ମାଲକାନଗିରି: ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡିର ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଏବେ ସମର୍ଥନର ସୁଅ ଛୁଟିବାରେ ଲାଗିଛି। ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବା ପୂର୍ବରୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ବହୁ ଲୋକ ପ୍ରତିନିଧି ଏବଂ ବ୍ଲକ ଅଧ୍ୟକ୍ଷ ଦଳ ଛାଡିବା ସହ ବିରୋଧ କରିଥିଲେ। କିନ୍ତୁ ଆଜି ବାଲିମେଳା ଶିବ ମନ୍ଦିର ନିକଟରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ବରୀ ଖିଲ, କୋରକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି ସମେତ ଚାରୋଟି ବ୍ଲକର ଶତାଧିକ ଲୋକ ପ୍ରତିନିଧି ଏକତ୍ରି ହୋଇ ଲକ୍ଷ୍ମୀପ୍ରିୟା ନାୟକ ଓ ପ୍ରଦୀପ ମାଝିଙ୍କୁ ଜିତାଇବା ନେଇ ଭଗବାନଙ୍କ ନିକଟରେ ଶପଥ ଗ୍ରହଣ କରିଥିଲେ।

Advertisment

ବିଜେଡି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ଏଥର ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ହେବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଲକ୍ଷ୍ମୀପ୍ରିୟା ମଧ୍ୟ ନିଜକୁ ବିରୋଧ କରୁଥିବା ସମସ୍ତ ଲୋକ ପ୍ରତିନିଧିଙ୍କୁ ନିଜ ଆଡକୁ ଢଳାଇବାରେ ସଫଳ ହୋଇଛନ୍ତି। ଅଭିମାନରେ ଦଳ ଛାଡିଥିବା ଲୋକଙ୍କୁ ଏକତ୍ର କରି ପୁଣି ବିଜେଡିକୁ ସଶକ୍ତ କରୁଛନ୍ତି ଲକ୍ଷ୍ମୀପ୍ରିୟା।ଏଥିରେ ସହଯୋଗ କରୁଛନ୍ତି କୋରକୋଣ୍ଡାର ସତ୍ୟ ପାଣିଗ୍ରାହୀ ଏବଂ ସରପଞ୍ଚମାନଙ୍କ ସଭାପତି ଶ୍ରୀନିବାସ ମୁଦୁଲି।