ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବିଜେଡି ଶକ୍ତିଶାଳୀ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳର କର୍ମୀ ଓ ନେତା ବିଜେଡିରେ ଯୋଗଦେଉଛନ୍ତି। ଏଇ ମିଶ୍ରଣ ପର୍ବ ଏବେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଜୋରଧରିଛି। ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ନେତୃତ୍ବ ଉପରେ ଭରସା କରି ଆଜି ଭଦ୍ରକ ବ୍ଲକର କେଦାରପୁର ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଓ ନେତା ବିଜେଡି ଦଳରେ ସାମିଲ ହୋଇଛନ୍ତି। ଦିନକୁ ଦିନ ଭଦ୍ରକ ଜିଲ୍ଲାରେ ବିଜେପି ସଂଗଠନ ଦୁର୍ବଳ ହେଉଥିବା ବେଳେ ବିଜେପିର ଦଳୀୟ କର୍ମୀମାନେ ବିଜେପି ନେତାଙ୍କ ଉପରୁ ଭରସା ତୁଟାଇ ବିଜେଡି ଦଳକୁ ଡିଆଁ ମାରୁଛନ୍ତି।
ଭଦ୍ରକର ସଂସ୍କୃତି ଭବନ ପରିସରରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଉପସ୍ଥିତିରେ ଶତାଧିକ ବିଜେପି କର୍ମୀ ଓ ନେତା ଦଳରେ ଯୋଗଦେବା ଘଟଣା ବିଜେଡି ମହଲରେ ବେଶ୍ ଉତ୍ସାହ ଆଣିଛି। ଆଜିର ଏଇ ମିଶ୍ରଣ ପର୍ବରେ ବିଜେଡିର ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ, ଭଦ୍ରକ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ, ଯୁବ ବିଜେଡିର ଜିଲ୍ଲା ସଭାପତି ମୁକୁନ୍ଦଦେବ ସାମଲ, ସମିତି ସଭ୍ୟ ଯୋଗେନ୍ଦ୍ର ଘଡାଇ, ସରପଞ୍ଚ ଭରତ ତ୍ରିପାଠୀ, ବିଜେଡି ନେତା ରାକେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ବିଜେପି ନେତା ଲକ୍ଷ୍ମୀଧର ନାୟକ ନିଜେ ବିଜେପି ଦଳ ଛାଡିବା ସହ ତାଙ୍କ ନେତୃତ୍ବରେ ଶତାଧିକ ବିଜେପି ନେତାଙ୍କୁ ଆଣି ବିଜେଡି ଦଳରେ ସାମିଲ ହୋଇଛନ୍ତି। ନୂଆକରି ବିଜେଡି ଦଳରେ ଯୋଗଦେଇଥିବା ନେତା ଓ କର୍ମୀଙ୍କୁ ବିଧାୟକ ଶ୍ରୀ ମଲ୍ଲିକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।