ବିଶ୍ରା: ସୁରକ୍ଷାବାହିନୀର କ୍ରମାଗତ ଅଭିଯାନ ସରଣ୍ଡା ଜଙ୍ଗଲରେ ଥିବ‌ା ମାଓବାଦୀ ଶିବିରକୁ ଏକପ୍ରକ‌ାର ଦୋହଲାଇ ଦେଇଛି। ସଙ୍ଗଠନକୁ ବଞ୍ଚାଇ ରଖିବା ଲାଗି ବରିଷ୍ଠ ମାଓନେତାଙ୍କ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଥିବାବେଳେ ନାବାଳକ, ନାବାଳିକାଙ୍କୁ ସଙ୍ଗଠନରେ ସାମିଲ କରାଯାଉଛି। ଗତବର୍ଷ ସରଣ୍ଡା ଓ ପୋଡ଼ାହାଟ ଜଙ୍ଗଲରେ ମାଓବାଦୀମାନଙ୍କ ଦ୍ୱାରା ଏକ ବଡ଼ ତାଲିମ ଶିବିର ପରିଚାଳିତ ହୋଇଥିଲା। ସେଥିରେ ସଂଗଠନର ସଦସ୍ୟଙ୍କୁ ଶାରୀରିକ କୌଶଳ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ତାଲିମ୍‌ ଦିଆଯାଇଥିଲା। ସଙ୍ଗଠନ ପକ୍ଷରୁ ଏହି ତାଲିମ କେନ୍ଦ୍ରର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିଲା। ଘଞ୍ଚଜଙ୍ଗଲରେ କିପରି ମାଓବାଦୀଙ୍କୁ ତାଲିମ ଦିଆଯାଏ ସେହି ଭିଡିଓରେ ଦର୍ଶାଯାଇଥିଲା। ତେବେ ଗୁଇନ୍ଦାସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଲିମ ନେଉଥିବା ସଦସ୍ୟଙ୍କ ମଧ୍ୟରେ ପ୍ରାୟ ନାବାଳକ। ବର୍ତ୍ତମାନ ସରଣ୍ଡାରେ ସକ୍ରିୟ ମାଓ ସଂଗଠନରେ ୧୫ରୁ ୧୭ ବର୍ଷ ବୟସର ଶତାଧିକ ନାବାଳକ, ନାବାଳିକା ରହିଛନ୍ତି। ସେ ସମସ୍ତଙ୍କୁ ୨ରୁ ୩ମାସ ଗରିଲା ଯୁଦ୍ଧ ସଂପର୍କରେ ତାଲିମ୍‌ ଦିଆଯାଇଛି। ସଙ୍ଗଠନରେ ନିଯୁକ୍ତି ଦେବା ପାଇଁ ସରଣ୍ଡାର ବିଟକିଲସୋଆ, ଥୋଲକୋବାଦ ଜଙ୍ଗଲରେ ମାଓବାଦୀମାନଙ୍କ ଦ୍ୱାରା ପ୍ରାୟ ସମୟରେ ତାଲିମ ଶିବିର ଆୟୋଜିତ ହୋଇଆସୁଛି।

Advertisment

ମାଓବାଦୀ ସଙ୍ଗଠନରେ ଯୋଗ ଦେବା ପୂର୍ବରୁ ଯେ କୌଣସି ସଦସ୍ୟଙ୍କୁ ଜନମିଲିସିଆ ସ୍କ୍ୱାଡ୍‌ରେ ଯୋଗ ଦେବାକୁ ପଡ଼ିଥାଏ। ସଙ୍ଗଠନକୁ ପୁଲିସବାହିନୀର ଗତିବିଧି ବିଷୟରେ ସୂଚନାଦେବା, ସଙ୍ଗଠନ ପାଇଁ ରାସନ୍‌, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଇବା ହେଉଛି ମିଲିସିଆ ସ୍କ୍ୱାଡ୍‌ର କାମ। ଏହା ପରେ ମିଲିସିଆ ସ୍କ୍ୱାଡ୍‌କୁ ଦୁଇତିନି ମାସ ପାଇଁ ତାଲିମ୍‌ ଦିଆଯାଏ। ଏହି ସମୟରେ ସ୍କ୍ୱାଡ୍‌କୁ ୨୦ ଦିନ ପାଇଁ ଦିନକୁ ୩୦ ମିନିଟ୍ ଲେଖାଏଁ ଶାରୀରିକ କୌଶଳ ଶିକ୍ଷା ଦିଆଯାଏ। ୨୦ ଦିନ ପରେ ସ୍କ୍ୱାଡ୍‌କୁ ଅସ୍ତ୍ରଶସ୍ତ୍ର ଚାଳନା ଓ ଲ୍ୟାଣ୍ଡମାଇନ୍‌ ଖଞ୍ଜିବାର ତାଲିମ୍‌ ଦିଆଯାଇଥାଏ। ବର୍ତ୍ତମାନ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରୁଥିବା ପ୍ରାୟ ସମସ୍ତ ନକ୍ସଲ ସଦସ୍ୟଙ୍କ ବୟସ ୧୫ରୁ ୧୭ ବର୍ଷ ମଧ୍ୟରେ ରହିଛି।

 ସେମାନଙ୍କ ବୟସ କମ୍‌ ଥିବାରୁ ଯବାନମାନେ ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ବରଂ କିଛିମାତ୍ରାରେ ସମ୍ବେଦନଶୀଳ ହୋଇଥାନ୍ତି। ଏହାର ଲାଭ ଉଠାଇ ସେମାନେ ସହଜରେ ଆଇଇଡି, ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ସୁଯୋଗ ପାଆନ୍ତି। ଅଧିକାଂଶ ସମୟରେ ବୋମା ଲଗାଇବାର ଦାୟିତ୍ୱ ଗରିଲା ତାଲିମ ନେଇଥିବା ନାବାଳକଙ୍କୁ ଦିଆଯାଇଥାଏ। ଅନ୍ୟପକ୍ଷରେ ତାଲିମ ନେଇଥିବା ଯୁବତୀମାନଙ୍କର ପ୍ରଥମ କାମ ହେଉଛି ବାର୍ଷିକ ନକ୍ସଲ କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରାଇବା। ନୃତ୍ୟ ଓ ଗୀତ ମାଧ୍ୟମରେ ସଙ୍ଗଠନକୁ ବିସ୍ତାର କରିବା, ସଦସ୍ୟଙ୍କ ମନୋବଳ ବୃଦ୍ଧି କରିବା, ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଇତ୍ୟାଦି।