ଭୁବନେଶ୍ବର: ରାଜ୍ୟରେ କରୋନାର ଚତୁର୍ଥ ଲହରର ସଂକେତ ମିଳିଲାଣି। ଗତ କିଛିମାସର ବ୍ୟବଧାନ ପରେ ଆଜି ରାଜ୍ୟରେ ଶହେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷକରି ଖୋର୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ଉପରମୁହାଁ ହୋଇଛି। ତୃତୀୟ ଲହରର ଶେଷ ଆଡ଼କୁ ରାଜ୍ୟରେ ଦୈନିକ ସଂକ୍ରମଣ ଶହେ ଉପରେ ରହିଥିଲା। ଯଦିଓ ପୁରୀରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି, ହେଲେ ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ଆଶଙ୍କା କରାଯାଉଛି। ପୁରୀ ରଥଯାତ୍ରା ସମୟରେ କରୋନା ମୁକାବିଲା ନେଇ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁହାକୁ ତୁହା ବୈଠକ କରୁଛନ୍ତି। ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଲକ୍ଷଣ ଥିବା ବ୍ୟକ୍ତିମାନେ ପୁରୀ ନ ଯିବାକୁ ଲାଗି ବାରଣ କରାଯାଇଛି। ମାତ୍ର ଲକ୍ଷାଧିକ ଲୋକଙ୍କ ସମାଗମ ଭିତରେ ଜିଲ୍ଲା ପ୍ରଶାସନ କିଭଳି ଭାବେ ସର୍ଭେଲାନ୍ସ କରିବ ତାହା ପ୍ରମୁଖ ଆହ୍ବାନ ପାଲଟିଛି। ସଂକ୍ରମଣକୁ ନଜରରେ ରଖି ବିଭାଗ ପକ୍ଷରୁ ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ କୁହାଯାଇଥିଲା। ହେଲେ ଏଥିରେ ଆଶାତୀତ ପରିବର୍ତନ ଦେଖିବାକୁ ମିଳିନାହିଁ।
ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦,୨୭୬ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୬୫, କଟକ ୨୧, ସୁନ୍ଦରଗଡ଼ ୬, ସମ୍ବଲପୁର ୪, ଯାଜପୁର ୨, ପୁରୀ ୧ ଓ ଷ୍ଟେଟ୍ ପୁଲରୁ ୧୪ଜଣ ଆକ୍ରାନ୍ତ ବାହାରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୮୯,୪୪୧କୁ ବୃଦ୍ଧି ପାଇଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି କୌଣସି ନୂଆ କରୋନା ମୃତ୍ୟୁ ଘୋଷଣା ହୋଇନାହିଁ। ରାଜ୍ୟରେ ଆଜି ୪୯ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ୪୬୮ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/corona-2.jpg)