ସାରସ୍ବତ ଗୌଡ଼ୀୟ ବୈଷ୍ଣବ ସଂଘ ସଭାପତି ତ୍ରିଦଣ୍ଡୀସ୍ବାମୀ ଭକ୍ତିବିବେକ ପରମାର୍ଥୀ ମହାରାଜ, ଭକ୍ତିବିଚାର ବିଷ୍ଣୁ ଗୋସ୍ବାମୀ ମହାରାଜ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଧ୍ରିତବ୍ରଜ ଭଟ୍ଟାଚାର୍ଯ୍ୟଙ୍କ ଦ୍ବାରା ଲିଖିତ ‘ଶ୍ରୀଳ ପ୍ରଭୁପାଦ ଦ ମେସେଞ୍ଜର ଫ୍ରମ୍‌ ବୈକୁଣ୍ଠ’ ପୁସ୍ତକ ରାଷ୍ଟ୍ରପତି, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର