କଟକ : ୧୯୯୩ ମସିହା ପରଠାରୁ ବଦଳି ହୋଇ ଅନ୍ୟ ଜିଲ୍ଲାକୁ ଯାଇଥିବା ପାଖାପାଖି ୨ ହଜାର ୫୦୦ ସିଭିଲ୍‌ କନେଷ୍ଟବଳଙ୍କ ବଦଳି ନିର୍ଦ୍ଦେଶନାମାକୁ ଡେପୁଟେସନ୍‌ ଭାବେ ବିବେଚନା କରାଯିବ। ଏମାନେ ଦୀର୍ଘ ୨୮ ବର୍ଷ ପରେ ମୂଳ ଜିଲ୍ଲାକୁ ଫେରିଛନ୍ତି। ଏମାନଙ୍କ ଭିତରେ ଥିବା ପ୍ରାୟ ୧୦୦ କନେଷ୍ଟବଳ ପଦୋନ୍ନତି ପାଇ ହାବିଲଦାର‌ ଓ ସିଆଇ ହାବିଲଦାର‌ ହୋଇଛନ୍ତି। ଏମାନେ ନିଜ ପଦୋନ୍ନତି ବି ହରାଇଛନ୍ତି। ହାବିଲଦାରର ତଳ ପାହ୍ୟା କନେଷ୍ଟବଳକୁ ସେମାନଙ୍କ ଅବନତି ହୋଇଛି। କିନ୍ତୁ ୧୯୯୩ ପରଠାରୁ ପୁଲିସ ବିଭାଗର ବିଭିନ୍ନ ଏଷ୍ଟାବ୍ଲିସମେଣ୍ଟ୍‌ରେ କାମ କରୁଥିବା ପୁଲିସ କନେଷ୍ଟବଳଙ୍କ କ୍ଷେତ୍ରରେ ଏ ପ୍ରକାର ନିର୍ଦ୍ଦେଶନାମା ଲାଗୁ ହୋଇନାହିଁ। ବିଭାଗରେ ଏଭଳି ବିଚିତ୍ର ନିଷ୍ପତ୍ତିକୁ ରାଜ୍ୟରେ କନଷ୍ଟେବଳ, ହାବିଲଦାର ଓ ସିପାହୀ ମହାସ˚ଘ ଖୋଲାଖୋଲି ବିରୋଧ କରିଛି। ଏଭଳି ନିଷ୍ପତ୍ତି ବଦଳାଇବାକୁ ପୁଲିସ ଡିଜିଙ୍କୁ ଭେଟି ମହାସ˚ଘ ଦାବି କରିଛି।

Advertisment

ପୁଲିସ ବିଭାଗରେ ୨୦୦୬ରେ ଯେତେବେଳେ କନେଷ୍ଟବଳଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଗୋଟିଏ ଜିଲ୍ଲାକୁ ବଦଳି କରାଗଲା, ସେହି ସମୟରେ କନେଷ୍ଟବଳମାନେ ଏହାର ଜୋରଦାର ବିରୋଧ କରିଥିଲେ। ମାମଲା ଅଦାଲତକୁ ଗଲା। କୋର୍ଟଙ୍କ ହସ୍ତକ୍ଷେପ ପରେ କନେଷ୍ଟବଳମାନେ ଜିଲ୍ଲା କ୍ୟାଡରର ହୋଇଥିବାରୁ ସେମାନଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇପାରିବ ନାହିଁ ବୋଲି ନିଷ୍ପତ୍ତି ହେଲା। ୨୦୦୬ ପରଠାରୁ କନେଷ୍ଟବଳଙ୍କ ପାଇଁ ଡେପୁଟେସନ୍‌ ନିୟମ ଲାଗୁ ହେଲା।

ଡେପୁଟେସନରେ ଅନ୍ୟ ଜିଲ୍ଲାକୁ କେବଳ ସର୍ବନିମ୍ନ ୩ ବର୍ଷ ଓ ସର୍ବାଧିକ ୭ ବର୍ଷ ପାଇଁ ଯାଇପାରିବେ। ଅବଧି ପୂରଣ ପରେ ପୁଣି ସମ୍ପୃକ୍ତ କନଷ୍ଟେବଳ ନିଜ ଜିଲ୍ଲାକୁ ଫେରିବେ। ସେମାନଙ୍କ କ୍ଷେତ୍ରରେ ବଦଳି ନିୟମ ଲାଗୁ ନହେବା ନେଇ ନିୟମ ଲାଗୁ ହୋଇଥିଲା। ୨୦୧୩ରେ ତତ୍କାଳୀନ ପୁଲିସ ଡିଜି ପ୍ରକାଶ ମିଶ୍ର ଏ ସ˚କ୍ରାନ୍ତରେ ପୁଲିସ ସର୍କୁଲାର‌୍‌ ଅର୍ଡର(ପିସିଓ-୩୪୨) ଜାରି କଲେ। ୨୦୧୩ରେ କନଷ୍ଟେବଳଙ୍କ କ୍ଷେତ୍ରରେ ଡେପୁଟେସନ ବ୍ୟବସ୍ଥାର ଅନ୍ତ ହେଲା। ସିଭିଲ କନଷ୍ଟେବଳମାନେ ଆଉ ଡେପୁଟେସନରେ ଯାଇପାରିବେ ନାହିଁ। ଯଦି ଯିବେ କ୍ୟାଡର‌୍‌ ବଦଳିବ। ଯେଉଁ ଜିଲ୍ଲାକୁ ଯିବେ ତାଙ୍କ ବରିଷ୍ଠତା ହରାଇବେ। କିନ୍ତୁ ଏଷ୍ଟାବ୍ଲିସମେଣ୍ଟ୍‌କୁ ଜଣେ ସିଭିଲ କନେଷ୍ଟବଳ ଡେପୁଟେସନ୍‌ରେ ଯାଇପାରିବ। ସର୍ବନିମ୍ନ ୩ ବର୍ଷ ଏବ˚ ସର୍ବାଧିକ ୭ ବର୍ଷ ଯାଏ ଡେପୁଟେସନରେ ଯାଇପାରିବେ ବୋଲି ସର୍କୁଲାରରେ ଉଲ୍ଲେଖ କରାଗଲା। କିନ୍ତୁ ଏବେ ପୁଲିସ ଡିଜିଙ୍କ ନୂଆ ନିର୍ଦ୍ଦେଶନାମା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

publive-image The Statesman

୨୦୦୬ରୁ ୨୦୧୩ ଭିତରେ ଯେଉଁ କନଷ୍ଟେବଳମାନେ ଅନ୍ୟ ଜିଲ୍ଲାକୁ ବଦଳି ହୋଇଥିଲେ, ଏହାକୁ ଡେପୁଟେସନ୍‌ ଭାବେ ବିଚାର କରାଯାଇ ସେମାନଙ୍କୁ ନିଜ ଜିଲ୍ଲାକୁ ଫେରିବା ପାଇଁ ଗଲା ସେପ୍ଟେମ୍ବରରେ ପୁଲିସ ଡିଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଡିଜିଙ୍କ ଏହି ନିର୍ଦ୍ଦେଶାବଳୀକୁ କନେଷ୍ଟବଳମାନେ ବିରୋଧ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ପାଖାପାଖି ୨୦୦ ପୁଲିସ କନେଷ୍ଟବଳ ଫେରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା। କନେଷ୍ଟବଳମାନେ ହାଇକୋର୍ଟର ଦ୍ବାରସ୍ଥ ହେବାପରେ ପୁଲିସ ବିଭାଗ ଆକ୍ରୋଶମୂଳକ ଭାବେ ଆଉ ଏକ ନିର୍ଦ୍ଦେଶନାମା ଜାରି କରିଥିବା କୁହାଯାଉଛି। ୧୯୯୩ ମସିହାଠାରୁ ବଦଳି ହୋଇ ଅନ୍ୟ ଜିଲ୍ଲାକୁ ଯାଇଥିବା କନଷ୍ଟେବଳ, ହାବିଲଦାର, ସିଆଇ ହାବିଲଦାରମାନଙ୍କ ବଦଳି ନିର୍ଦ୍ଦେଶନାମାକୁ ବି ଡେପୁଟେସନ ଭାବେ ବିଚାର କରାଯାଇ ପୁଣି ନିଜ ଜିଲ୍ଲାକୁ ଆସି କାର୍ଯ୍ୟରେ ଯୋଗ ଦେବା ପାଇଁ ଗଲା ଅକ୍ଟୋବର ୨୨ ତାରିଖରେ ଆଉ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଯାହାଫଳରେ ପ୍ରାୟ ୨ ହଜାର ୫୦୦ କର୍ମଚାରୀ ମୂଳ ଜିଲ୍ଲାକୁ ଫେରିବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ କନଷ୍ଟେବଳରୁ ହାବିଲଦାର, କ୍ରାଇମ ହାବିଲଦାର(ସିଆଇ) ପାହ୍ୟାକୁ ପଦୋନ୍ନତି ପାଇଥିବା ପ୍ରାୟ ୧୦୦ କର୍ମଚାରୀଙ୍କୁ ମୂଳ କନେଷ୍ଟବଳ ପାହ୍ୟାକୁ ଫେରାଇ ଅଣାଯାଇଛି। ତଳ ପାହ୍ୟାକୁ ପଦୋନ୍ନତି ପରେ ଏହି ପୁଲିସ କର୍ମଚାରୀ ଏବେ ମାନସିକ ଚାପରେ ରହିଛନ୍ତି। ଅକ୍ଟୋବର ୨୫ ତାରିଖ ସୁଦ୍ଧା ନିଜ ଜିଲ୍ଲାରେ ଯୋଗଦେବାକୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ। ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପୁଲିସ କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇ ସାରିଲେଣି। ଏହି ନିର୍ଦ୍ଦେଶନାମାକୁ ନେଇ ଜିଲ୍ଲାସ୍ତରରେ କନଷ୍ଟେବଳ ହାବିଦାର ଓ ସିପାହୀ ଶାଖା ସ˚ଘ ଏବ˚ ରାଜ୍ୟ ମହାସ˚ଘ ଅସନ୍ତୋଷ ପ୍ରକାଶ କରିଛି।

ହାବିଲଦାର, କନେଷ୍ଟବଳ ଓ ସିପାହି ମହାସ˚ଘର ପୂର୍ବତନ ସଭାପତି ସନ୍ତୋଷ ଶତପଥୀ କହିବା ଅନୁଯାୟୀ, ୧୯୯୩ ପରଠାରୁ ବଦଳି ହୋଇଥିବା ପୁଲିସ କର୍ମଚାରୀଙ୍କୁ ଡେପୁଟେସନ୍‌ ଭାବେ ବିଚାର କରି ମୂଳ ଜିଲ୍ଲାକୁ ଫେରାଇ ଅଣାଯିବା ନିଷ୍ପତ୍ତି ପୁଲିସ ବିଭାଗରେ କେବେ ଦେଖିବାକୁ ମିଳି ନଥିଲା। ଦୀର୍ଘ ୪୦ ବର୍ଷ ଚାକିରି କାଳ ଭିତରେ ଏଭଳି ହୋଇନଥିବା ବେଳେ ଏହା ଏକ କଳଙ୍କିତ ନିର୍ଦ୍ଦେଶନାମା। ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ନିର୍ଦ୍ଦେଶନାମାର ପୁନଃ ବିଚାର କରିବାକୁ ଶ୍ରୀ ଶତପଥୀ ଦାବି କରିଛନ୍ତି।