ଭୁବନେଶ୍ବର: ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଜାରି ରହିଛି। ଆବେଦନ ସରିବା ପରେ ଏବେ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ହେଉଛି। ତେବେ ୩୬୨ଜଣ ପ୍ରଫେସର ବିଭିନ୍ନ ବିଶ୍ବବିଦ୍ୟାଳୟ କୁଳପତି ପଦବି ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଯୋଗ୍ୟତା ମାନଦଣ୍ଡ ପୂରଣ କରିପାରି ନ ଥିବା ଶତାଧିକ ପ୍ରଫେସର ଦୌଡ଼ରୁ ବାଦ୍ ପଡ଼ିଛନ୍ତି। କାହାର ପ୍ରଫେସର ଭାବେ ୧୦ ବର୍ଷ କାମ କରିବାର ଅଭିଜ୍ଞତା ନାହିଁ ତ ଆଉ କାହାର ଗବେଷଣା ଘର ଶୂନ। ବୟସ ଗଡ଼ିଯାଇଥିଲେ ମଧ୍ୟ କିଛି ଜଣ ଆବେଦନ କରି ଚୟନ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ପଡ଼ିଛନ୍ତି। ଦୁଇ ଜଣ ଆସୋସିଏଟ୍ ପ୍ରଫେସର ଆବେଦନ କରି ଚୟନ ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି।
ଇତିମଧ୍ୟରେ ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ପଦବି ପାଇଁ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ସହ ସାକ୍ଷାତକାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପଦବି ପାଇଁ ସର୍ବାଧିକ ୨୮୪ ଜଣ ପ୍ରଫେସର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୫ଜଣଙ୍କୁ ସାକ୍ଷାତକାର ପାଇଁ ୩ଜଣିଆ ଚୟନ କମିଟି ଡାକିଛନ୍ତି। ନଭେମ୍ବର ୨୭ ଓ ୨୮ ତାରିଖରେ ରାଜ୍ୟର ଏହି ସର୍ବପୁରାତନ ବିଶ୍ବବିଦ୍ୟାଳୟ ପାଇଁ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରମାନଙ୍କ ସାକ୍ଷାତକାର ନିଆଯିବ। ୨୫ ଜଣିଆ ସଂକ୍ଷିପ୍ତ ତାଲିକାରେ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ୫ଜଣ ପ୍ରଫେସର ରହିଥିବା ବେଳେ ଏଠାରୁ ଅବସର ଗ୍ରହଣ କରିଥିବା କିଛି ପ୍ରଫେସର ରହିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିମାନେ ମଧ୍ୟ ତାଲିକାରେ ସ୍ଥାନ ପାଇଛନ୍ତି।
ଉତ୍କଳ ଓ ରେଭେନ୍ସାର ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ
ଉତ୍କଳ ପାଇଁ ୨୮୪ ଆବେଦନରୁ ୨୫ଜଣଙ୍କୁ ଡାକରା
ରେଭେନ୍ସାର ସଂକ୍ଷିପ୍ତ ତାଲିକାରେ ୧୭ ପ୍ରଫେସର
ଅନୁରୂପ ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ହେବାକୁ ୨୨୩ଜଣ ପ୍ରଫେସର ଆଗ୍ରହ ପ୍ରକାଶ କରିଥିଲେ। ଆବେଦନପତ୍ରଗୁଡ଼ିକୁ ଚୟନ କମିଟିର ସଦସ୍ୟମାନେ ଯାଞ୍ଚ କରିବା ସମୟରେ ଅନେକଙ୍କୁ ବାଦ୍ ଦେଇଛନ୍ତି। ବର୍ତ୍ତମାନ ଦୌଡ଼ରେ ମାତ୍ର ୧୭ଜଣ ପ୍ରଫେସର ରହିଛନ୍ତି। ସେମାନଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର ୩ଜଣ ଥିବା ବେଳେ ରେଭେନ୍ସାର ୪ଜଣ ପ୍ରଫେସର ରହିଛନ୍ତି। ବାକି ୧୦ଜଣ ରାଜ୍ୟ ଓ ବାହାର ରାଜ୍ୟର ଶିକ୍ଷାନୁଷ୍ଠାନରୁ ଅଛନ୍ତି। ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରମାନଙ୍କ ସାକ୍ଷାତକାର ଏହି ମାସ ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହେବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଅନ୍ୟ କୌଣସି ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ସେତେଟା ଆଗେଇପାରି ନାହିଁ। ଚୟନ କମିଟିର ସଦସ୍ୟ ବାହାରେ ଥିବାରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟାରେ ବିଳମ୍ବ ହେଉଛି। ଫକୀରମୋହନ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆସନ୍ତା ସପ୍ତାହରେ ଆରମ୍ଭ ହେବ। ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ପ୍ରତିନିଧି ଦୁଇ ଦିନ ତଳେ ପଠାଯାଇଥିବାରୁ ଏଥିପାଇଁ ମଧ୍ୟ ସମୟ ଲାଗିବ ବୋଲି ସୂଚନା ମିଳିଛି।
ଚୟନ କମିଟି ସଦସ୍ୟମାନଙ୍କ ସମୟକୁ ଦେଖି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ, ବିକ୍ରମଦେବ ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଓ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ଚୟନ କମିଟି ପକ୍ଷରୁ ରାଜଭବନକୁ ୩ଜଣ ପ୍ରଫେସରଙ୍କ ନାମ ପଠାଯିବ। ଗୋଟିଏ ସମୟରେ ୧୩ଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ହେଉଥିବାରୁ କିଭଳି ଭାବେ ଯୋଗ୍ୟତା ଓ ମାନଦଣ୍ଡ ରଖାଯାଇ ରାଜ୍ୟପାଳ କୁଳପତି ଚୟନ କରିବେ ତାହାକୁ ନେଇ ଆଶାୟୀମାନେ ପ୍ରଶ୍ନ ଉଠାଇଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/11/utkal-university-750x375-2025-07-11-22-17-22.jpg)