ଦାନଗଦୀ : ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଚାନ୍ଦିଆ ପଞ୍ଚାୟତରେ ଶତାଧିକ ଶିଶୁଙ୍କର ଜନ୍ମ ପ୍ରମାଣପତ୍ର ନାହିଁ। ଫଳରେ ସେମାନଙ୍କ ଆଧାର କାର୍ଡ ମଧ୍ୟ ତିଆରି ହୋଇପାରୁ ନାହିଁ। ଟାଙ୍ଗରସାହି, କୁଡୁମିସାହି ଓ ଅରାସାହିର ଶତାଧିକ ଶିଶୁଙ୍କ ପ୍ରମାଣପତ୍ର ନଥିବାରୁ ସେମାନଙ୍କ ଆଧାର କାର୍ଡ ତିଆରି ହୋଇପାରୁନାହିଁ। ଫଳରେ ସେମାନେ ଖାଦ୍ୟ ଅଧିକାର ଓ ଶିକ୍ଷା ଅଧିକାର କ୍ଷୁଣ୍ଣ ହେଉଥିବା ଅଭିଯୋଗ ହୋଇଛି।

Advertisment

ଗ୍ରାମବାସୀ ଶିଶୁ ଅଧିକାର କର୍ମୀ ମଣ୍ଟୁଦାସଙ୍କୁ ଏ ବିଷୟରେ ଅବଗତ କରିଥିଲେ। ତିନୋଟିଯାକ ଗ୍ରାମରେ ସର୍ବେକ୍ଷଣ କରିବାରୁ ଟାଙ୍ଗରସାହିରେ ୩୪ଜଣ, କୁଡୁମିସାହି ଓ ଅରାସାହିର ୭୦ରୁ ଅଧିକ ଶିଶୁଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ନଥିବା ଜଣାପଡ଼ିଥିଲା। ଏହାକୁ ନେଇ ସମାଜସେବୀ ମଣ୍ଟୁ ଦାସ, ବିଜୟ ଦାସ ଓ ରାଜେଶ କୁମାର ରାଉତ ପ୍ରମୁଖ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିରୀଙ୍କୁ ଏନେଇ ଅବଗତ କରାଯାଇଛି। ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଣାଇଛନ୍ତି।