ଏବେ ବି ଚିହ୍ନଟ ହୋଇପାରିନି ଶହେ ମୃତଦେହ

ଭୁବନେଶ୍ବର : ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୧୧୦୦ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ଯାତ୍ରୀଙ୍କ ଚିକିତ୍ସା ଶେଷ ହୋଇଛି। ଏବେ ୨୦୦ରୁ କମ୍ ଯାତ୍ରୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୨୭୮ମୃତକଙ୍କ ମଧ୍ୟରୁ ୧୭୭ ଜଣଙ୍କର ପରିଚୟ ମିଳିବା ସହ ଶବକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ୧୦୧ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନି। ଚିହ୍ନଟ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ବିଭିନ୍ନ ଡିଭିଜନ୍ ଓ ଜୋନାଲ ମୁଖ୍ୟାଳୟକୁ ମୃତକଙ୍କ ଫଟୋ ପଠାଯାଇଛି। ସେମାନେ କେଉଁ ରଙ୍ଗର ପ୍ୟାଣ୍ଟସାର୍ଟ ପିନ୍ଧିଥିଲେ, ଫଟୋରେ ତାହା ମଧ୍ୟ ଉଲ୍ଲେଖ ରହିଛି।

ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ କହିଛନ୍ତି, ଏଠାକୁ ସମୁଦାୟ ୧୨୩ ମୃତ ଶରୀର ଆସିଥିଲା। ବର୍ତ୍ତମାନ ୬୧ଟି ମରଶରୀରକୁ ପରିବାରକୁ ହସ୍ତାନ୍ତର କରିଛୁ। ବାକି ୬୨ମୃତଦେହ ଆମ ପାଖରେ ଅଛି। କେନ୍ଦ୍ରୀୟ ଟିମ୍, ରାୟପୁର, ନାଗପୁର ଓ ବିଭିନ୍ନ ରାଜ୍ୟର ଡାକ୍ତରୀ ଦଳ ଏଠାକୁ ଆସି ସହଯୋଗ ଯୋଗାଉଛନ୍ତି। ମରଶରୀରକୁ ସଂରକ୍ଷଣ କରିବାଠାରୁ ହସ୍ତାନ୍ତର କରିବା ପର୍ଯ୍ୟନ୍ତ ପ୍ରକ୍ରିୟା ଖୁବ୍ ଲମ୍ବା। ତେଣୁ ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ହେଉଛି। ଆସନ୍ତା ଦୁଇ ଦିନ ଭିତରେ ସମସ୍ତ ମୃତକଙ୍କ ପରିବାର ଆସି ଶରୀର ନେଇଯିବେ ବୋଲି ଆଶା କରାଯାଉଛି। ପରିଚୟ ମିଳି ନଥିବା ମୃତଶରୀର ନେବା ପାଇଁ କିଏ ଆସିଲେ, ସେମାନଙ୍କର ଡିଏନ୍‌ଏ ଟେଷ୍ଟ କରାଯିବା ପରେ ଶବ ହସ୍ତାନ୍ତର କରାଯିବ। ୧୫୦ରୁ ଅଧିକ ଏମ୍‌ସ କର୍ମଚାରୀ ଓ ଛାତ୍ରଛାତ୍ରୀ କାମରେ ଲାଗିଛନ୍ତି। ଏବେ ମାତ୍ର ୨ଜଣ ଗୁରୁତର ରୋଗୀ ଆମ ପାଖରେ ଅଛନ୍ତି।

ସମସ୍ତ ମୃତଦେହ ଭୁବନେଶ୍ବର ଏମ୍ସ, ଆମ୍ରି, ହାଇଟେକ୍, ସମ୍, କ୍ୟାପିଟାଲ୍ ହସ୍ପିଟାଲ ଓ କିମ୍ସରେ ରହିଛି। ଶବ ନେବା ପାଇଁ ମୋ: ୮୪୫୫୮୮୫୯୯୯ କିମ୍ବା ୦୬୭୪୨୫୩୪୦୭ ନମ୍ବରରେ ଯୋଗାଯୋଗ କଲେ, ସମସ୍ତ ସହାୟତା ପ୍ରଦାନ କରାଯିବ। ମୃତକଙ୍କୁ ଚିହ୍ନଟ ପାଇଁ ଆସୁଥିବା ପରିବାରଲୋକଙ୍କ ଗସ୍ତ ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି। ଲୋ‌‌‌କୋ-ପାଇଲଟ୍ ଓ ଆସିଷ୍ଟାଣ୍ଟ ଲୋକୋ-ପାଇଲଟ୍ ବର୍ତ୍ତମାନ ସୁସ୍ଥ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର