ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଘାଇ, ଶହ ଶହ ଏକର ଚାଷଜମି ଜଳମଗ୍ନ

କେନାଲ୍‌ ମରାମତି କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଲେ ଚାଷୀ

କଲମପୁର: ବହୁମୁଖୀ ମୁଖିଗୁଡ଼ା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପଣ୍ଡିଗାଁ ପଞ୍ଚାୟତ ପାଜେନ ନିକଟରେ ୧୦ ମିଟର ଘାଇ ହୋଇ ତଳମୁଣ୍ଡର ଚାଷ ଜମି ଜଳମଗ୍ନ ହୋଇଛି। ଏହାସହ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। କିଛି ଉତ୍ୟକ୍ତ ଚାଷୀ କ୍ଷତିପୂରଣ ଯୋଗାଇ ନଦେବା ପର୍ଯ୍ୟନ୍ତ କେନାଲ୍‌ ମରାମତି କରାଇ ଦେବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ଏକ ଟେଣ୍ଟ୍‌ ବ୍ୟବସ୍ଥା କରି ସେମାନେ କେନାଲ୍‌ ଘାଇ ନିକଟରେ ଧାରଣାରେ ବସିଥିଲେ। ଗୁରୁବାର ସକାଳ ୭ଟାରେ କେନାଲ୍‌ର ଆଉଟଲେଟ୍‌ ସ୍ଥାନରେ ମାଟି ଧସି ହଠାତ୍‌ ଘାଇ ସୃଷ୍ଟି ହୋଇଥିଲା। ଏହି କେନାଲ୍‌ ପାହାଡ଼ ପାର୍ଶ୍ବର ଉଚ୍ଚ ସ୍ଥାନ ଦେଇ ଯାଇଛି। ଘାଇ ହେବାରୁ ତଳ ପଟ ଅଧିକ ଗଡ଼ାଣିଆ ରହିଥିବାରୁ କେନାଲ୍‌ ପାଣି ପାଜେନ୍‌ ଗ୍ରାମର ଦୁଇ ପାର୍ଶ୍ବ ରାସ୍ତାରେ ପ୍ରବଳ ବେଗରେ ପ୍ରବାହିତ ହୋଇଥିଲା। ସୂଚନା ପାଇ ବିଭାଗୀୟ ଏସ୍‌ଡିଓ ପ୍ରଣବ ପ୍ରଧାନ ଏବଂ କନିଷ୍ଠ ଯନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ଡ୍ୟାମ୍‌ ପାଣିକୁ ବନ୍ଦ କରିବା ସହ ନିକଟରେ ଥିବା ଗେଟ୍‌କୁ ବନ୍ଦ ରଖିଥିଲେ। କିନ୍ତୁ କୌଣସି ଲାଭ ହୋଇନଥିଲା।

ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଥିଲା। କଲମପୁର ତହସିଲଦାର କରିସ୍ମା ବେଶ୍ରା ଘଟଣାସ୍ଥଳରେ ଉପସ୍ଥିତ ରହି ଚାଷୀ ଏବଂ ବିଭାଗୀୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ପାଣି ସ୍ରୋତ କମିଲା ପରେ ଶୁକ୍ରବାର କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ବ୍ୟବସ୍ଥା ହେବ ବୋଲି ଚାଷୀଙ୍କୁ କହିଥିଲେ। ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ରହି ତୁରନ୍ତ ମରାମତି ପାଇଁ ବ୍ୟବସ୍ଥା ଜାରି ରଖିଥିଲେ। କିନ୍ତୁ ଉତ୍ୟକ୍ତ ଚାଷୀ କ୍ଷତିପୂରଣ ପାଇଁ ଜିଦ୍‌ ଧରି ଧାରଣା ଦେଇଥିଲେ। କେନାଲ୍‌ରେ ପ୍ରାୟ ୨୧ କ୍ୟୁମେକ୍ସ ଜଳ ଛଡ଼ାଯାଇଥିଲା। ଜଳଧାରଣ କ୍ଷମତା ଠାରୁ ଅଧିକ ଜଳ ପ୍ରବାହିତ ହେବାରୁ ଏଭଳି ଏଭଳି ଅଘଟଣ ହେଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ପ୍ରଥମଥର ହୋଇନି; କେନାଲ୍‌ ନିକଟବର୍ତ୍ତୀ ସ୍ଥାନରେ ବାରମ୍ବାର ଘାଇ ସୃଷ୍ଟି ହେଉଥିବାରୁ ଚାଷୀ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଘଟଣାସ୍ଥଳରେ ଜିତ ଶବର, ଗଙ୍ଗାରାମ ବାଗ, ବିଶିକେସନ ବାଗ, ତୁଲାରାମ ଶବର, ପୀତ ଶବର, ଦଶରଥ ପଟେଲ, ଦୀନ ହରିଜନ, ରଘୁନାଥ ସିଂହ, ସୁଜନ ଶବର, ସୁରେନ୍ଦ୍ର ସିଂହ, ପୂର୍ଣ୍ଣଚନ୍ଦ୍ର ସିଂହ, ମଦନ ହରିଜନ, ଡଉଲ ହଂସ, ଯମୁନା ଶବର, ବିଜୟ ଶବର, ସାନ ହରିଜନ, ଗୋରା ନାଗ, ମଣି ନାଗ ପ୍ରମୁଖ ଚାଷୀ ଧାରଣାରେ ବସିଥିଲେ। କ୍ଷତିପୂରଣ ଧାର୍ଯ୍ୟ ନହେବା ପର୍ଯ୍ୟନ୍ତ ମରାମତି କାର୍ଯ୍ୟକୁ ଚାଷୀମାନେ ବନ୍ଦ ରଖିଛନ୍ତି। ଅନ୍ୟପକ୍ଷେ ଡ୍ୟାମ୍‌ରେ କମ ପାଣି ରହିଥିବାରୁ ବାମ କେନାଲ୍‌ରେ ମଧ୍ୟ କମ୍‌ ଏରିଆକୁ ପାଣି ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ନୋଟିସ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର