ପୁରୀ: ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ଯୋଗୁ ମଙ୍ଗଳା ମୁହାଣ, ସିପସରୁବାଲି ମୌଜା ଓ ଆଖପାଖ ଅଞ୍ଚଳ ଖିନ୍ଭିନ୍ ହେବାରେ ଲାଗିଛି। ଏହି ଅଞ୍ଚଳରେ ସମୁଦ୍ରକୁ ଲାଗି ରହିଥିବା ଶହଶହ ବର୍ଷର ‘ବାଲିବନ୍ତ’ ସବୁକୁ ବାଲିମାଫିଆମାନେ ତାଡ଼ି ବାଲି ଚୋରି କରିନେବା ପରେ ଏଠାରେ ଏକାଧିକ ବିରାଟ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଛି। ତୁରନ୍ତ ଏହା ଉପରେ ଅଙ୍କୁଶ ନ ଲାଗିଲେ ସମୁଦ୍ରର ଉଚ୍ଚ ଜୁଆର ଏବଂ ଫନି ଭଳି ପ୍ରଳୟଙ୍କରୀ ବାତ୍ୟା ସବୁକିଛି ଧ୍ବସ୍ତବିଧ୍ବସ୍ତ କରିଦେବ। ନିଶ୍ଚିହ୍ନ ହୋଇଯିବ ଜନବସତି। ଏଭଳି କିଛି ଆଶଙ୍କା ସୃଷ୍ଟି କଲାଣି ମଙ୍ଗଳା ମୁହାଣ ଓ ଆଖପାଖ ଅଞ୍ଚଳର ସ୍ଥିତି। ତଥାପି ବ୍ରହ୍ମଗିରି ତହସିଲ ଅଧୀନରେ ଆସୁଥିବା ଏହି ଅଞ୍ଚଳରୁ ବାଲି ଚୋରି ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ବଡ଼ କଥା ହେଉଛି, ଏହି ଅଞ୍ଚଳରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜମି ଚିହ୍ନଟ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ତଥାପି କିଛି ସରକାରୀ ଅଧିକାରୀ-ବାଲିମାଫିଆଙ୍କ ମଧୁଚନ୍ଦ୍ରିକାରେ ଏଠାରୁ ରୀତିମତ ବାଲି ଚୋରି ହେଉଛି।
ବିପଦରେ ଶ୍ରୀକ୍ଷେତ୍ରର ସୁରକ୍ଷା ପ୍ରାଚୀର
ମୁହାଣକୁ ତାଡ଼ି ପୋଖରୀ କରିସାରିଲେଣି
ମଙ୍ଗଳା ମୁହାଣରେ ମଙ୍ଗଳା ନଈ ଓ ସମୁଦ୍ରର ମିଳନ ଘଟିଛି। ବର୍ଷା ଦିନରେ ଶ୍ରୀକ୍ଷେତ୍ର ଓ ଆଖପାଖ ଅଞ୍ଚଳର ବନ୍ୟାଜଳ ଏହି ବାଟ ଦେଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ଏହି ମୁହାଣ ଶ୍ରୀକ୍ଷେତ୍ର ଓ ଏହାର ସହରତଳି ଅଞ୍ଚଳ ପାଇଁ ବେଶ୍ ଗୁରୁତ୍ବ ବହନ କରୁଛି। ମୁହାଣ ପାର୍ଶ୍ବରେ ବହୁ ପୁରୁଣା ‘ବାଲିବନ୍ତ’ ସବୁ ରହିଥିଲା। ପ୍ରକୃତିର ଏହି ବିରଳ ସୃଷ୍ଟି ସମୁଦ୍ରର ଉତ୍ତାଳ ଜୁଆରକୁ ଅଟକାଇବା ସହ ପ୍ରଳୟଙ୍କରୀ ବାତ୍ୟା ସମୟରେ ଶ୍ରୀକ୍ଷେତ୍ର ଓ ଆଖପାଖ ଅଞ୍ଚଳର ସୁରକ୍ଷା ପ୍ରାଚୀର ସାଜିଥିଲା। କିନ୍ତୁ ସିପସରୁବାଲି ମୌଜା ଶ୍ମଶାନ ନିକଟ ଅଞ୍ଚଳ, ଗିରଳ ରାସ୍ତା ଓ ଆଖପାଖ ଅଞ୍ଚଳରେ ଥିବା ଜଙ୍ଗଲରୁ ଅବାଧ ବାଲି ଚୋରି ଚାଲିଛି। ଏହି ଅଞ୍ଚଳରେ ଯେଉଁ ବାଲିବନ୍ତ ସମୁଦ୍ରକୂଳକୁ ଲାଗି ରହିଥିଲା, ସେ ସବୁ ନିଶ୍ଚିହ୍ନ ହୋଇଗଲାଣି। ବାଲିବନ୍ତ ଜାଗାରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। କେଉଁଠି ୬୦ ଫୁଟ ତ କେଉଁଠି ୮୦ ଫୁଟ ଗର୍ତ୍ତ। ଆକାର ଦେଖିଲେ କେଉଁଠି ପ୍ରାୟ ଶହେ ଫୁଟ ଚଉଡ଼ାରେ ବାଲିକୁ ତାଡ଼ି ନିଆଯାଇଛି ତ କେଉଁଠି ଏହାଠାରୁ ଅଧିକ। ମଙ୍ଗଳା ମୁହାଣ ଓ ଗିରଳ ଜଙ୍ଗଲ ସହ ଆଖପାଖ ଅଞ୍ଚଳର ୫୦ରୁ ଅଧିକ ବାଲିବନ୍ତକୁ ମାଫିଆମାନେ ତାଡ଼ି ବାଲି ଚୋରି କରି ନେଇଗଲେଣି। ବାଲି ମାଫିଆଙ୍କ ଦୌରାତ୍ମ୍ୟ ଏତେ ଯେ ସ୍ଥାନୀୟ ଲୋକେ ମୁହଁ ଖୋଲିବାକୁ ଡରୁଛନ୍ତି। ବ୍ରହ୍ମଗିରି ତହସିଲଦାର ଶଶିଭୂଷଣ ମିଶ୍ର କହିଛନ୍ତି, ମୋ ପାଖରେ ଏ ସଂପର୍କିତ କୌଣସି ଅଭିଯୋଗ ପହଞ୍ଚିନି। ଏହାର ଅନୁସନ୍ଧାନ କରାଯିବ। ସେପଟେ କର୍ମଚାରୀ ଅଭାବ କାରଣରୁ ଖଣି ବିଭାଗ ଏ ନେଇ ନିଜ ଅସହାୟତା ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/02/37Js5E3LrpUIKP4xNnlD.jpg)