କଳିଙ୍ଗନଗରରେ ଶହଶହ ଆଦିବାସୀ ଛାତ୍ରଛାତ୍ରୀ ପାଠ ଛାଡ଼ିଛନ୍ତି, ସରକାରୀ ରେକର୍ଡରେ ୨

ଯାଜପୁର : ଖଣିଖାଦାନ ଓ  ଭିତ୍ତିଭୂମି ଉପରେ ନିର୍ଭର କରି ଇସ୍ପାତ ରାଜଧାନୀ କଳିଙ୍ଗନଗର ଗଢ଼ିଉଠିଛି।  ଶିଳ୍ପାୟନର ବିକାଶ ସହିତ ଅଞ୍ଚଳର ସମୃଦ୍ଧିକୁ ନେଇ ଜିଲ୍ଲାବାସୀ ବେଶ ଆଶା କରିଥିଲେ। ଶିଳ୍ପାୟନର ସଠିକ୍ ପରିଚାଳନାର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଜିଲ୍ଲାବାସୀଙ୍କର ବିକାଶ ଦିବାସ୍ବପ୍ନରେ ପରିଣତ ହେବାକୁ ବସିଛି। ଶିଳ୍ପାନୁଷ୍ଠାନ ଓ ଅଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ପୁନର୍ବାସ ଓ ଥଇଥାନ(ଆର ଆଣ୍ଡ ଆର ପଲିସି)ରେ ୬ମାସରେ ଥରେ ପୁନର୍ବାସ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା କମିଟି(ଆରପିଡିଏସି)ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାର ବ୍ୟବସ୍ଥା ରହିଛି। ମାତ୍ର ୬ବର୍ଷ ପୂରଣ ହେବାକୁ ବସିଲାଣି ଥରେ ବି ଆରପିଡିଏସି ବୈଠକ ହୋଇନାହିଁ।

ଆରଡିସିଙ୍କ ନେତୃତ୍ବରେ ହେବାକୁ ଥିବା ଏହି ‌ଗୁରୁତ୍ବପୂର୍ଣ୍ଣ ବୈଠକରେ କମ୍ପାନିଗୁଡ଼ିକ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ଓ ବିସ୍ଥାପିତମାନଙ୍କ ସମସ୍ୟା ଆଲୋଚନା କରାଯାଇ ସମାଧାନର ବାଟ ଖୋଲୁଥିଲା। ତାହା ବନ୍ଦ ହୋଇଯାଇଛି। କମ୍ପାନିଗୁଡ଼ିକ ନିଜର ସିଏସ୍‌ଆର ଅନୁଦାନରୁ ପାରିପାର୍ଶ୍ବିକ ଅଞ୍ଚଳର ସମୂହ ବିକାଶ ପାଇଁ ସାମାଜିକ ଦାୟିତ୍ବବୋଧକୁ ଭିତ୍ତି କରି କୋଟି କୋଟି ଟଙ୍କା ବ୍ୟୟ କରୁଥିବାର ଦର୍ଶାଉଛନ୍ତି। ଏହି ବାବଦରେ ପରିବେଶ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଗଛ ଲଗାଯାଉଥିବାର କାଗଜପତ୍ର କମ୍ପାନି ଦେଖାଉଥିବା ବେଳେ ତାହାର‌ କୌଣସି ଚିହ୍ନବର୍ଣ୍ଣ ନାହିଁ। ସେହିପରି  ସଚେତନତା ପାଇଁ ଶିକ୍ଷାର ବିକାଶ ବାବଦରେ ବ୍ୟାପକ ଅର୍ଥ ବ୍ୟୟ କରୁଥିବାର ବିଭିନ୍ନ କମ୍ପାନି କାଗଜପତ୍ରରେ ଦେଖାଉଛନ୍ତି। ଯାହାର ଗ୍ରାଉଣ୍ଡ ଜିରୋ ରିପୋର୍ଟ  ଭିନ୍ନ କଥା କହୁଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ମୁଖ୍ୟତଃ ଦାନଗଦୀ ବ୍ଲକ୍‌ରେ ରହିଥିବା ବେଳେ ଶହଶହ ଆଦିବାସୀ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ି ବିଭିନ୍ନ ବିପଦଜନକ କାମରେ ନିୟୋଜିତ। ଅଥଚ ସରକାରଙ୍କର ଗଣଶିକ୍ଷା ବିଭାଗ ତଥ୍ୟ କହୁଛି ମାତ୍ର ୨ଜଣ ଛାତ୍ରଛାତ୍ରୀ ପାଠ ଛାଡ଼ିଛନ୍ତି। ଯାହାକି ଶିଳ୍ପାଞ୍ଚଳରେ କମ୍ପାନିଗୁଡ଼ିକର ସିଏସ୍‌ଆର କାର୍ଯ୍ୟକ୍ରମ ଓ ସରକାରଙ୍କ  ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶ ଥାଉକି ଦାନଗଦୀ ବ୍ଲକ୍‌ରେ ଥିବା କଳିଙ୍ଗନଗର ଓ ସୁକିନ୍ଦା ବ୍ଲକ୍ ଅଧୀନରେ ଥିବା କ୍ରୋମ ଉପତ୍ୟକା କାଳିଆପାଣି ଅର୍ଥନୀତିକୁ ବେଶ ସମୃଦ୍ଧ କରୁଛି। ମାତ୍ର ଏହି ଦୁଇ ବ୍ଲକ୍‌ର ଗ୍ରାଉଣ୍ଡ ଜିରୋ ରିପୋର୍ଟ ଅନୁଯାୟୀ ଶହଶହ ଡ୍ରପ୍ଆଉଟ ପିଲା ଥିବାବେଳେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଦାନଗଦୀରେ ୨ ଓ ସୁକିନ୍ଦାରେ ୧୦ ଜଣ ପିଲା ଡ୍ରପଆଉଟ ହୋଇଥିବା ଦର୍ଶାଯାଇଛି।  ଅନୁସନ୍ଧାନରୁ ଜଣାପଡିଛି ଯେ ଦାନଗଦୀ ଓ ସୁକିନ୍ଦାରେ ଗରିବ, ଆବଶ୍ୟକ ପ୍ରମାଣପତ୍ର ଅଭାବ, ବିଦ୍ୟାଳୟର ଦୂରତା, ସାମାଜିକ ଚଳଣି ଓ ସଚେତନତା ଅଭାବ ଯୋଗୁଁ ଡ୍ରପଆଉଟ ପିଲାମାନଙ୍କ ସଂଖ୍ୟା ପ୍ରତି ଗ୍ରାମରେ ଅନେକ। ଦାନଗଦୀ ବ୍ଲକର ୨୩ଗୋଟି ପଞ୍ଚାୟତରେ ମାତ୍ର ୨ଜଣ ଡ୍ରପ୍‌ଆଉଟ ବୋଲି ସରକାରୀ ତଥ୍ୟରେ ଦର୍ଶାଇବା ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ବେସରକାରୀ ଭାବେ ତଦନ୍ତ କରିବା ପରେ ସଂଘାତିକ ତଥ୍ୟ ପଦାକୁ ଆସିଛି।

ଫଳରେ ଚଳିତ ମାସ ୬ ତାରିଖରେ ଶାଳିଜଙ୍ଘା ପଞ୍ଚାୟତର ଢେଙ୍କିଶାଳ ଗ୍ରାମର ୩୨ଜଣ ଡ୍ରପଆଉଟ ପିଲା ବିଦ୍ୟାଳୟକୁ ଫେରିଛନ୍ତି। ସେହିପରି କିଆଝର ପଞ୍ଚାୟତର ଟୁଙ୍ଗେଇଶୁଣୀ ଗ୍ରାମର ୨୦ ଜଣ ପିଲା ବିଦ୍ୟାଳୟକୁ ଫେରିଛନ୍ତି। ଯଦି ପ୍ରତି ଗ୍ରାମରେ ଏତେ ସଂଖ୍ୟାରେ ଡ୍ରପଆଉଟ ପିଲା ରହିଥିଲେ; ସରକାରୀ ତଥ୍ୟରେ କିପରି ୨ଜଣ ହେଲେ?  ସରକାରୀ କଳ ବ୍ୟତୀତ କର୍ପୋରେଟ ସଂସ୍ଥାର ସିଏସଆର ଓ ଡିଏମ୍‌ଏଫରୁ କୋଟିକୋଟି ଟଙ୍କା ବ୍ୟୟର ମୂଲ୍ୟ କଣ?  ଅପରପକ୍ଷରେ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଡ୍ରପଆଉଟ ପିଲାମାନଙ୍କ ଚିହ୍ନଟ କରି ସେମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ସରକାର ପକ୍ଷରୁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଇଛି। କୋଭିଡ ପରେ ଡ୍ରପଆଉଟ ସଂଖ୍ୟା ବୃଦ୍ଧି ପାଇଥିବାରୁ ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଶ୍ରମ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗଙ୍କୁ ରାଜ୍ୟ ମାନବାଧିକାର କମିସନ ନିର୍ଦେଶ ଦେଇଥିଲେ। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକା ଉଦ୍ୟମ ନଥିବା ଯୋଗୁଁ ଶିକ୍ଷା ଅଧିକାରରୁ ଶିଶୁମାନେ ବହୁତ ଦୂରରେ। ଏକ ସ୍ବତନ୍ତ୍ର ଅଭିଯାନ ଦ୍ବାରା ଡ୍ରପଆଉଟ ପିଲାମାନଙ୍କୁ ଶିକ୍ଷା ସହିତ ଯୋଡିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର