ମାଫିଆଙ୍କ କବ୍‌ଜାରେ ଯାଜପୁର-ଢେଙ୍କାନାଳ ପାହାଡ଼: ପୁଲିସ୍, ବନବିଭାଗ, ତହସିଲ ମାଫିଆଙ୍କ ପେ-ରୋଲ୍‌ରେ

ଶହ ଶହ କୋଟି ଟଙ୍କା ଲୁଟ୍‌

ଯାଜପୁର: ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଓ ରାଜସ୍ବ ଆଦାୟକୁ ସୁନିୟନ୍ତ୍ରିତ କରିବା ପାଇଁ ସରକାର ନୀତିନିୟମ କଡ଼ାକଡ଼ି କରିଛନ୍ତି। ତେବେ ସରକାରଙ୍କ ସବୁ ନୀତିନିୟମ ଯାଜପୁର-ଢେଙ୍କାନାଳ ସୀମାନ୍ତରେ ରାଜୁତି କରୁଥିବା ପଥରମାଫିଆଙ୍କ ନିକଟରେ ପ୍ରଭାବହୀନ। ଶହଶହ ଏକର ଜଙ୍ଗଲ ଜମି, ପାହାଡ଼ ମାଫିଆମାନଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି। ଗତ ସପ୍ତାହରେ ନିହାଲପ୍ରସାଦ ଥାନା ଅଞ୍ଚଳରେ ଚୋରା ମାଙ୍କଡ଼ା ପଥର ଚାଲାଣ ‌ବେଳେ ବନ ବିଭାଗ କର୍ମଚାରୀ ଚଢଉ କରିବାରୁ ମାଫିଆମାନେ ସଂଘବଦ୍ଧ ହୋଇ ଆକ୍ରମଣ କରି ୬ଜଣ କର୍ମଚାରୀଙ୍କୁ ଲହୁଲୁହାଣ କରିଥିଲେ। ଏପରିକି ସରକାରୀ ବନ୍ଧୁକ ଛଡାଇ ନେଇଥିଲେ। ପୁଲିସ, ରାଜସ୍ବ, ବନବିଭାଗର ନିରବ ସମର୍ଥନ ମାଫିଆଙ୍କୁ ସାମ୍ରାଜ୍ୟ ବିସ୍ତାରରେ ସହାୟକ ହୋଇଛି। ଏବେ ସେମାନଙ୍କୁ ନିୟନ୍ତ୍ରଣ କରିବା ସ୍ଥିତିରେ ପ୍ରଶାସନ ନାହିଁ।

ଯାଜପୁର ଜିଲ୍ଲାର ବଡ଼ଚଣା ଓ ଧର୍ମଶାଳା ତହସିଲର ବ୍ୟାପକ ଅଞ୍ଚଳ ସହିତ ଢେଙ୍କାନାଳ ଜିଲ୍ଲାର ଗଁଦିଆ ତହସିଲର ଅନେକ ଜଙ୍ଗଲ ଜମିରେ ମାଙ୍କଡ଼ା ପଥର ଓ କଳାପଥର(ଗ୍ରାନାଇଟ୍) ପାହାଡ଼କୁ ମାଫିଆମାନେ ନିଜ କବଜାକୁ ନେଇଯାଇଛନ୍ତି । ଗଁଦିଆ ତହସିଲ ଅଧୀନ ନିହାଲପ୍ରସାଦ ରାଜସ୍ୱ ସର୍କଲ ଅଧୀନ ନିଶ୍ଚନ୍ତା କଳାପଥର ପାହାଡ଼, ରାୟଗଡା ଓ ଭାଗଲପୁର ପାହାଡ଼ରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଲିଜ୍ ବାତିଲ କରି ୧୪୪ ଧାରା ଜାରି କରିଛନ୍ତିl ବିନା ଲିଜ୍‌ରେ ଏଠାରୁ ବେଧଡ଼କ ପଥର ଖନନ ଚାଲିଛିl ସେହିପରି ନିଶ୍ଚନ୍ତା ପାହାଡ଼ ପାଦଦେଶରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ସୀମାକୁ ଲାଗି ୪/୫ଟି ମେଗା କ୍ରସର ରହିଛି l

ଏହି କ୍ରସର ପାଇଁ ଆବଶ୍ୟକ କଳାପଥର ଏହି ନିଶ୍ଚନ୍ତା ପାହାଡ଼ରୁ ବେଆଇନ ଭାବେ ବ୍ଲାଷ୍ଟିଂ କରି ଅଣାଯାଉଛି l ସେହିପରି ଧର୍ମଶାଳା ତହସିଲ ଅଧୀନ ଡଙ୍କାରି ପାହାଡ଼ରେ ମଧ୍ୟ ୧୪୪ ଧାରା ଜାରି ହୋଇଥିବା ବେଳେ ସେଠାରେ ମଧ୍ୟ ୨୦ଟି ମେଗା କ୍ରସର ଚାଲିଛି l ଉଭୟ ଜିଲ୍ଲାର ସୀମାନ୍ତରୁ ବେଆଇନ୍ ଖନନ ସରକାର ଶହ ଶହ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି l ଏହି କାରବାର ପୁଲିସ, ବନବିଭାଗ, ରାଜସ୍ବ ବିଭାଗର ଅଧିକାରୀଙ୍କ ଜାଣତରେ ଚାଲିଛି। ଏହି ଅଞ୍ଚଳରୁ ଉପକୂଳ ଯାଜପୁର ଜିଲ୍ଲା ସମେତ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ କଟକ ପ୍ରଭୃତିକୁ କଳାପଥର ଚାଲାଣ ହେଉଛି। ଅସାଧୁମେଣ୍ଟକୁ ବେଳେ ବେଳେ ବାଧା ଦେଉଥିବା ତଳିଆ କର୍ମଚାରୀଙ୍କ ଉପରେ ବଳ ପ୍ରୟୋଗ କରିବାକୁ ମାଫିଆମାନେ ପଛାଉ ନାହାନ୍ତି। ଯେପରିକି ଗତ ୧୨ତାରିଖରେ ମାଫିଆମାନେ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ କରଡ଼ାବଣିରେ ଚୋରା ମାଙ୍କଡ଼ା ପଥର କାଟୁଥିବା ବେଳେ ଚଢଉ କରିବାରୁ ୬ଜଣ କର୍ମଚାରୀଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି। ପୁଲିସ ନାମକୁ ମାତ୍ର ଜଣକୁ ଗିରଫ କରି ହାତ ବାନ୍ଧି ବସିଛି। ଏଠାରେ ଚାଲିଥିବା ମାଫିଆ ରାଜର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ କଳା କାରନାମାର ପର୍ଦ୍ଦାଫାସ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର