ମଣିଷ ଓ ଘୁଷୁରି ଗୋଟିଏ ଘାଟରେ, କର୍ଦ୍ଦମାକ୍ତ ଦୁର୍ଗନ୍ଧମୟ ନାଳ ଭରସାରେ ୧୫୦ ପରିବାର

ସରକାରୀ ଯୋଜନାଠାରୁ ଅପହଞ୍ଚ ଦୂରରେ ତୋଡ଼ା

କୋଇଡ଼ା (ରାଉରକେଲା ): ସମିଜ ନାଳ ଏ ଗାଁର ଜୀବନରେଖା। ‌ଗାଁ ଲୋକଙ୍କ ସ୍ନାନ, ଶୌଚ ଓ ପାନୀୟଜଳ ପାଇଁ ଏହି ନାଳ ହିଁ ଭରସା। ତେବେ ‘ସମିଜ’ ନାମଧାରୀ ଏ ନାଳଟି କେବଳ ତୋଡ଼ାଗାଁର ୧୫୦ ପରିବାରର ୫୦୦ରୁ ଅଧିକ ଲୋକଙ୍କ ଜୀବନରେଖା ପାଲଟିନାହିଁ, ଅଧିକନ୍ତୁ ଗାଁର ଘୁଷୁରିମାନେ ବି ଏହି ନାଳର ହିତାଧିକାରୀ! ଘୁଷୁରି ଓ ମଣିଷ ଗୋଟିଏ ଘାଟରେ ପାଣି ପିଉଥିବାର ବା ପିଇବା ପାଣି ନେଉଥିବାର ଦୃଶ୍ୟ ଏଠାରେ ନିତି ଦିନିଆ। ଏ ଦୃଶ୍ୟଟିକୁ ହକି ବିଶ୍ବକପ୍‌ ସହିତ ତୁଳନା କରନ୍ତୁ! ଏ ଦୃଶ୍ୟଟି ବର୍ଷକୁ ରାଜ୍ୟ ସରକାରଙ୍କ ରାଜକୋଷକୁ ଶହ ଶହ କୋଟି ଖଣି ରାଜସ୍ବ ଦେଉଥିବା କୋଇଡ଼ା ବ୍ଲକ୍‌ ମୁଖ୍ୟାଳୟରୁ ମାତ୍ର ୧୦ କିଲୋମିଟର ଦୂର ତଥା ଜାତୀୟ ରାଜପଥ ସନ୍ନିକଟ କାଲଟା ପଞ୍ଚାୟତସ୍ଥ ତୋଡ଼ାଗାଁର। ସ୍ମରଣଯୋଗ୍ୟ ଯେ ହକି ବିଶ୍ବକପ୍ ପାଇଁ ରାଉରକେଲାରେ ତିଆରି ହେଉଥିବା ଦେଶର ସର୍ବବୃହତ୍ତ ହକି ଷ୍ଟାଡିୟମରେ ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍‌ଏଫ୍‌ରୁ ଯେଉଁ ପ୍ରାୟ ୧୫୦ କୋଟି ଖର୍ଚ୍ଚ କରା ଯାଉଛି, ତା’ର ରାଜଭାଗ ଯାଇଛି ଏଇ କୋଇଡ଼ାରୁ।

ତୋଡ଼ାଗାଁରେ ରୋଲେକେମ୍ପ ବସ୍ତି ନାମରେ ଗୋଟିଏ ପଡ଼ାଗାଁ ରହିଛି। ଏହାର ଚତୁଃପାର୍ଶ୍ଵରେ ରହିଛି ଖଣି ପ୍ରକଳ୍ପ ଓ ୫୨୦ ନମ୍ବର ଜାତୀୟ ରାଜପଥ। ଗାଁରେ ୧୫୦ରୁ ଅଧିକ ଆଦିବାସୀ ପରିବାର। ପଞ୍ଚାୟତ ମୁଖ୍ୟାଳୟ କାଲଟାରୁ ଗାଁର ଦୂରତା ପ୍ରାୟ ୩ କିମି। କିନ୍ତୁ ‌ଜାତୀୟ ରାଜପଥ ଗାଁକୁ ଛୁଇଁ ଯାଇଥିବାବେଳେ କ୍ବଚିତ୍‌ ସରକାରୀ ଯୋଜନା ଏଠାରେ ପହଞ୍ଚି ପାରିଛି। ଟେନ୍‌ସା ଜିରୋ ପଏଣ୍ଟଠାରୁ ବାହାରିଥିବା ସମିଜ ନାଳ ବିଭିନ୍ନ ଖଣିର ବର୍ଜ୍ୟବସ୍ତୁ ଓ ରାଜରାସ୍ତାର କାଦୁଅ ନେଇ ଏହି ଗାଁ ଦେଇ ବୋହିଯାଇଛି। ଆଉ ଏ ନାଳ ହିଁ ଏ ଗ୍ରାମବାସୀଙ୍କ ପାଇଁ ବଞ୍ଚିବାର ରାହା ପାଲଟିଇଛି।

ପାନୀୟଜଳଠାରୁ ଆରମ୍ଭକରି ଶୌଚସ୍ନାନ ପାଇଁ ଏ ନାଳ ହିଁ ଏକମାତ୍ର ଭରସା। ଖାଲି ମଣିଷ ନୁହେଁ, ଆଖପାଖ ଜଙ୍ଗଲର ବନ୍ୟଜନ୍ତୁ ଓ ଗୃହପାଳିତ ପଶୁ ଏହି ନାଳ ଉପରେ ନିର୍ଭର କରିଥାନ୍ତି। ବିଶେଷକରି ଘୁଷୁରିମାନେ ଅଧିକାଂଶ ସମୟରେ ଏହି ନାଳରେ ଲୋଟପୋଟ ହେଉଥିବା ବେଳେ ନାଳପାଣି କର୍ଦ୍ଦମାକ୍ତ, ଦୁର୍ଗନ୍ଧଯୁକ୍ତ ଓ ବ୍ୟବହାର ଅଯୋଗ୍ୟ ହୋଇଥିଲେ ବି ଗ୍ରାମବାସୀଙ୍କ ପାଇଁ ଅନ୍ୟ ବିକଳ୍ପ ନାହିଁ। ପାଣିର ସ୍ଥିତି ଅତି ଖରାପ ହେଲେ, ସେହି ନାଳକୂଳ କାଦୁଅରେ ଚୁଆ ଖୋଳି ପାଇବା ପାଣି ଘରକୁ ନିଅନ୍ତି ଗାଁର ମହିଳାମାନେ। ଗାଁରେ ଦୁଇଟି ନଳକୂଅ ରହିଛି ସତ, ହେଲେ ଗୋଟିଏ ଅଚଳ ଆଉ ଅନ୍ୟଟିରୁ କାଦୁଅ ଓ ଲୌହଗୁଣ୍ଡ ମିଶା ନାଲିପାଣି ବାହାରୁଛି।

ପଚାଶବର୍ଷରୁ ଅଧିକ ସମୟ ଧରି ଏଠାରେ ଲୋକ ବସବାସ କରୁଥିଲେ ସୁଦ୍ଧା ସରକାରୀ ଯୋଜନାଠାରୁ ଅପହଞ୍ଚ ଦୂରରେ ରହିଛନ୍ତି। ସରକାରୀ ଆବାସ ଯୋଜନା ଗାଁରେ ପହଞ୍ଚି ନଥିବା ବେଳେ ସ୍ବଚ୍ଛଭାରତ ଅଭିଯାନ ବାଟବଣା ହୋଇଯାଇଛି। ବର୍ଷ ବର୍ଷ ଧରି ଝାଟିମାଟି ଘରେ ଲୋକେ ବାସ କରୁଥିବା ବେଳେ ଗାଁରେ ଗୋଟିଏ ବି ପକ୍କାଘର ନାହିଁ କି ଶୌଚାଳୟ ନାହିଁ।

ବହୁ ପରିବାରର ରାସନକାର୍ଡ ନାହିଁ କି ଭତ୍ତା ମଧ୍ୟ ପାଉନାହାନ୍ତି। ଡିଜିଟାଲ୍ ଯୁଗ ହୋଇଥିଲେ ସୁଦ୍ଧା ଏ ଗାଁରେ ନେଟ୍ଓ୍ୱର୍କ ନାହିଁ- ଅବଶ୍ୟ ଥିଲେ ବି ମୋବାଇଲ୍‌ ଧରିବା କଥା ଚିନ୍ତା ବି କରିନଥିବା ଏ ଗାଁଲୋକଙ୍କର କିଛି କାମରେ ଆସନ୍ତା ନାହିଁ। ଗାଁଲୋକେ ଜଙ୍ଗଲଜମି ପଟ୍ଟା, ବସୁନ୍ଧରା ଯୋଜନାରେ ଜମି, ରାସନକାର୍ଡ, ଭତ୍ତା, ଘର ପାଇଁ ଆବେଦନ ସହ ଗ୍ରାମ ସମସ୍ୟା ବିଷୟରେ ବ୍ଲକ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ଅନେକ ବାର, ହେଲେ ଆଜିଯାଏ ଫଳ ଶୂନ।

ଗାଁର ସଂଖ୍ୟାଧିକ ଲୋକ ନିକଟସ୍ଥ ସେଲ୍‌ ଖଣିରେ ମଜୁରିଆ କାମ କରୁଥିବା ବେଳେ ସାମୟିକ କୃଷି, କାଠ ସଂଗ୍ରହ ଓ ପଶୁପାଳନ ଅନ୍ୟମାନଙ୍କ ପେସା। ଜିଲ୍ଲା ଖଣିଜ ପାଣ୍ଠି, ଜୀବିକା ମିସନ, ଆଇଟିଡିଏ ଆଦି ସଂସ୍ଥା ଆଦିବାସୀଙ୍କ ସାମଗ୍ରୀକ ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଗାଁ ଦୃଷ୍ଟି ଆଢ଼ୁଆଳରେ ରହିଯିବା ବିଡ଼ମ୍ବନାର ବିଷୟ।

ସମ୍ବନ୍ଧିତ ଖବର