ବିଜେପି ଅଧ୍ୟକ୍ଷା ପ୍ରାର୍ଥୀଙ୍କ ଶହେ କୋଟି, କାଉନସିଲର ବି କୋଟିପତି

ସୁନ୍ଦରଗଡ଼ ପୌର ନିର୍ବାଚନରେ ଧନୀ ପ୍ରାର୍ଥୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌର ଅଧ୍ୟକ୍ଷା ପାଇଁ ବିଜେଡି, ବିଜେପି, କଂଗ୍ରେସ ସହ ଦୁଇ ସ୍ବାଧୀନ ପ୍ରାର୍ଥୀ ମୈଦାନରେ। ବିଜେଡିର ରଞ୍ଜନା ପଣ୍ଡା, ବିଜେପିର ତନୟା ମିଶ୍ର, କଂଗ୍ରେସର ସସ୍ମିତା ଯୋଶୀ, ସ୍ବାଧୀନ ପ୍ରାର୍ଥୀ ନିନିମା ପଟେଲ ଓ ପଦ୍ମା ଦେବୀ। ଏହା ସହ ୧୯ଟି କାଉନସିଲର ଆସନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ସମେତ ସ୍ବାଧୀନ ଭାବେ ୭୪ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ  ଅଧ୍ୟକ୍ଷା ପ୍ରାର୍ଥୀଙ୍କ ସହ ୨ ଜଣ କାଉନସିଲର ପ୍ରାର୍ଥୀ କୋଟିପତି। ପୌର ନିର୍ବାଚନ ଅଧିକାରୀଙ୍କ ଠାରେ ପ୍ରାର୍ଥୀପତ୍ର ସହ ସେମାନେ ଦାଖଲ କରିଥିବା  ସତ୍ୟପାଠରୁ ଏହା ଜଣାପଡ଼ିଛି।

କୋଟିପତି ପ୍ରାର୍ଥୀ ଭାବେ ସବା ଆଗରେ ରହିଛନ୍ତି ବିଜେପିର ତନୟା ମିଶ୍ର। ତାଙ୍କ ପାଖରେ ୩ କୋଟି ୧୬ ଲକ୍ଷ ୯୪ ହଜାର ୩୮୯ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ସେହିପରି ତାଙ୍କ ସ୍ବାମୀ ବଟକିଶୋର ମିଶ୍ରଙ୍କ ପାଖରେ ୯୯ କୋଟି ୬୭ ଲକ୍ଷ ୬୭ ହଜାର ୨୦୬ ଟଙ୍କା ଓ  ପୈତୃକ ସମ୍ପତ୍ତି  ୧୭ କୋଟି ୩୮ ଲକ୍ଷ ୨୯ ହଜାର ୫୫୨ ଟଙ୍କା ରହିଛି। ସେଥିମଧ୍ୟରେ  ତନୟା ମିଶ୍ରଙ୍କ ପାଖରେ ୫୩ ଲକ୍ଷ ୪୬ ହଜାର ୧୦୬ ଟଙ୍କାର ବ୍ୟାଙ୍କ ଜମା, ଜୀବନବୀମା ପଲିସି ରହିଛି। ଏହା ସହ ୨ଟି ଟ୍ରାକ୍ଟର, ୧୫୦ ଗ୍ରାମର ସୁନାଗହଣା, ନିଜ ନାମରେ ୫୦ ଲକ୍ଷର ଚାଷ ଜମି, ୩୦ ଲକ୍ଷର ଅଣଚାଷ ଜମି, ୩୫ ଲକ୍ଷର ବ୍ୟବସାୟିକ କୋଠା, ଭୁବନେଶ୍ବର ଓ ଅନ୍ୟସ୍ଥାନରେ ୧ କୋଟି ୩୯ ଲକ୍ଷ ୯୨ ହଜାର ୮ ଶହ ଟଙ୍କାର ଆପର୍ଟମେଣ୍ଟ ଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି।

ଅନ୍ୟପଟେ ସ୍ବାମୀଙ୍କ ପାଖରେ ୧୭ ଲକ୍ଷ ୭୭ ହଜାର ଟଙ୍କାର ବ୍ୟାଙ୍କ ଜମା ଓ ବୀମା, ୧୩୦ ଗ୍ରାମର ସୁନାଗହଣା, ୮୦ ଲକ୍ଷର ଚାଷ ଜମି, ୨୦ ଲକ୍ଷର ଅଣଚାଷ ଜମି, ୪୦ କୋଟିର ବ୍ୟବସାୟିକ କୋଠା, ୫୦ କୋଟି ୫୦ ଲକ୍ଷର ଘର ରହିଥିବା ଉଲ୍ଲେଖ ରହିଛି। ସେହିପରି ୮ କୋଟି ୬୦ ଲକ୍ଷର ପିତୃ ଅର୍ଜିତ ଚାଷ ଜମି ରହିଛି। ତାଙ୍କ ପଛକୁ ୨ କୋଟି ୭୮ ଲକ୍ଷ ୭ ହଜାର ଟଙ୍କାର ସମ୍ପତ୍ତି ସହ ରହିଛନ୍ତି  ବିଜେଡି ପ୍ରାର୍ଥୀ ରଞ୍ଜନା ପଣ୍ତା। ତାଙ୍କ ନିଜ ପାଖରେ ୧୮ ଲକ୍ଷ ୮୧ ହଜାର ୩ ଶହ ଟଙ୍କାର ସମ୍ପତ୍ତି ଥିବା ବେଳେ ସ୍ବାମୀ ଅନୁପ କୁମାର ପୁରୋହିତଙ୍କ ପାଖରେ ୧ କୋଟି ୮୯ ଲକ୍ଷ ୫ ହଜାର ୭୦୯ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ସେଥିମଧ୍ୟରେ ରଞ୍ଜନାଙ୍କ ପାଖରେ ୧୦ ଲକ୍ଷ ୪୨ ହଜାରର ବ୍ୟାଙ୍କ ଜମା ଥିବା ବେଳେ ୧୦୯ ଗ୍ରାମର ସୁନାଗହଣା, ୨୨୦ ଗ୍ରାମର ରୂପା ରହିଛି।

ସ୍ବାମୀଙ୍କ ପାଖରେ ୮୮ ହଜାର ୬୭୦ ହାତ ଜମା ସହ ୪୭ ହଜାର ୩୯ ଟଙ୍କାର ବ୍ୟାଙ୍କ ଜମା, ୫୪ ଲକ୍ଷ ୫୦ ହଜାରର ଟାଟା ଟ୍ରିପ ଟ୍ରେଲର, ମହିନ୍ଦ୍ରା ଟ୍ରକ, ଜେସିବି ଥିବା ବେଳେ ୫୦ ଗ୍ରାମର ସୁନାଗହଣା ରହିଛି। ଏହା ସହ ଡବଲ ବୋରର ବନ୍ଧୁକ ମଧ୍ୟ ତାଙ୍କ ପାଖରେ ରହିଛି। ୫୦ ଲକ୍ଷର ଚାଷ ଜମି, ୮୦ ଲକ୍ଷର ଅଣଚାଷ ଜମି ଥିବା ଶ୍ରୀମତୀ ପଣ୍ଡା ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ସେହିପରି ୬ ନମ୍ବର ୱାର୍ଡ ପାଇଁ  ବିଜେଡିରୁ ପ୍ରାର୍ଥୀ ହୋଇଥିବା  ଲଲାଟେନ୍ଦୁ ପରିଡ଼ା ମଧ୍ୟ କୋଟିପତି। ତାଙ୍କ ପାଖରେ  ୪ କୋଟି ୬୬ ଲକ୍ଷ ଟଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ସେଥିମଧ୍ୟରେ କେବଳ ନିଜ ପାଖରେ ୧ କୋଟି ୫୯ ଲକ୍ଷ ୫୯ ହଜାର ୨୩୦ ଟଙ୍କାର ସମ୍ପତ୍ତି ଥିବା ବେଳେ ପତ୍ନୀଙ୍କ ନାମରେ ୧ କୋଟି ୯୪ ଲକ୍ଷ ୫୮ ହଜାର ୮୨୭ ଟଙ୍କା ଓ ପୁଅ ନାମରେ ୧ କୋଟି ୨୦ ଲକ୍ଷ ୮୬ ହଜାର ୪୮୪ ଟଙ୍କାର ସମ୍ପତ୍ତି ରହିଛି।

ସମ୍ପତ୍ତି ମଧ୍ୟରେ ତାଙ୍କ ପାଖରେ ୧୦ଟି ଟ୍ରେଲର, ପତ୍ନୀଙ୍କ ନାମରେ ୯ ଓ ପୁଅ ନାମରେ ୬ଟି ଟ୍ରେଲର ରହିଛି। ଏହା ବ୍ୟତୀତ ତାଙ୍କ ପାଖରେ ୨୦ ଗ୍ରାମ ସୁନା, ପତ୍ନୀଙ୍କ ପାଖରେ ୧୫୦ ଗ୍ରାମ ଓ ପୁଅ ପାଖରେ ୧୨ ଗ୍ରାମ ସୁନା ରହିଛି। ନିଜ ପାଖରେ ୧୦ ଲକ୍ଷର ଜମି ଓ ପତ୍ନୀଙ୍କ ନାମରେ ୫୦ ଲକ୍ଷର କୋଠା ରହିଥିବା ସେ ଦର୍ଶାଇଛନ୍ତି। ଅନ୍ୟ ଜଣେ କୋଟିପତି କାଉନସିଲର ପ୍ରାର୍ଥୀ ହେଲେ  ଗୀତାରାଣୀ ମାଝୀ। ୱାର୍ଡ ନମ୍ବର ୧୬ର ଏହି ପ୍ରାିର୍ଥୀଙ୍କ ସମ୍ପତ୍ତି ହେଲା ୧ କୋଟି ୫୮ ଲକ୍ଷ।  ସେଥିମଧ୍ୟରୁ କେବଳ ଗୀତାରାଣୀଙ୍କ ନାମରେ ୧ କୋଟି ୩୦ ଲକ୍ଷ  ୩୪ ହଜାର ଓ ସ୍ବାମୀ ଦାମୋଦର ମାଝୀଙ୍କ ନାମରେ  ୨୮ ଲକ୍ଷ ୨ ହଜାର ୫୪୧ ଟଙ୍କାର ସମ୍ପତ୍ତି ରହିଛି।

ସମ୍ବନ୍ଧିତ ଖବର