କରୋନାକାଳୀନ ଶହେ କାହାଣୀର ସଂକଳନ ‘ଅଛୁଆଁ’ ଉନ୍ମୋଚିତ

ଭବିଷ୍ୟତ ପାଇଁ ଐତିହାସିକ ଦସ୍ତାବିଜ ହୋଇ ରହିବ

ଭୁବନେଶ୍ବର: କରୋନାକାଳୀନ ଶହେଟି କାହାଣୀକୁ ନେଇ ସମୃଦ୍ଧ ଗାଳ୍ପିକ ତଥା ସାମ୍ବାଦିକ ଗୌତମବୁଦ୍ଧ ଦାସଙ୍କ ଦ୍ବିତୀୟ ଗଳ୍ପ ସଂକଳନ ‘ଅଛୁଆଁ’ ଆଜି ଉନ୍ମୋଚିତ ହୋଇଛି। ଟାଇମ୍‌ପାସ୍‌ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଉନ୍ମୋଚନ କରି କହିଲେ, କରୋନା ମହାମାରୀ ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିବାବେଳେ ମଣିଷର ଚରିତ୍ର, ଦେଶମାନଙ୍କର ଅର୍ଥନୀତି ଓ ସାମାଜିକ ସ୍ଥିତି ବଦଳିଯାଇଛି। ଏଭଳି ସମୟରେ କରୋନା ପୃଷ୍ଠଭୂମିରେ ରଚିତ ଏହି ପୁସ୍ତକର ପ୍ରତିଟି ପୃଷ୍ଠାରେ କରୋନାର ଗୋଟିଏ ଗୋଟିଏ ଅନୁଭବ ରହିଛି। ତେଣୁ ଏସବୁ କାହାଣୀ ହେଲେ ବି ଭବିଷ୍ୟତ ପାଇଁ ଏହା ଏକ ଐତିହାସିକ ଦସ୍ତାବିଜ ହୋଇ ରହିବ।

‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ବାଦ ପ୍ରେକ୍ଷାଳୟରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କଥାକାର ସଦାନନ୍ଦ ତ୍ରିପାଠୀ କହିଲେ, ଗଦ୍ୟ ସାହିତ୍ୟ ଏକ ସମୟର ଦଲିଲ। ଗପଟିଏ ଯଥା ସମୟରେ ଲେଖାଯିବା ଦରକାର; ତାହା ପ୍ରକାଶ ପାଉ ଅବା ନ ପାଉ। ଏ ବହିରେ ପ୍ରତ୍ୟେକ ଗଳ୍ପର ଦୃଶ୍ୟାବଳି ଭିନ୍ନ ଭିନ୍ନ। ୧୧୬ ଦିନରେ ଶହେଟି ଭିନ୍ନ ଧରଣର ଗପ ଭେଟିଦେବା ବିସ୍ମୟ। ଅନ୍ୟତମ ଅତିଥି ବିଶିଷ୍ଟ ପ୍ରାବନ୍ଧିକ ତଥା ସ୍ତମ୍ଭକାର ପ୍ରାଧ୍ୟାପକ ଅଭିରାମ ବିଶ୍ବାଳ କହିଲେ, କରୋନା ଏକ କାଳବିଭାଜିକା ଭାବେ ପ୍ରତୀୟମାନ ହେଉଥିବାବେଳେ ଏହି ପୁସ୍ତକର ଗଳ୍ପ ସମସାମୟିକ ଇତିହାସ। ବହିର କଳାପକ୍ଷ ଓ ସତ୍ୟପକ୍ଷକୁ ଆଲୋଚନା କରିବା ସହ ଦୁଇ ପକ୍ଷକୁ ‌ଲେଖକ ଯେଉଁଭଳି ଭାବେ ମିଶାଇବାକୁ ଚେଷ୍ଟା କରିଛନ୍ତି, ତାହା ପ୍ରଶଂସନୀୟ। ବିଶିଷ୍ଟ କଥାକାର ଗୌରହରି ଦାସ କହ‌ିଲେ, ଗପ ସେତେବେଳ ପର୍ଯ୍ୟନ୍ତ ସଫଳ, ଯେପର୍ଯ୍ୟନ୍ତ ପାଠକଟିଏ ତାକୁ ସତ ବୋଲି ଭାବି ପଢ଼ୁଥାଏ। ଭଲ ଗପ ହେଉଛି ତାହା; ଯାହା ପଢ଼ିଲା ବେଳେ ଭଲ ଲାଗେ ଏବଂ ଅନେକ ଦିନ ମନେ ରହିଯାଏ। ଏହି ସଂକଳନଟି ସେହି ଦୃଷ୍ଟିରୁ ଅଭିନବ। ‌ତରୁଣ କଥାକାର ଗୌତମବୁଦ୍ଧ କରୋନା ସମୟର ପରିବର୍ତ୍ତନର ଚିତ୍ରକୁ ସୁନ୍ଦର ଭାବେ ଧରି ରଖିବାକୁ ଚେଷ୍ଟା କରିଛନ୍ତି।

ବିଶିଷ୍ଟ ସ୍ତମ୍ଭକାର ତଥା ସଂସ୍କୃତି ‌ଗବେଷକ ଅସିତ ମହାନ୍ତି କହିଲେ, ମହାବାତ୍ୟା ବେଳେ ହଜାର ହଜାର କାହାଣୀ ଥିଲା କିନ୍ତୁ ଲେଖାଯାଇନାହିଁ। ଏଭଳିସ୍ଥଳେ ତରୁଣ ପିଢ଼ି କରୋନା ଭଳି ଅତିମାରୀକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ଶୁଭ ଲକ୍ଷଣ। କରୋନାକୁ ନେଇ ଭାରତୀୟ ଇତିହାସ ଲେଖାଯିବା ବେଳେ ଯେବେ ଓଡ଼ିଆ କରୋନା ସାହିତ୍ୟ କଥା ବିଚାରକୁ ନିଆଯିବ ସେତେବେଳେ ଏହି ପୁସ୍ତକକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ କହିଥିଲେ। ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଡ.ଶୁ‌ଭଶ୍ରୀ ଲେଙ୍କା କହିଲେ, କରୋନାକୁ ସମସ୍ତେ ନିଜ ଢଙ୍ଗରେ ଭେଟିଛନ୍ତି ଓ ଅନୁଭବ କରିଛନ୍ତି। ସାମ୍ବାଦିକତା ବୃତ୍ତିରେ ଥାଇ ଲେଖକ ଶ୍ରୀ ଦାସ ତଥାକଥିତ ଘଟଣାରେ ଖାଦ ଦେଇ ଏହି ପୁସ୍ତକ ମାଧ୍ୟମରେ ଅଳଙ୍କାରମାନେ ଭେଟି ଦେଇଛନ୍ତି। ‘ସମ୍ବାଦ’ର ମୁଖ୍ୟ ମହା ପ୍ରବନ୍ଧକ ଅରବିନ୍ଦ ଦାସ କହିଲେ, ନଅଙ୍କ ଦୁର୍ଭିକ୍ଷ ଓ ସ୍ପାନିସ୍‌ ଫ୍ଲୁ’ର କାରୁଣ୍ୟକୁ ନେଇ ସେତେ ସ୍ପଷ୍ଟ ଭାବେ ପ୍ରତିଫଳିତ କରାଯାଇନଥିବାବେଳେ କରୋନା କାରୁଣ୍ୟର ପ୍ରତିଫଳନ ଅଧିକ ସ୍ପଷ୍ଟ ହେବ। ଲେଖକ ଶ୍ରୀ ଦାସ ଏଥିରେ ଅଗ୍ରଦୂତ ସାଜିଛନ୍ତି। ଭବିଷ୍ୟତର ଗବେଷକଙ୍କ ପାଇଁ ଏ ବହିଟି ସୁନ୍ଦର ଦଲିଲ ହୋଇ ରହିବ। ଗାଳ୍ପିକ ଶ୍ରୀ ଦାସ କରୋନା ସମୟରେ ମଣିଷର ଦୁର୍ଦ୍ଦଶା, ଅସହାୟତା, ହତାଶା ଆଦି ତାଙ୍କୁ ୧୧୬ ଦିନରେ ଏଭଳି ୧୦୦ଟି କାହାଣୀ ଲେଖି ପକାଇବାକୁ ଅଥୟ କରିଥିଲା ବୋଲି କହିଥିଲେ। ପ୍ରାରମ୍ଭରେ ପୁସ୍ତକର ପ୍ରକାଶକ ତଥା ଟାଇମ୍‌ପାସ୍‌ର ମୁଖ୍ୟ ସରୋଜ ବଳ ସ୍ବାଗତ ଭାଷଣ ଦେଇଥିବାବେଳେ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର