ରାଜପଥ ସଂପ୍ରସାରଣ ପାଇଁ କାଟିଥିଲେ ଶତାଧିକ ଗଛ: ଚାରିବର୍ଷ ପୂରିଲା, କାମ ସରିଲା, ବୃକ୍ଷରୋପଣ ଭୁଲିଗ‌ଲେ

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ କୋଦଳା ଦେଇ କବିସୂର୍ଯ୍ୟନଗର ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ୨୭.୮ କିଲୋମିଟରବ୍ୟାପୀ ୩୦ ନମ୍ବର ରାଜ୍ୟ ରାଜପଥର ସଂପ୍ରସାରଣ ଏବଂ ଉନ୍ନତୀକରଣ ପାଇଁ ୪ ବର୍ଷ ତଳେ ଅନୁଦାନ ଆସିଥିଲା। ଏହାପରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ତେବେ ଏଥିପାଇଁ ରାସ୍ତା ପାର୍ଶ୍ବରେ ଥିବା ବଡ଼ ବଡ଼ ପୁରାତନ ଗଛ ଗୁଡ଼ିକୁ କାଟିଦିଆଯାଇଥିଲା। ଏପରିକି ୫୦ ବର୍ଷରୁ ଅଧିକ ପୁରୁଣା ଗଛ ବି ବାଦ୍ ପଡ଼ି ନଥିଲା। ତେବେ ଉଦ୍‌ବେଗର ବିଷୟ ହେଉଛି, ରାସ୍ତା ସଂପ୍ରସାରଣ କାର୍ଯ୍ୟ ସରିବା ପରେ ଉକ୍ତ ଇଲାକାରେ ପୁଣି ଗଛ ଲଗାଇବାକୁ ଯୋଜନା ଆରମ୍ଭ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ବୃକ୍ଷରୋପଣ ନହେବା ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି। ସଂପ୍ରତି ଖଲ୍ଲିକୋଟ ଠାରୁ ବାଟବ୍ରହ୍ମପୁର (ନୂ୍ଆବ୍ମହ୍ମପୁର) ପର୍ଯ୍ୟନ୍ତ ରାସ୍ତାପର୍ଶ୍ବରେ ନୂଆ ଗଛ ରୋପଣ ହୋଇଥିବା ବେଳେ ଆଉ ବଳକା ରାସ୍ତାରେ ବୃକ୍ଷରୋପଣ ଯୋଜନାର ସଫଳ ରୂପାୟନ ହୋଇପାରୁନି।

ପୂର୍ତ୍ତ ବିଭାଗ ସହ ଯୋଗାଯୋଗ କରିବାରୁ ସୂଚନା ମିଳିଛି, ବୃକ୍ଷରୋପଣ ପାଇଁ ବନ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ରାସ୍ତାପାର୍ଶ୍ବରେ ଜାଗା ଚିହ୍ନଟ ପାଇଁ ଅନୁମତି ମଗାଯାଇଥିଲା। ଏଥିପାଇଁ ବନ ବିଭାଗ ପକ୍ଷରୁ ବହୁବାର ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବନ ବିଭାଗ ପକ୍ଷରୁ ଚାରା ପ୍ରଦାନ ସହ ଏକ ଅନୁଷ୍ଠାନ ମାଧ୍ୟମରେ ନିର୍ମଳଝର ଛକରୁ ବାଟବ୍ରହ୍ମପୁର ପର୍ଯ୍ୟନ୍ତ ଦୁଇ ପାର୍ଶ୍ବରେ ରୋପଣ କରାଯାଇଥିଲା। କିନ୍ତୁ ଆଗରୁ ଏହା ରାଜ୍ୟ ରାଜପଥ-୩୦ ଥିବା ବେଳେ ଏବେ କୁଆଡ଼େ ଜାତୀୟ ରାଜପଥ ହେବାର ଯୋଜନା ରହିଛି। ଖଲ୍ଲିକୋଟର ପୂର୍ବତନ ରେଞ୍ଜ୍‌ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବାଟବ୍ରହ୍ମପୁର ପର୍ଯ୍ୟନ୍ତ ବୃକ୍ଷରୋପଣ ସରିଛି। ପରବର୍ତ୍ତୀ ସମୟରେ ରାସ୍ତା ସଂପ୍ରସାରଣ ହେବ ବୋଲି ସୂଚନା ମିଳିବା ପରେ ଆଉ ବୃକ୍ଷରୋପଣ କରାଯାଇନି।

ସମ୍ବନ୍ଧିତ ଖବର