ରାଉରକେଲା: ରାଉରକେଲା ରେଳ ଷ୍ଟେସନ୍ ପରିସର ବାହାରେ ଥିବା ପାର୍କିଂ ସ୍ଥାନରେ ଶହ ଶହ ବାଇକ୍ ଓ ସାଇକେଲ ଖତ ଖାଉଛି। କରୋନା ମହାମାରୀ ସମୟରୁ ଆଜି ପର୍ଯ୍ୟନ୍ତ ମାଲିକଙ୍କ ଦେଖାନାହିଁ। ମାଲିକମାନେ ନିଜ ନିଜ ସାଇକେଲ୍ ଓ ବାଇକକୁ ନେବେ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ଜଣାପଡ଼ୁନି। ଯାହା ଫଳରେ ସାଇକେଲ୍ ଦର୍ ଠାରୁ ପାର୍କିଂ ମୂଲ୍ୟ ବଢ଼ିଗଲାଣି। ଆଜିକୁ ୩ ବର୍ଷ ହୋଇଯାଇଥିଲେ ମଧ୍ୟ ମାଲିକମାନେ କାହିଁକି ନିଜ ନିଜ ମୂଲ୍ୟବାନ୍ ଗାଡ଼ି ଓ ସାଇକେଲକୁ ନେବା ପାଇଁ ଆସୁନାହାନ୍ତି ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

Advertisment

ସୂଚନା ଅନୁଯାୟୀ, ଯାତ୍ରୀଙ୍କ ଗାଡ଼ିକୁ ସୁରକ୍ଷିତ ରଖିବା ପାଇଁ ରେଳ ଷ୍ଟେସନ ପରିସର ବାହାରେ ପାର୍କିଂ ସ୍ଥାନ ରହିଛି। ପ୍ରତିଦିନ ହଜାର ହଜାର ଯାତ୍ରୀ ନିଜ ନିଜ ସାଇକେଲ, ବାଇକ୍ ଓ ହେଲମେଟ୍ ଏହି ପାର୍କିଂ ସ୍ଥାନରେ ରଖି ଦୂର ସ୍ଥାନକୁ ଯାତ୍ରା କରିଥାନ୍ତି। ଅନେକ ଯାତ୍ରୀ ସବୁ ଦିନ ସକାଳେ ଗାଡ଼ି ରଖି ନିକଟସ୍ଥ ଅଞ୍ଚଳକୁ ଚାକିରି ପାଇଁ ଯାଆନ୍ତି ଓ ସନ୍ଧ୍ୟାରେ ଆସି ଗାଡ଼ି ନେଇଥାନ୍ତି। ଏହି ପାର୍କିଂ ସ୍ଥାନରେ ୩ ମାସରୁ ଅଧିକ ସମୟ ଧରି ଗାଡ଼ି ରହିଲେ ନିଲାମ୍ କରିଦେବାର ବ୍ୟବସ୍ଥା ମଧ୍ୟ ରହିଛି। ମୁଖ୍ୟ କଥା ହେଉଛି, କରୋନା ମହାମାରୀ ସମୟରେ ମାଲିକମାନେ ଶହ ଶହ ଗାଡ଼ି ପାର୍କିଂ କରି ନିଜ ନିଜ ସ୍ଥାନକୁ ଯାଇଛନ୍ତି। ଏହି ଗାଡ଼ିଗୁଡ଼ିକ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଦ୍ରପ୍ରଦେଶ, ଗୁଜୁରାଟ ଆଦି ରାଜ୍ୟର ଆରଟିଓ ରେଜିଷ୍ଟ୍ରେସନ୍ ହୋଇଥିବାର ଦେଖିବାକୁ ମିଳିଛି। ଅନେକ ଗାଡ଼ିର ନମ୍ବର ପ୍ଲେଟ୍ ମଧ୍ୟ ନାହିଁ। ପାର୍କିଂ ସ୍ଥାନରେ ଯେତେବେଳେ ଗାଡ଼ି ମାଲିକ ପାର୍କିଂ କରନ୍ତି ସେହି ସମୟରେ କେବଳ ଗାଡ଼ି ନମ୍ବର ଓ ସମୟ ପଞ୍ଜୀକୃତର ବିଲ୍ ମିଳିଥାଏ।

ସହି ବିଲରେ ଗାଡ଼ି ମାଲିକ ଓ ଠିକଣା ବାବଦରେ କୌଣସି ସୂଚନା ଲେଖା ଯାଉନାହିଁ। କୌଣସି ଗାଡ଼ି ମାଲିକଙ୍କ ଠିକଣା ରହୁନଥିବାରୁ ସେମାନଙ୍କ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହେଉନି। ପ୍ରାୟ ୩ବର୍ଷ ହେବ ବହୁ ମୂଲ୍ୟବାନ୍ ଗାଡ଼ି ପାର୍କିଂ ଷ୍ଟାଣ୍ଡରେ ପଡ଼ି ଖତ ଖାଉଛି। ଅନେକ ଗାଡ଼ି ପାର୍କିଂ ମୂଲ୍ୟ ୫ ହଜାରରୁ ଅଧିକ ଟଙ୍କା ଟପିଲାଣି। ଗାଡ଼ି ପାର୍କିଂ ଷ୍ଟାଣ୍ଡର ଜଣେ କାର୍ଯ୍ୟରତ କର୍ମଚାରୀ କହିଲେ, ୫୦୦ରୁ ଅଧିକ ଗାଡ଼ି କରୋନା ମହାମାରୀ ସମୟରେ ପାର୍କିଂ ହୋଇଥିଲା। ପ୍ରାୟ ଏକ ବର୍ଷ ହେବ କରୋନାର ପ୍ରଭାବ କମିବା ପରେ ମାଲିକମାନେ ଗାଡ଼ି ନେଲେ। କିନ୍ତୁ ଅନେକ ମାଲିକ ଆଜି ପର୍ଯ୍ୟନ୍ତ ଗାଡ଼ି ନେବା ପାଇଁ ଆସୁନାହାନ୍ତି। ସାଇକେଲ ଓ ବାଇକ ୧୦୦ରୁ ଅଧିକ ଗାଡ଼ି ଖରା ବର୍ଷାରେ ଖତ ଖାଉଛି। ଏହି ଗାଡ଼ିର ମାଲିକ କିଏ ଓ କାହିଁକି ଗାଡ଼ି ନେଉନାହାନ୍ତି ତାହା ଏବେ ଅସ୍ପଷ୍ଟ ରହିଛି।