ଭୁବନେଶ୍ବର : ଘର ଓଡ଼ିଶାରେ। ଆଧାର କାର୍ଡ, ପାନ୍ କାର୍ଡରେ ଉଲ୍ଲେଖ ଠିକଣା ବି ଓଡ଼ିଶାର। କିନ୍ତୁ ବ୍ୟାଙ୍କ ଆକାଉଣ୍ଟ ଖୋଲା ହୋଇଛି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ। ତା’ ପୁଣି ଏସ୍ବିଆଇଠାରୁ ଆରମ୍ଭ କରି ପିଏନ୍ବି, ଆଇସିଆଇସିଆଇ, ଏଚ୍ଡିଏଫ୍ସି ଭଳି ଦେଶର ବଡ଼ ବଡ଼ ବ୍ୟାଙ୍କରେ। ତେବେ ବଡ଼ କଥା ହେଲା, ଆକାଉଣ୍ଟ ଯାହା ନାଁରେ ଖୋଲାଯାଇଛି, ସେ ଏ ବାବଦରେ କିଛି ଜାଣିନି। କେତେ ଟଙ୍କା ଅଛି, କେତେ ଟ୍ରାଞ୍ଜାକ୍ସନ୍ ହୋଇଛି, ତାକୁ କିଛି ଜଣାନାହିଁ। ଓଡ଼ିଶାର ଏମିତି ଶତାଧିକ ଲୋକଙ୍କ ନାଁରେ ତାଙ୍କ ଅଗୋଚରରେ ବାହାର ରାଜ୍ୟରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏହି ଆକାଉଣ୍ଟଗୁଡ଼ିକୁ ସାଇବର୍ ଠକମାନେ ବ୍ୟବହାର କରି ଆସୁଛନ୍ତି। ଲୋକଙ୍କୁ ଠକି ଆଣୁଥିବା ଟଙ୍କା ସେମାନେ ଏହି ଆକାଉଣ୍ଟରେ ରଖିଥା’ନ୍ତି। ପରେ ସେଥିରୁ ଅଲଗା ଅଲଗା ଆକାଉଣ୍ଟକୁ ଟ୍ରାନ୍ସଫର୍ କରନ୍ତି। ନଚେତ୍ ଅନ୍ଲାଇନ୍ ସାଇଟ୍ରୁ ସପିଂ କରିଦେଇଥା’ନ୍ତି।
ଫଳରେ ପୁଲିସ୍ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଟ୍ରାକ୍ କଲେ ମଧ୍ୟ ଅସଲ ଅପରାଧୀ ପାଖରେ ପହଞ୍ଚି ପାରିନଥାଏ। ଗତ ୧ ତାରିଖରେ ଝାଡ଼ଖଣ୍ଡ ଦେଓଘର ଥାନା ପୁଲିସ୍ ୫ ସାଇବର୍ ଠକଙ୍କୁ ଗିରଫ କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପୁଲିସ୍ ହାତରେ ଲାଗିଛି। ଗିରଫ ସାଇବର୍ ଠକଙ୍କ ପାଖରୁ ପ୍ରାୟ ୨ ଲକ୍ଷ ଟଙ୍କା, ସିମ୍ କାର୍ଡ, ୧୧ଟି ମୋବାଇଲ୍, ଏଟିଏମ୍ କାର୍ଡ ସମେତ ଶତାଧିକ ବ୍ୟାଙ୍କ ପାସ୍ବୁକ୍ ଜବତ ହୋଇଛି। ସେଥିମଧ୍ୟରୁ ବହୁ ପାସ୍ବୁକ୍ ସମ୍ବଲପୁର, ଖୋର୍ଦ୍ଧା, ଭୁବନେଶ୍ବର, ଯାଜପୁର, ଭଦ୍ରକ ପ୍ରମୁଖ ଅଞ୍ଚଳର ଲୋକମାନଙ୍କ ନାଁରେ ଥିବା ଜଣାଯାଇଛି। କିନ୍ତୁ ଆକାଉଣ୍ଟ ଯାହା ଯାହା ନାଁରେ ଖୋଲାଯାଇଛି, ସେମାନେ ଏ ବିଷୟରେ କିଛି ଜାଣିନାହାନ୍ତି।
ସୂଚନାଯୋଗ୍ୟ ଯେ ୨ ମାସ ତଳେ ହରିୟାଣାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରି ଦେଖାଇ ତାଙ୍କ ମୋବାଇଲରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଅନ୍ୟ ଏକ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଇଥିଲେ। ଯୁବକଜଣଙ୍କ ଏ ସଂପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଆକାଉଣ୍ଟ୍ ଓ ସିମ୍ ନମ୍ବର ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲା। ଏଠାରେ ଦୀର୍ଘ ୭ଦିନ ଡେରା ପକାଇ ବ୍ୟାଙ୍କ୍ ଆକାଉଣ୍ଟ୍ ନାଁରେ ଥିବା ଲୋକଙ୍କୁ ଧରିବା ପରେ ଜଣାପଡ଼ିଥିଲା ଯେ ସେ ପେସାରେ ଜଣେ ରିକ୍ସାବାଲା। ତାଙ୍କ ଆକାଉଣ୍ଟରେ କିଛି ଟଙ୍କା ନଥିବାରୁ ସେ ତାକୁ ଦୀର୍ଘ ଦିନ ତଳୁ ବ୍ୟବହାର କରୁନଥିବା କହିଥିଲେ। ମାତ୍ର କିଛି ଦିନ ତଳେ ତାଙ୍କ ମୋବାଇଲ୍କୁ ଜଣେ ବ୍ୟାଙ୍କ୍ ଅଧିକାରୀ ଫୋନ୍ କରି ଆକାଉଣ୍ଟ ନମ୍ବର ଓ ଆଧାର କାର୍ଡ ନମ୍ବର ନେଇଥିବା କଥା କହିଥିଲେ। ତାହା ସାଇବର୍ ଠକର କରାମତି ବୋଲି ପୁଲିସ୍ ଜାଣିବାକୁ ପାଇଥିଲା। ଫଳରେ ହରିୟାଣା ପୁଲିସକୁ ଏଠାରୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ, ବରଗଡ଼ ଜିଲ୍ଲାରେ ମଧ୍ୟ କିଛି ଚାଷୀଙ୍କୁ ସାଇବର୍ ଠକ ଅଳ୍ପ କିଛି ଟଙ୍କା ଦେଇ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ କିଣି ନେଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଏଭଳି ଅଜଣା ଲୋକଙ୍କ ଆକାଉଣ୍ଟ୍ ମାଧ୍ୟମ କରି ସାଇବର୍ ଠକ ଟଙ୍କା ଲୁଟୁଥିବା ଜଣାପଡ଼ିଛି।
କେମିତି ତିଆରି ହେଉଛି ଜାଲ୍ ବ୍ୟାଙ୍କ୍ ପାସବୁକ୍
ସାଇବର ବିଶେଷଜ୍ଞ ଆକାଶ ମିଶ୍ରଙ୍କ କହିବାନୁଯାୟୀ, ଠକମାନେ ଜାଲ୍ ବ୍ୟାଙ୍କ୍ ପାସବୁକ୍ ତିଆରି କରିବା ପାଇଁ ଅଜଣା ଲୋକଙ୍କର ଆଧାର କାର୍ଡ ଓ ପାନ୍କାର୍ଡ ସଂଗ୍ରହ କରନ୍ତି। ଏଥିପାଇଁ ସେମାନେ ନିରକ୍ଷର ଓ ଗରିବ ଲୋକଙ୍କୁ ଟାର୍ଗେଟ୍ କରିଥା’ନ୍ତି। ଅଜଣା ନମ୍ବରରୁ ଫୋନ୍ କରି ନିଜକୁ ପ୍ରଥମେ ବ୍ୟାଙ୍କ୍ ଅଧିକାରୀର ପରିଚୟ ଦିଅନ୍ତି। ବ୍ୟାଙ୍କ୍ ଆକାଉଣ୍ଟ୍ ବ୍ଲକ୍ ହୋଇଯିବାର ଭୟ ଦେଖାଇ ଅପଡେଟ୍ କରାଇବାକୁ କୁହନ୍ତି। ପରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ବ୍ୟାଙ୍କ ସହ ଜଡ଼ିତ ଫୋନ୍ ନମ୍ବର ଓ ପାନ୍କାର୍ଡ ନମ୍ବର ହାସଲ କରି ଉକ୍ତ ଲୋକ ନାଁରେ ଥିବା ବ୍ୟାଙ୍କ୍ ଆକାଉଣ୍ଟ୍ରୁ ଟଙ୍କା ଲୁଟି ନିଅନ୍ତି। ଏହା ପରେ ସାଇବର ଠକ ସଂଗ୍ରହ କରିଥିବା ଫୋନ୍ ନମ୍ବର, ଆଧାର କାର୍ଡ ଓ ପାନ୍କାର୍ଡ ସଂଯୋଗ କରି ଜାତୀୟ ବ୍ୟାଙ୍କ୍ରେ ଉକ୍ତ ଲୋକ ନାଁରେ ନକଲି ଆକାଉଣ୍ଟ୍ ଖୋଲିଥା’ନ୍ତି। ଏହାସହ ବ୍ୟାଙ୍କ ବିଷୟରେ ଅଜ୍ଞ ଥିବା ଲୋକଙ୍କୁ କିଛି ଟଙ୍କା ଦେଇ ବ୍ୟାଙ୍କ ତଥ୍ୟ, ଏଟିଏମ୍, ପାସବୁକ୍ ଆଦି କିଣି ନିଅନ୍ତି ସାଇବର ଠକ। ପରେ ଉକ୍ତ ଆକାଉଣ୍ଟକୁ ଠକେଇ ଟଙ୍କା ସ୍ଥାନାନ୍ତରଣ ପାଇଁ ବ୍ୟବହାର କରାଯାଏ ବୋଲି ବିଶେଷଜ୍ଞ କହିଛନ୍ତି।