ପାଣିକୋଇଲି: ମଣିଷ ଯେତିକି ସଭ୍ୟ ହେଉଛି, ମାନବିକତା ସେତିକି ମରିମରି ଯାଉଛି। ଆଜି ଏମିତି ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ଚଳନ୍ତା ବସ୍‌ ଭିତରେ ଜଣେ ଗୁରୁତର ଅସୁସ୍ଥ ଯୁବକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ବଦଳରେ ବସ୍‌ରୁ ଓହ୍ଲାଇ ରାସ୍ତାକଡ଼ରେ ଶୁଆଇ ଦେଇ ଚାଲିଯିବା ଏବଂ ଚିକିତ୍ସା ନ ପାଇ ଯୁବକଜଣକ ଛଟପଟ ହୋଇ ପ୍ରାଣ ହରାଇବା ସମସ୍ତଙ୍କୁ ମର୍ମାହତ କରିଛି। ବୁଧବାର ପାଣିକୋଇଲି ଛକ ନିକଟ ଜାତୀୟ ରାଜପଥରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଚିକିତ୍ସା ପାଇଁ କଟକ ଯାଉଥିବା ଯୁବକ ଜଣକ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଅସହାୟ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହାକୁ ନେଇ ପୁଲିସ ତନାଘନା ଚଳାଇଛି। ଯୁବକ ଜଣକ କେଉଁ ବସ୍‌ରେ ଯାଉଥିଲେ, କିଏ ଏଭଳି କାଣ୍ଡ ଭିଆଇଲା; ତା’ର ତଦନ୍ତ ଆରମ୍ଭ କରିଛି।

Advertisment

ଚିକିତ୍ସା ପାଇଁ ଯାଉଥିଲେ କଟକ

ଆଜି ପାଣିକୋଇଲି ଓଭରବ୍ରିଜ୍‌ ନିକଟରେ ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଖବର ପାଇ ପୁଲିସ ତନାଘନା କରିବା ପରେ ମୃତ ଯୁବକଙ୍କ ପରିଚୟ ପାଇଥିଲା। ଯୁବକଙ୍କ ଘର ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଗୋପୀନାଥପୁର ଗ୍ରାମରେ। ସେ ଜୟନ୍ତ କୁମାର ଆଚାର୍ଯ୍ୟଙ୍କ ପୁଅ ଜଗତଜ୍ୟୋତି ଆଚାର୍ଯ୍ୟ (୩୬) ବୋଲି ଜଣାପଡିଥିଲା। ଜଗତଜ୍ୟୋତି ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ଚିକିତ୍ସା ପାଇଁ ସେ ଆଜି ସକାଳେ ଘରୁ ଏକା ବାହାରି ବସ୍‌ରେ କଟକ ଅଭିମୁଖେ ଯାଉଥିଲେ। ପାଣିକୋଇଲି ଓଭରବ୍ରିଜ୍‌ର ଶେଷମୁଣ୍ତ (ବାଲେଶ୍ବର ବସ୍‌ ରହୁଥିବା ସ୍ଥାନ)ରେ ରାସ୍ତା କଡ଼ରେ ଥିବା ସିମେଣ୍ଟବାଡ଼କୁ ଲାଗି ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ବ୍ୟାଗ୍‌ ଉପରେ ମୁଣ୍ଡ ଥିଲା ବେଳେ ଜୋତା ଏପଟସେପଟ ହୋଇପଡ଼ିଥିଲା। ଜଣେ ବାଇକ୍‌ ଆରୋହୀ ଏ ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ପାଖରୁ ସୂଚନା ପାଇ ପରିବାର ଲୋକ ଆସି ଥାନାରେ ପହଞ୍ଚିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ସେ ବସ୍‌ରେ କଟକ ଡାକ୍ତରଖାନା ଯାଉଥିଲେ। ତା’ପରେ କ’ଣ ଘଟିଛି, କିମ୍ବା ମୃତଦେହ ସେଠାରେ କିପରି ପଡ଼ିଲା ତାହା ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ଲୋକଙ୍କ କହିବା କଥା, କୌଣସି ଏକ ବସ୍‌ ଯୁବକଙ୍କ ମୃତ୍ୟୁ ହୋଇଥିବା ଜାଣି ରାସ୍ତା ମଝିରେ ଓହ୍ଲାଇଦେଇଛି।  ଏ ନେଇ ପାଣିକୋଇଲି ଥାନାରେ ୨୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସଂପୃକ୍ତ ଯୁବକଙ୍କ ଅବସ୍ଥା ସଂକଟାପନ୍ନ ଥିବା ଦେଖି ବସ୍‌ କର୍ମଚାରୀ ତାଙ୍କୁ ବସ୍‌ରୁ ଓହ୍ଲାଇଦେଇ ପଳାଇଥିବା ପୁଲିସ ସନ୍ଦେହ କରୁଛି। ଘଟଣା ସଂପର୍କରେ ପୁଲିସ ଅନୁସନ୍ଧାନ କରୁଛି, ଏହି ଘଟଣା ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି।