ତ୍ରୁଟିଯୁକ୍ତ ସ୍ଥାପନା କାରଣରୁ ସୁନ୍ଦରଗଡ ଜିଲ୍ଲାରେ ଶହ ଶହ ନଳକୂପ ଅଚଳ

ଲୋକଙ୍କୁ ପାଣି ଦେବାଲାଗି ନା ଠିକାଦାର ପୋଷିବା ପାଇଁ ନଳକୂପ!

୧୩,୭୬୮ ନଳକୂପରେ ଖର୍ଚ୍ଚ ପ୍ରାୟ ୨୭୫.୩୬ କୋଟି

ରାଉରକେଲା : ଗ୍ରାମାଞ୍ଚଳବାସୀଙ୍କ ଶୋଷ ମେଣ୍ଟାଇବା ନାଁରେ ନଳକୂପ ବସାଇ ଚାଲିଛି ବ୍ୟାପକ ହରିଲୁଟ୍‌। ସୁନ୍ଦରଗଡ ଜିଲ୍ଲାର ଗ୍ରାମାଞ୍ଚଳ ଜଳଯୋଗାଣ ଓ ପରିମଳ ଯୋଜନା (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ସବୁ ଠିକ୍‌ଠାକ୍‌ ଚାଲିଥିବା ତଥ୍ୟ ଦେଉଛନ୍ତି। ମାତ୍ର ଜିଲ୍ଲାର ଗ୍ରାମାଞ୍ଚଳରେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା। ଖନନ ଓ ସ୍ଥାପନରେ ଅର୍ଥ ବାଟମାରଣା କାରଣରୁ ଅନେକ ନଳକୂପ ପ୍ରଥମରୁ ବା ଅଳ୍ପ ଦିନପରେ ହିଁ ବ୍ୟବହାର ଉପଯୋଗୀ ହେଉନାହିଁ। ଜିଲ୍ଲାରେ ଶହ ଶହ ନଳକୂପ ଅଚଳ ହୋଇ ପଡିଥିଲେ ହେଁ ମରାମତି ମଧ୍ୟ କରା ଯାଉନାହିଁ। ଯେଉଁ ନଳକୂପଗୁଡ଼ିକ କାମ କରୁଛି, ତା’ ଭିତରୁ ଅନେକରୁ ବାହାରୁଥିବା ପାଣି ବ୍ୟବହାର ଅନୁପଯୋଗୀ। କିନ୍ତୁ ସ୍ଥିତିକୁ ସଜାଡ଼ିବାଲାଗି ବିଭାଗ ଆଦୌ ଆଗ୍ରହ ଦେଖାଉନାହିଁ।

ଉଦାହରଣସ୍ବରୂପ ନୂଆଗାଁ ବ୍ଲକର ବଡଯୋଜଦା, ସାନଯୋଜଦା, ସୋରଡା, ଚିତାପେଡି, ବାଗଡେଗା ଅଞ୍ଚଳ ସହିତ ବଣାଇଁ ବ୍ଲକର କେନ୍ଦ୍ରିକଳା, ଗୋବିନ୍ଦପୁର, କେନାଭେଟା, ଜକେଇକେଲା, ଗୁରୁଗଡା; କୁଆରମୁଣ୍ଡା ବ୍ଲକର ନାଇକେନବାହାଲ, ତେଲିପୋଷ ଗିରିଜାଟୋଲି ଆଦିରେ ଅନେକ ନଳକୂପ ଖରାପ ହୋଇ ପଡ଼ିଛି। ଲହୁଣିପଡା ଓ କୋଇଡା ବ୍ଲକରେ ମଧ୍ୟ ସମାନ ସ୍ଥିତି। ଉଲ୍ଳେଖନୀୟ ଯେ ଏସବୁ ନଳକୂପ ସଂପୃକ୍ତ ବ୍ଲକର ପ୍ରମୁଖ୍ ସ୍ଥାନମାନଙ୍କରେ ଅବସ୍ଥିତ। ଅଭ୍ୟନ୍ତରର ଗାଁଗୁଡ଼ିର ସ୍ଥିତି କ’ଣ ହେଉଥିବ, ଏଥିରୁ ଅନୁମେୟ। ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ୪ରୁ୫ଟି ନଳକୂପ ମାସ ମାସ ଧରି ଅକାମୀ ହୋଇ ପଡିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ବିଭାଗର ଦୃଷ୍ଟି ପଡୁନାହିଁ। ପ୍ରତ୍ୟେକ ନଳକୂପ ବସାଇବାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଦେଢ଼ ଲକ୍ଷ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି। ବିଭିନ୍ନ ଠିକା ସଂସ୍ଥା ଦ୍ବାରା ଏସବୁ ନଳକୂପ ବସାଯାଉଛି। କିନ୍ତୁ ଠିକା ସଂସ୍ଥାଙ୍କ କାମର ଉଚିତ ଯାଞ୍ଚ ନକରି ସେମାନଙ୍କୁ ଯାହିତାହି କାମ ସାରିବାର ସୁଯୋଗ ଦିଆ ଯାଉଛି। ଫଳରେ ଅନେକ ନଳକୂପ ପ୍ରଥମରୁ କାମ କରୁନାହିଁ ବା ଅଳ୍ପ ଦିନ ମଧ୍ୟରେ ଅଚଳ ହୋଇ ପଡୁଛି।

ସୁନ୍ଦରଗଡ଼ ପଟକୁ ଛାଡ଼ିଦେଲେ, ରାଉରକେଲା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧୀନରେ ବିଶ୍ରା, ବଣାଇଗଡ, ଗୁରୁଣ୍ଡିଆ, କୋଇଡା, କୁଆରମୁଣ୍ଡା, ଲହୁଣିପଡା, ଲାଠିକଟା, ନୂଆଗାଁ ଆଦି ୮ଟି ବ୍ଲକରେ ମୋଟ୍‌ ୧୩ ହଜାର ୭୬୮ଟି ନଳକୂପ ବସାଯାଇଛି। ବିଶ୍ରା ବ୍ଲକର ୧୭ଟି ପଞ୍ଚାୟତରେ ୧୬୭୯, ବଣାଇଗଡ ବ୍ଲକର ୧୩ଟି ପଞ୍ଚାୟତରେ୧୪୮୬, ଗୁରୁଣ୍ଡିଆର ୧୩ଟି ପଞ୍ଚାୟତରେ ୧୪୭୬, କୋଇଡାର ୧୫ଟି ପଞ୍ଚାୟତରେ ୧୩୪୧ଟି ନଳକୂପ ବସାଯାଇଛି। ସେମିତି କୁଆରମୁଣ୍ଡା ବ୍ଲକର ୨୦ଟି ପଞ୍ଚାୟତରେ ୨୦୯୪, ଲହୁଣୀପଡା ବ୍ଲକର ୧୭ଟି ପଞ୍ଚାୟତରେ ୧୯୦୦, ଲାଠିକଟାର ୧୮ଟି ବ୍ଲକର ୧୯୯୬ ଓ ନୂଆଗାଁ ବ୍ଲକର ୨୦ଟି ପଞ୍ଚାୟତରେ ୧୯୭୯ଟି ନଳକୂପ ବସାଯାଇଛି। ଗୋଟିଏ ନଳକୂପକୁ ପିଛା ହାରାହାରି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏମିତି ମୋଟ୍‌ ୧୩ ହଜାର ୭୬୮ ନଳକୂପ ବସାଇବାରେ ପ୍ରାୟ ୨୭୫ ‌କୋଟି ୩୬ ଲକ୍ଷ ଟଙ୍କା ବିଭିନ୍ନ ପାଣ୍ଠିରୁ ଖର୍ଚ୍ଚ ହୋଇଛି। ଆଶ୍ଚର୍ଯ୍ୟର କଥା, ଅଧିକାଂଶ ପଞ୍ଚାୟତରେ ନଳକୂପଗୁଡ଼ିକ ଅଚଳ ହୋଇ ପଡିଥିଲେ ସୁଦ୍ଧା ବିଭାଗ ପାଖରେ ଏ ସଂକ୍ରାନ୍ତରେ କୌଣସି ସୂଚନା ମଧ୍ୟ ନାହିଁ। ଯେପରି ଲୋକଙ୍କୁ ଜଳ ଦେବାଲାଗି ନୁହେଁ, ନଳକୂପ ବସାଇ ଅର୍ଥ ବ୍ୟୟ କରିବା ହିଁ ବିଭାଗର ଲକ୍ଷ୍ୟ!

କେବଳ ନଳକୂପ ନୁହେଁ, ଜିଲ୍ଲାରେ ଅଧିକାଂଶ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ, ଓଭରହେଡ ଟ୍ୟାଙ୍କର (ବସୁଧା ଯୋଜନା) ଅଧପନ୍ତରିଆ ହୋଇ ପଡିଛି। ତେଣୁ ଅଞ୍ଚଳବାସୀଙ୍କ କାମରେ ଆସୁନି। ଏଥିରୁ ଏକ ବଡ ଧରଣ ଦୁର୍ନୀତିର ସନ୍ଦେହ ସୃଷ୍ଟି ହୋଇଛି। ବିଭାଗ ଓ ଦାୟିତ୍ବରେ ଥିବା ଅଧିକାରୀମାନେ କେମିତି କାମ କରୁଛନ୍ତି ତାହା ସ୍ପଷ୍ଟ ବାରି ହୋଇ ପଡୁଛି। ଆର୍‌ଡବ୍ଲ୍ୟୁଏସ୍ଏସ୍‌ ବିଭାଗରେ ଚାଲିଥିବା ଦୁର୍ନୀତିର ପର୍ଦ୍ଦାଫାସ ହେବା ସହ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମୁଖା ଖୋଲିବା ଲାଗି ଦାବି ହେଉଛି।

ସମ୍ବନ୍ଧିତ ଖବର