ଆଇସିୟୁରେ ଅଛନ୍ତି ମାତ୍ର ୨ଜଣ ଶିଶୁ, ଦୈନିକ କ‌ରୋନାରେ ଚିହ୍ନଟ ହେଉଛନ୍ତି ଶତାଧିକ ଶିଶୁ

ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬ହଜାର ଉପରେ ସ୍ଥିର

ଭୁବନେଶ୍ବର : ଗତ ୨୦ଦିନ ଭିତରେ ରାଜ୍ୟରେ ୨ହଜାରରୁ ଅଧିକ ୧୮ବର୍ଷରୁ କମ୍ ବୟସର ପିଲା କରୋନାରେ ସଂକ୍ରମିତ ହେଲେଣି। ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ ଏହି ବର୍ଗର ପିଲାଙ୍କ ସଂଖ୍ୟା ପ୍ରାୟ ୧୫ ପ୍ରତିଶତ ରହୁଛି। ହେଲେ ଏତେ ସଂଖ୍ୟକ କରୋନା ସଂକ୍ରମିତ ଶିଶୁଙ୍କ ମଧ୍ୟରୁ ମାତ୍ର ୨ଜଣ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସେମାନଙ୍କ ବୟସ ୧୮ବର୍ଷରୁ କମ୍ ହୋଇଥିଲେ ହେଁ ନିର୍ଦ୍ଦିଷ୍ଟ ଭାବେ କେଉଁ ବୟସର ତାହା ଜଣାପଡ଼ିନି। ବୟସ୍କଙ୍କ ତୁଳନାରେ ଶିଶୁମାନେ କରୋନାରେ କମ୍ ଗୁରୁତର ହେଉଥିବା ନେଇ ବିଶେଷଜ୍ଞମାନେ ଦାବି କରି ଆସୁଛନ୍ତି। ଯାହାକି ରାଜ୍ୟରେ ଶିଶୁମାନଙ୍କ ହସ୍ପିଟାଲରେ ଭର୍ତି ହେଉଥିବା ସଂଖ୍ୟାରୁ ସ୍ପଷ୍ଟ ହୋଇଛି।

ଏ ନେଇ ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି ଯେ ରାଜ୍ୟରେ କିଛି ଜିଲ୍ଲାରେ ସଂକ୍ରମଣ ବଢ଼ୁଛି ଓ କମୁଛି। ବିଶ୍ବବ୍ୟାପୀ ଏଭଳି ଧାରା ଦେଖିବାକୁ ମିଳୁଛି। ଡେଲ୍‌ଟା ଭାରିଏଣ୍ଟ ଏବେ ବି କିଛି ମାତ୍ରାରେ ରହିଛି। ପୂର୍ବରୁ ମଧ୍ୟ ଶିଶୁମାନେ ସଂକ୍ରମିତ ହେଉଥିଲେ। ହେଲେ ଏହାର ମାତ୍ରା ବଢ଼ିନି। ଟିକା ଆସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଦିଆଯାଉଛି ବୋଲି ଡା.ମହାନ୍ତି କହିଛନ୍ତି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଶିଶୁମାନଙ୍କ ପାଇଁ ୧୫୮୫ ସାଧାରଣ ଶଯ୍ୟା ଥିବା ବେଳେ ତହିଁରେ ଏବେ ୧୩ଜଣ ଶିଶୁ ରହିଛନ୍ତି। ସେହିପରି ଶିଶୁଙ୍କ ପାଇଁ ୬୭୪ ଆଇସିୟୁ/ଏଚ୍‌ଡିୟୁ ୬୭୪ ଶଯ୍ୟା ଥିବା ବେଳେ ତହିଁରେ ୨ଜଣ ଶିଶୁ ରହିଛନ୍ତି। ଭେଣ୍ଟିଲେଟରରେ କୌଣସି ଶିଶୁ ନ ଥିବା ଜଣାପଡ଼ିଛି। ସେହିପରି ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଆଇସିୟୁରେ ଏବେ ବି ୪୨୦ଜଣ ରୋଗୀ ରହିଛନ୍ତି। ଏଥିରୁ ୯୭ଜଣ ଭେଣ୍ଟିଲେଟରରେ ଅଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏହାସହ ୨୩୨ଜଣ ରୋଗୀ ସାଧାରଣ ଶଯ୍ୟାରେ ଚିକିତ୍ସିତ ହେଉଛନ୍ତି। ହେଲେ ରାଜ୍ୟରେ ଚିକିତ୍ସାଧୀନ ‌ଥିବା ୬୩୯୫ ରୋଗୀଙ୍କ ମଧ୍ୟରୁ ୫୭୪୩ ଜଣ ଗୃହ ପୃଥକବାସରେ ରହିଥିବା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୬୦୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୮ବର୍ଷରୁ କମ୍ ୧୨୨ଜଣ ପିଲା ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୧୮୮, କଟକ ୧୧୩, ବା‌ଲେଶ୍ବର, ଯାଜପୁରରେ ୩୧ ଲେଖାଏଁ, ମୟୂରଭଞ୍ଜ ୨୧, ପୁରୀ ୨୦, ସମ୍ବଲପୁର ୧୬ ଓ ଷ୍ଟେଟ୍‌ ପୁଲ୍‌ରୁ ୪୫ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୨ହଜାର ୧୬୭କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୮ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୩, ପୁରୀ, ଗଞ୍ଜାମରୁ ୨ ଲେଖାଏଁ, ବାଲେଶ୍ବରରେ ଜଣେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୦୫୫ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟରେ ଗତ କିଛିଦିନ ହେବ ଚିକିତ୍ସାଧନ ରୋଗୀଙ୍କ ସଂଖ୍ୟା ୬ହଜାର ଉପରେ ସ୍ଥିର ରହିଛି। ଆଜି ରାଜ୍ୟରେ ୭୨୭ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୬୨୬୯ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ତେବେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୯୭ହଜାର ୭୯୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର