ପୁରୀ / ବ୍ରହ୍ମଗିରି : ସମୁଦ୍ର ବେଳାଭୂମିରେ ପଡ଼ି ରହିଛି ଶହ ଶହ ଜେଲିଫିସ୍‌। ପୁରୀଠାରୁ ଆରମ୍ଭ କରି ବ୍ରହ୍ମଗିରି, ସବୁଠି ଗତ ଦୁଇ ଦିନହେବ ଶହ ଶହ ସଂଖ୍ୟାରେ ଜେଲିଫିସ୍‌ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଏହା ଦେହରେ ଲାଗିଲେ କୁଣ୍ଡେଇ ହେବାସହ ଫଳିଯାଉଥିବା ପର୍ଯ୍ୟଟକମାନେ କହିଛନ୍ତି। ଫଳରେ ବେଳାଭୂମି ବୁଲିବା ସହ ସମୁଦ୍ର ସ୍ନାନ କରୁଥିବା ପର୍ଯ୍ୟଟକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତ କିଛିବର୍ଷ ଧରି ଲଗାତାର ଏଭଳି ଜେଲିଫିସ୍‌ ସମୁଦ୍ର କୂଳରେ ଲାଗୁଥିବା ଦେଖିବାକୁ ମିଳିଥିବାବେଳେ ଗତକାଲି ପୁରୀ ବେଳାଭୂମିରେ ଶହ ଶହ ସଂଖ୍ୟାରେ ଜେଲିଫିସ୍‌ ଦିଗବାରେଣିଠାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା।

Advertisment

ବ୍ରହ୍ମଗିରି ରେଞ୍ଜ ଓ ସାତପଡା ରେଞ୍ଜ ସମୁଦ୍ର କୂଳରେ ବି ଶହ ଶହ ସଂଖ୍ୟାରେ ଜେଲିଫିସ୍‌ ମରି ପଡିଥିବା ଦେଖିବାକୁ ମିଳିଛି। ବୁଧବାର ସକାଳୁ ସନ୍ଧ୍ୟା ମଧ୍ୟରେ ସମୁଦ୍ର ଲହଡିରେ ଶହ ଶହ ସଂଖ୍ୟାରେ ଜେଲିଫିସ ଭାସି ଆସି ଉପକୂଳରେ ଲାଗିଛନ୍ତି। ମଙ୍ଗଳା ନଈ ମୁହାଣଠାରୁ ରାମଭରତିଆ ମୁହାଣ ମଧ୍ୟରେ ଥିବା ବେଳାଭୂମିରେ ପ୍ରବଳ ସଂଖ୍ୟାରେ ମୃତ ଜେଲିଫିସ ମରି ପଡ଼ିଛନ୍ତି। ଦୀର୍ଘ ୪୦ କିଲୋମିଟର ବେଳାଭୂମିରେ ଏହି ଜେଲିଫିସ ମୃତ ଅବସ୍ଥାରେ ପଡ଼ିଥିବା ଜଣାପଡିଛି। ସମୁଦ୍ର ଉପକୂଳ କିମ୍ବା ଭିତରେ ପାଣି ଦୂଷିତ ହେବାପରେ ଜେଲିଫିସ ମରୁଥିବା ସନ୍ଦେହ କରାଯାଉଥିବା ବନ ବିଭାଗ କହିଛି।

ପୁରୀ ସାମୁଦ୍ରିକ ଅଞ୍ଚଳ ଅଗ୍ନିଶମ ଅଧିକାରୀ ଧନଞ୍ଜନ ମଲ୍ଲିକ କହିଛନ୍ତି, ଜେଲିଫିସ୍‌ ସଂସ୍ପର୍ଶରେ ଆସି ଗତକାଲି ଛଅ ସାତ ଜଣ ପର୍ଯ୍ୟଟକ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଆଜି ମଧ୍ୟ ଦୁଇ ତିନିଜଣ ପର୍ଯ୍ୟଟକ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଜେଲିଫିସ୍‌ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ପୁରୀ ବେଳାଭୂମିରେ ଫାଷ୍ଟଏଡ୍‌ ସୁବିଧା କିଭଳି ମିଳିପାରିବ, ସେ ନେଇ ବ୍ୟବସ୍ଥା କରାଯାଉଥିବା ଶ୍ରୀ ମଲ୍ଲିକ କହିଛନ୍ତି।

ପୁରୀ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟସମ୍ପଦ ଗବେଷଣା ଅନୁଷ୍ଠାନର ଡାକ୍ତର ରାଜେଶ କୁମାର ପ୍ରଧାନ କହିଛନ୍ତି, ଜେଲିଫିସ୍‌ଙ୍କର ଚଳପ୍ରଚଳ କରିବାର କ୍ଷମତା ନାହିଁ। ଏମାନେ ସାମୁଦ୍ରିକ ଜୁଆର ଜରିଆରେ ଚଳପ୍ରଚଳ କରିଥାନ୍ତି। ଖରାଦିନ ଅବା ଅତ୍ୟଧିକ ତାତି ସମୟରେ ଏମାନେ ଦଳଗତ ଭାବେ ଚଳପ୍ରଚଳ କରିବା ସହ ଏମାନଙ୍କ ଆକାରରେ ବୃଦ୍ଧି ଘଟିଥାଏ। ନିକଟରେ ବଙ୍ଗୋପସାଗରରେ ସୃଷ୍ଟ ଏକ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିଲା। ଆଉ ଏକ ବାତ୍ୟା ବି ଆସିବାର ପୂର୍ବାନୁମାନ କରାଯାଉଛି। ଏଥିଯୋଗୁ ଅତ୍ୟଧିକ ଜୁଆର ପ୍ରଭାବରେ ଏମାନେ ବେଳାଭୂମିରେ ଆସି ଲାଗି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ପୁରୀର ସାମୁଦ୍ରିକ ଅଞ୍ଚଳରେ ଯେଉଁ ଜେଲିଫିସ୍‌ ଦେଖାଯାଆନ୍ତି, ସେମାନେ ସେତେଟା ବିଷାକ୍ତ ନୁହନ୍ତି। ତଥାପି ଏମାନେ ଦେହରେ ଲାଗିଲେ କୁଣ୍ଡେଇ ହୋଇଥାଏ, ଦେହ ଫଳି ଯାଇଥାଏ। ଯଦି କାହାରି ଦେହରେ ଜେଲିଫିସ୍‌ ଲାଗି ଏଭଳି ପ୍ରତିକ୍ରିୟା ଦେଖାଯାଉଛି, ତତ୍କାଳ ଭିନେଗାର୍‌ରେ ଏହାକୁ ଧୋଇଦେବାକୁ ଡା. ପ୍ରଧାନ ପରାମର୍ଶ ଦେଇଛନ୍ତି।