ଭଣ୍ତାରିପୋଖରୀ-୧ : ଭଣ୍ତାରିପୋଖରୀ ତହସିଲ ଅଧିନ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲେ ସୁଦ୍ଧା ପ୍ରଶାସନ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। କେତେବେଳେ କେମିତି ନାମକୁମାତ୍ର ରାଜସ୍ବ ଅଧିକାରୀ କିମ୍ବା ପୁଲିସ ଅଧିକାରୀମାନେ ରାସ୍ତାରୁ କେତୋଟି ବାଲି ଗାଡି ଧରି ବାହାବା ନେଉଛନ୍ତିି ସତ, ହେଲେ ପ୍ରକୃତ ବାଲି ମାଫିଆଙ୍କ ନିକଟରେ ଏମାନେ ପହଞ୍ଚି ପାରୁନହାଁନ୍ତିି। ଯେଉଁଥିପାଇଁ ଦିନରାତି ନଦୀର ବିଭିନ୍ନ ସ୍ଥାନରୁ ବାଲି ଉତ୍ତୋଳନ ସହିତ ଚୋରା ଚାଲାଣ ମଧ୍ୟ ହେଉଛି। ଏପରିକି ପ୍ରଶାସନିକ ଅଧିକାରୀଙ୍କ ସ୍ଥାଣୁତା ଯୋଗୁ ପଡୋଶୀ ଯାଜପୁର ଜିଲ୍ଲାର ବାଲିମାଫିଆମାନେ ଭଣ୍ତାରିପୋଖରୀ ସୀମାକୁ ମାଡି ଆସି ଶହ ଶହ ଟ୍ରିପ୍ ବାଲି ଚୋରାଇ ନେଉଛନ୍ତି।
ସୂଚନା ମୁତାବକ ଆଖୁଆପଦା ପୋଲର ଉପରିଭାଗ ପ୍ରାୟ ୩୦୦ମିଟର ଦୂରକୁ ଗଲେ ପଡିଥାଏ ବ୍ରଜରାଜନଗର। ବର୍ତ୍ତମାନ ତହସିଲ ଅଧିନରେ ସ୍ଥାନୀୟ କୌଣସି ବାଲିଖାଦାନ ଚାଲିନଥିବାବେଳେ ଦୀର୍ଘଦିନ ହେବ ଅପରପକ୍ଷ ବ୍ରଜରାଜନଗର ପକ୍ଷରୁ ଅତ୍ୟାଧୁନିକ ମେସିନ ଲଗାଯାଇ ବାଲିଚାଲାଣ କରାଯାଉଛି। ଆଶ୍ଚର୍ଯ୍ୟର କଥା ଯାଜପୁର ଜିଲ୍ଲା କୋରେଇ ତହସିଲ ଅଧିନ ବୈତରଣୀ ନଦୀର ବ୍ରଜରାଜନଗର ସୀମାକୁ ପ୍ରଶାସନ ବାଲି ଉତ୍ତୋଳନ ପାଇଁ ନିଲାମ ଦେଇନଥିବା ସ୍ଥଳେ ସେମାନେ ବେଆଇନ ଭାବେ ବାଲିଚାଲାଣ କରୁଛନ୍ତି। ଏପରିକି ସୀମାଟପି ଭଣ୍ତାରିପୋଖରୀ ତହସିଲ ଅଧିନ ଯଶୋଟିକିରି ଓ ନେରଡା ଆଡକୁ ମଧ୍ୟ ମାଡି ଆସୁଛନ୍ତି।
ଭଦ୍ରକ ଜିଲ୍ଲା ପ୍ରଶାସନ ଏ ବାବଦରେ ରାଜସ୍ବ ହରାଉଥିବା ବେଳେ ପଡୋଶୀ ଜିଲ୍ଲାର ମାଫିଆମାନେ ସୀମା ଟପି ଚୋରି କରି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ବାଲି। ଏନେଇ ସ୍ଥାନୀୟ ଜନସାଧାରଣ ଭଣ୍ତାରିପୋଖରୀ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ସେ ଏହା ଉପରେ ପଦକ୍ଷେପ ନେଉନାହାନ୍ତି। ନିଜ ସୀମାର ରାଜସ୍ବକୁ ରକ୍ଷା କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ତହସିଲଦାରଙ୍କ ଏଭଳି ନୀରବଦ୍ରଷ୍ଟା ସ୍ଥିତି ଦେଖି ବାଲିଚୋରମାନେ ଦିନକୁ ଦିନ କାୟା ବିସ୍ତାର କରୁଛନ୍ତି। ଏହା ଉପରେ ରାଜସ୍ବ କମିଶନରଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/f4fs456hfs4h56fs4h56fshfshfhsfsfhfh.jpg)