ସ୍କୁଲରେ ହେବ ଷ୍ଟୁଡେଣ୍ଟ ଆଡ୍‌ପସନ୍‌, ‘ମୋ ସ୍କୁଲ୍’ ଅଭିଯାନରେ ଶହେ ସ୍କୁଲ ହେବ ମଡେଲ୍‌

ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁରସ୍କାର, ସାଢ଼େ ୫୭ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ମୋ ସ୍କୁଲ୍ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଚଳଚଞ୍ଚଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡ଼ିକୁ ମଡେଲ ସ୍କୁଲ୍‌ରେ ପରିଣତ କରାଯିବ। ଏଥିରେ ପ୍ରତ୍ୟେକ ଜିଲ୍ଲାରୁ ଅତି କମ୍‌ରେ ୩ଟି ଲେଖାଏଁ ବିଦ୍ୟାଳୟ ରହିବ। ଏଥିସହ ଚଳିତବର୍ଷଠାରୁ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ଷ୍ଟୁଡେଣ୍ଟ ଆଡ୍‌ପସନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଓ ଇଚ୍ଛୁକ ବ୍ୟକ୍ତିବିଶେଷ ୧୦୦ଟି ବିଦ୍ୟାଳୟର ୧ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ୟଭାବେ ଗ୍ରହଣ କରି ସେମାନଙ୍କ ପାଠପଢାର ସମସ୍ତ ବିଷୟ ବୁଝିବେ। ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତିବିଶେଷ ଓ କର୍ପୋରେଟ୍ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତବିଶେଷଙ୍କୁ ଷ୍ଟୁଡେଣ୍ଟ ଆଡ୍‌ପସନ କାର୍ଯ୍ୟକ୍ରମରେ ସାମିଲ କରାଯାଇ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାକୁ ଉତ୍ସାହିତ କରାଯିବ।

ଏହାର ଲାଭ କିଭଳି ରାଜ୍ୟର ସମସ୍ତ ବିଦ୍ୟାଳୟରେ ପହଞ୍ଚିପାରିବ ଓ ଉପାନ୍ତ ଜିଲ୍ଲାର ଛାତ୍ରଛାତ୍ରୀ ଏହାଦ୍ୱାରା କିପରି ଉପକୃତ ହୋଇପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ‘ମୋ ସ୍କୁଲ୍ ଅଭିଯାନ’ର ୭ମ ପରିଚାଳନା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମୋ ସ୍କୁଲ୍ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଭିଭାବକମାନେ ବେସରକାରୀ ସ୍କୁଲ୍ ପରିବର୍ତ୍ତେ କିଭଳି ସରକାରୀ ସ୍କୁଲ୍‌ରେ ନିଜ ପିଲାଙ୍କୁ ପଢାଇବାକୁ ଆଗ୍ରହ ଦେଖାଇବେ ସେହି ଅନୁଯାୟୀ ବିଦ୍ୟାଳୟଗୁଡ଼ିକର ବିକାଶ କରିବାକୁ ‘ମୋ ସ୍କୁଲ୍’ ଅଧ୍ୟକ୍ଷା ଶ୍ରୀମତୀ ବାଗ୍‌ଚୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଲେ ମୋ ସ୍କୁଲ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୨୫ ହଜାର ସ୍କୁଲ୍‌ରେ ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କୁ ଯେପରି ଗୁଣାତ୍ମକ ଶିକ୍ଷାଦାନ ମିଳିପାରିବ ସେଦିଗରେ ପଦକ୍ଷେପ ନିଆଯାଉଛି। ଆସନ୍ତା ଶିକ୍ଷାବର୍ଷରୁ ଭଲ ପ୍ରଦର୍ଶନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉତ୍ସାହିତ କରିବା ଲାଗି ପୁରସ୍କୃତ କରାଯିବ। ଖୁବ୍‌ଶୀଘ୍ର ବୈଷୟିକ ଜ୍ଞାନ ସହଯୋଗରେ ରାଜ୍ୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ସମାବେଶର ଆୟୋଜନ କରାଯିବ। ମେଣ୍ଟର କନେକ୍ଟ କାର୍ଯ୍ୟକ୍ରମରେ ରାଜ୍ୟର ଶହେଟି ବିଦ୍ୟାଳୟକୁ ମନୋନୀତ କରାଯାଇ ୧୦୦ ଜଣ ମେଣ୍ଟରଙ୍କୁ ଚୟନ କରାଯାଇଛି।

୨୦୨୦-୨୧ ଆର୍ଥିକ ବର୍ଷରେ ହୋଇଥିବା କାର୍ଯ୍ୟକାରୀ ପରିଷଦର ୬ଟି ବୈଠକରେ ୩୦ଟି ଜିଲାର ୮୮୭୭ଟି ବିଦ୍ୟାଳୟର ମୋଟ ୫୭ କୋଟି ୪୯ ଲକ୍ଷ ୨୮ ହଜାର ୩୮୩ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିପାଇଁ ପୁରାତନ ଛାତ୍ରଛାତ୍ରୀ ୧୯ କୋଟି ୧୬ ଲକ୍ଷ ୪୯ ହଜାର ୮୧୪ ଟଙ୍କା ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୮ କୋଟି ୩୨ ଲକ୍ଷ ୮୭ ହଜାର ୬୨୮ ଟଙ୍କା ପ୍ରଦାନ କରାଯାଇଛି। ଗତ ଏକ ବର୍ଷରେ ‘ମୋ ସ୍କୁଲ୍‌’ ଅଭିଯାନ ୧ ଲକ୍ଷ ୮୨ ହଜାର ପୁରାତନ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିଛି। ‘ମୋ ସ୍କୁଲ୍’ ମୋବାଇଲ୍‌ ଆପ୍‌ରେ ୭୫ ହଜାର ସଦସ୍ୟ ଯୋଡ଼ି ହୋଇଛନ୍ତି। ନିଜ ସ୍କୁଲ୍‌କୁ ଆର୍ଥିକ ସହାୟତା ଯୋଗାଇଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ପ୍ରକଳ୍ପ ଅଗ୍ରଗତି ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି। ରାଜ୍ୟର ୫ ହଜାରରୁ ଅଧିକ ସ୍କୁଲ ନିଜ ନିଜ ପୁରାତନ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ସହ ସ୍ୱତନ୍ତ୍ର ହ୍ୱାଟ୍‌ସଆପ୍ ଗ୍ରୁପ୍ ଗଠନ କରି ମୋ ସ୍କୁଲ୍ ଅଭିଯାନକୁ ସେମାନଙ୍କ ନିକଟରେ ପହଞ୍ଚାଇଛନ୍ତି। ୪ଟି ଅନ୍ତର୍ଜାତୀୟ ସଂସ୍ଥା ଓ ୭ଟି ଜାତୀୟସ୍ତରୀୟ ସଂସ୍ଥା ମିଳିତ ଭାବେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କୋଡ୍ କ୍ଲବ୍‌, ସ୍ମାର୍ଟ କ୍ଲାସ୍‌ରୁମ୍‌, ଭିତ୍ତିଭୂମି ବିକାଶ ସହ ଶିକ୍ଷକ ପ୍ରଶିକ୍ଷଣ ଓ ଭର୍ଚୁଆଲ୍‌ ଲର୍ଣ୍ଣିଂ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଏସ୍‌ସି ଓ ଏସ୍‌ଟି ଉନ୍ନୟନ ବିଭାଗ ନିର୍ଦ୍ଦେଶକ ପୁନମ ଗୁହା, ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ରସିଦ ଖାନ୍‌, ବିଭାଗୀୟ ବିତ୍ତ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ମୋ ସ୍କୁଲ୍ ସଦସ୍ୟ ସଚିବ ତଥା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ, ଗଣଶିକ୍ଷା ବିଭାଗ ଉପସଚିବ ତଥା ମୋ ସ୍କୁଲ୍ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ପ୍ରତିଭା ଦୋରା, ମୋ ସ୍କୁଲ୍‌ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ବୈଠକରେ ଉପସ୍ଥିତ ରହି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର