ଅନାହାରରେ ଆଖିବୁଜିଲେ ବାବାଜି

ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କଲେନି

୫୦ କେଜି ଚାଉଳ, ୨ ହଜାର ଟଙ୍କା ଦେଇ କାମ ସାରିଲା ପଞ୍ଚାୟତ

ରାଜନଗର : ଭୋକରେ କାହାକୁ ମରିବାକୁ ଦିଆଯିବନି ବୋଲି ସରକାର ନାରା ଦେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତର ବାବାଜି ମଲ୍ଲିକଙ୍କ କ୍ଷେତ୍ରରେ ତାହା ବ୍ୟତିକ୍ରମ ହୋଇଛି। ଅନାହାରରେ ଆଉଟୁପାଉଟୁ ହୋଇ ଶେଷରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ବାବାଜି ମଲ୍ଲିକ। ଦିନେ କି ଦି’ଦିନ ନୁହେଁ ଦୀର୍ଘ ୮ ଦିନ ହେଲା ଛଟପଟ ହେଉଥିବା ବେଳେ ଗତକାଲି ଅବସ୍ଥା ଉଦ୍‌ବେଗଜନକ ହୋଇପଡ଼ିଥିଲା। ଗାଁ ଲୋକେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ। ମାତ୍ର ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ପୁଣି ଥରେ ସରକାରଙ୍କ ପାରିବାପଣିଆ ପଦାରେ ପଡ଼ିଛି। ଅନ୍ୟପଟେ ଏବେ ଦୋଷ ଘୋଡ଼ାଇବାକୁ ଯାଇ ପଞ୍ଚାୟତ ପକ୍ଷରୁ ସରପଞ୍ଚଙ୍କ ପ୍ରତିନିଧି ମୃତ ବାବାଜିଙ୍କ ପରିବାରକୁ ୫୦ କିଗ୍ରା ଚାଉଳ ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଧରାଇ ଦେଇ ଚୁପ୍‌ ହୋଇଯାଇଛି। ଘଟିଥିବା ଏହି ଦୁଃଖଦ ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଗଭୀର ଆଲୋଡ଼ନ ସୃଷ୍ଟିି ହୋଇଛି।

କୋଇଲିପୁର ପଞ୍ଚାୟତ ଅଧୀନ ଗାଁକାଳୁପଡ଼ା ଗ୍ରାମର ବାବାଜୀଙ୍କୁ ଜଣ୍ଡିସ୍‌ ହୋଇଥିଲା। ବିଛଣାରେ ପଡ଼ି ରହିଥିଲେ ସେ । ଆର୍ଥକ ଅନଟନରୁ ଚିକିତ୍ସା ପାଇଁ ଯାଇପାରି ନ ଥିଲେ। ପରିବାରର ମୁଖ୍ୟ ବିଛଣାରେ ପଡ଼ିି ରହିବା ପରେ ପରିବାରର ୫ ପ୍ରାଣୀ କୁଟୁମ୍ବ ଅନାହାରରେ। ଦୁଇଦିନ ଧରି ପରିବାର ସଦସ୍ୟଙ୍କ ସହ ବାବାଜି ଉପାସରେ ରହିଥିଲେ। ଗାଁର ଯୁବକମାନେ ଚାନ୍ଦା କରି ସହାୟତା ଦେବା ପରେ ଘରେ ଗଲାକାଲି ଚୁଲି ଜଳିଥିଲା। ମାତ୍ର ଅନାହାର ଓ ଜଣ୍ଡିସ୍‌ ଆକ୍ରାନ୍ତ ଯୋଗୁଁ ବାବାଜିଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ଗତକାଲି ଗ୍ରାମବାସୀ ବାବାଜିଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବାବାଜୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋର୍‌ରୁ ମରଶରୀର ଗାଁରେ ପହଞ୍ଚିିଥିଲା। ବାବାଜୀଙ୍କ ପରିବାରକୁ କୋଇଲିପୁର ସରପଞ୍ଚଙ୍କ ପ୍ରତିନିଧି ଭେଟି ୫୦ କେଜି ଚାଉଳ ସହିତ ୨ ହଜାର ଟଙ୍କା ଦେଇ ଶବ ସତ୍କାର ପାଇଁ ବ୍ୟବସ୍ଥା କରିଥିଲେ। ବାବାଜିଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ପତ୍ନୀ ଗାଁ ଦାଣ୍ଡରେ ଗଡ଼ି କାନ୍ଦିବାର ଦୃଶ୍ୟ ହୃଦୟ ବିଦାରକ ପରିସ୍ଥିତି ସୃଷ୍ଟି କରିଛି। ବାପାଙ୍କ ମୃତ୍ୟୁ ପରେ ୧୪ ବର୍ଷର ଝିଅ, ୫ ବର୍ଷର ଦିବ୍ୟାଙ୍ଗ ପୁଅ ଓ ଦେଢମାସର ଶିଶୁ ପୁତ୍ର ଏକପ୍ରକାର ମୂକ ପାଲଟି ଯାଇଛନ୍ତି।

ବାବାଜି ରାସ୍ତା କଡ଼ରେ ଚାଳ ଛପର କରି ରହୁଥିଲେ। ଦୁଇବର୍ଷ ହେଲା, ଘରର ଛପର ହୋଇପାରିନାହିଁ। ଛିଣ୍ଡା ପଲିଥିନ୍‌ ଛପର ଉପରେ ପକାଇ ଫୁଟା ଘରେ ପଡି ରହିଛନ୍ତିି। ପତ୍ନୀଙ୍କ କହିବାନୁଯାୟୀ, ହେଲା, ସେ ରାସନକାର୍ଡ ପାଇଁ ଆବେଦନ କରିଥିଲେ। ତାଙ୍କୁ ଆଜିଯାଏଁ ତାହା ମିଳି ପାରିନାହିଁ। ସରପଞ୍ଚଙ୍କ ପ୍ରତିନିଧିଙ୍କ କହିବା କଥା ହେଲା, ୫ ମାସ ତଳେ ପଞ୍ଚାୟତର ୪୧ଜଣଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରିବା ପାଇଁ ଏକ ତାଲିକା ବ୍ଲକ ପ୍ରଶାସନକୁ ଦିଆଯାଇଛି। ସେଥିରେ ବାବାଜିଙ୍କ ନାଁ ଥିଲା। ସେହି ୪୧ ଜଣିଆ ତାଲିକାରୁ ୧୦/୧୨ ଜଣଙ୍କୁ ଅନ୍ତୋଦୟ କାର୍ଡ ଯୋଗାଇ ଦିଆଯାଇଛି। ତେବେ ବାବାଜୀଙ୍କୁ କାହିଁକି ଯୋଜନାରୁ ବାଦ୍‌ ଦିଆଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ ଆଧାରରେ ବ୍ଲକ ପ୍ରଶାସନ, ଯୋଗାଣ ବିଭାଗ, ବାବାଜିଙ୍କ ନାଁକୁ ଅନ୍ତ୍ୟୋଦୟ ତାଲିକାରୁ ବାଦ୍‌ ଦେଲା, କେଉଁ ଅଧିକାରୀ ତଦନ୍ତ କରି ୧୨ ଜଣଙ୍କୁ କାର୍ଡ ଦେଲେ ଓ ବାବାଜିଙ୍କୁ ବାଦ୍‌ ଦେଇଦେଲେ, ତାହା ଲୋକଲୋଚନକୁ ଅଣାଯିବା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଏ ସମ୍ପର୍କରେ ଯୋଗାଣ ଅଧିକାରୀ ପ୍ରଭଞ୍ଜନ ସାହୁ କହିଛନ୍ତି, ବାବାଜି ରାସନକାର୍ଡ କିମ୍ବା ଅନ୍ତ୍ୟୋଦୟ ପାଇଁ ଆବେଦନ କରିଥିବା ବିଷୟରେ ସେ ଜାଣି ନାହାନ୍ତି। ପଞ୍ଚାୟତ ପକ୍ଷରୁ ଅନ୍ତ୍ୟୋଦୟ ତାଲିକା ଦିଆଯାଇଥିବା କଥା ମଧ୍ୟ ସେ ଜାଣି ନାହାନ୍ତି। ଯଦି ବାବାଜିଙ୍କ ପରିବାର ଅନାହାରରେ ଥିଲା, ସରପଞ୍ଚ ୧୦ ଦିନ ପାଇଁ ଖାଦ୍ୟ ଦେବା କଥା ବୋଲି ସେ ପାଲଟା ଯୁକ୍ତି ବାଢ଼ିଛନ୍ତିି।

ସମ୍ବନ୍ଧିତ ଖବର