ଭବାନୀପାଟଣା/ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ଚହକା ଗାଁର ଜନୈକା ମହିଳା ଜେମା ସା’ (୩୮ବର୍ଷ) ଶତାଧିକ ମହିଳାଙ୍କୁ ଢାଲ କରି ଅଢ଼େଇ କୋଟିରୁ ଅଧିକ ଋଣ ଟଙ୍କା ଉଠାଇ ମୁମ୍ବାଇକୁ ଫେରାର ହୋଇଛନ୍ତି। ମହିଳାମାନେ ଋଣ ନଶୁଝିବାରୁ ଫାଇନାନ୍ସ କମ୍ପାନିର ଜୁଲମ ଦେଖିବାକୁ ମିଳିଛି। ଏହି କମ୍ପାନିର କର୍ମଚାରୀମାନେ ଘରକୁ ଘର ଯାଇ ମହିଳାମାନଙ୍କୁ ଧମକ ଚମକ ଦେଉଛନ୍ତି। ଶତାଧିକ ମହିଳାଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଗଡୁଛି। ଜେମା ସା’ ଫେରାର ପରେ ମହିଳାମାନଙ୍କୁ ଟଙ୍କା ଶୁଝିବା ପାଇଁ କମ୍ପାନିମାନେ ହଇରାଣ କରୁଛନ୍ତି। ଜେମାଙ୍କ ସ୍ୱାମୀ ବିରଞ୍ଚି ମୁମ୍ବାଇରେ ରହି ଅନେକ ବର୍ଷ ହେବ ମିସ୍ତ୍ରି କାମ କରି ଆସୁଥିବା ବେଳେ ଜେମା ମଧ୍ୟ ସ୍ୱାମୀ ପାଖକୁ ମୁମ୍ବାଇ ପଳାଇ ଯାଇଛନ୍ତି।

Advertisment

ଫାଇନାନ୍ସ କମ୍ପାନିର ଜୁଲମ୍‌ ଦେଖି ଦୁଶ୍ଚିନ୍ତାରେ ଥିବା ମା’ର ମୃତ୍ୟୁ
ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ ପୁଲିସର ତନାଘନା

ଏହି ଗ୍ରାମର ଭୂମି ମାଝୀ ମଧ୍ୟ ଜେମାଙ୍କୁ ଦେଢ଼ଲକ୍ଷ ଟଙ୍କା ଋଣ ଉଠାଣ କରି ଦେଇଛନ୍ତି। ଭୂମିଙ୍କୁ ଦେଖିବା ପାଇଁ ତାଙ୍କ ମା’ ପଦ୍ମା ମାଝୀ ଚହକା ଗ୍ରାମକୁ ଆସିଥିଲେ। ଫାଇନାନ୍ସ କମ୍ପାନିର ଜୁଲମ ଦେଖି ଚିନ୍ତାରେ ଝିଅ ଘରେ ହିଁ ମୃତ୍ୟୁ ହୋଇଯାଇଛି। ସେହିଭଳି ଋଣ ବୋଝ ଶୁଝି ନପାରି ୧୦ଟି ପରିବାର କୁଆଡ଼େ ପ‌‌ଳେଇଛନ୍ତି। କମ୍ପାନିର ଜୁଲମ ଏଭଳି ବଢ଼ିଯାଇଛି ଯେ, ମହିଳାମାନେ ଟଙ୍କା ନଦେଲେ ଘରେ ଥିବା ଛେଳି, କୁକୁଡ଼ା ଏବଂ ଅନ୍ୟ କୌଣସି ଜିନିଷପତ୍ର ଜୋର ଜୁଲମ ନେଇଛନ୍ତି। ଆଜି ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଗ୍ରାମବାସୀ ଅଭିଯୋଗ କରିବା ପରେ ଅଧ୍ୟକ୍ଷ ସଙ୍ଗେ ସଙ୍ଗେ ହସ୍ତକ୍ଷେପ କରି କଳାହାଣ୍ଡି ପୁଲିସ ସହିତ ଯୋଗାଯୋଗ କରି ଫେରାର ଥିବା ମହିଳାଙ୍କୁ ଧରିବାକୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପୁଲିସକୁ ଧରି ଚହକା ଗାଁକୁ ଆସି ଲୋକଙ୍କୁ ବୈଠକ ମାଧ୍ୟମରେ ସାନ୍ତ୍ବନା ଦେଇଥିଲେ। ଏହି ଘଟଣା ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ମାମଲା ରୁଜୁ ହୋଇ ନଥିଲା।