ବିଜେପିରେ ଯୋଗଦେଲେ ଶତାଧିକ କିନ୍ନର: ଶୋଷିତ, ଅବହେଳିତ ବର୍ଗକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ: ମନମୋହନ

ଭୁବନେଶ୍ୱର: ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ରାଜ୍ୟ କିନ୍ନର ସମାଜର ଶତାଧିକ କିନ୍ନର ବିଜେପିରେ ସାମିଲ ହୋଇଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟରେ ଆଜି ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ସ୍ବାଗତ କରି କହିଥିଲେ, ଭାରତୀୟ ଜନସଂଘ ଅମଳରୁ ସମାଜର ମୁଖ୍ୟ ସ୍ରୋତରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ଥିଲା ବିଜେପିର ପ୍ରତିବଦ୍ଧତା। ପରବର୍ତ୍ତୀ ସମୟରେ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’କୁ ମୂଳମନ୍ତ୍ର କରି ମୋଦୀ ସରକାର ଦେଶରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଶୋଷିତ, ଦଳିତ, ଅବହେଳିତ, ବଞ୍ଚିତ ବର୍ଗକୁ ସମାଜର ମୁଖ୍ୟସ୍ରୋତରେ ଆଣିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ସମାଜର ସବୁ ବର୍ଗ ଆଜି ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି।

କିନ୍ନର ସମାଜର ରାଜ୍ୟ ସଭାପତି ସୁଇଟି ସାହୁଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲାର ସଭାପତି ଓ ସାଥୀ ବିଜେପିରେ ଯୋଗ ଦେଇଥିଲେ। ସେହିପରି କଟକ ଜିଲ୍ଲାର ଉର୍ମିଳା ନର୍ସିଂହୋମ୍‌ର ମାଲିକ ଅଭୟ କୁମାର ଦାସ ଓ ଭୁବନେଶ୍ୱରସ୍ଥିତ ଡମଣା ଅଞ୍ଚଳର ମହିଳା ସଭାନେତ୍ରୀ ପ୍ରୀତିସ୍ମିତା ରାଉତରାୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିଲେ। ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଓ ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଉତ୍ତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ସାଥୀ ମେନକା କିନ୍ନର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର