ଖରସ୍ରୋତା ଓ ଭିତରକନିକା ସୁରକ୍ଷା ପାଇଁ ଅନଶନ ଘଟଣା: ରାତିରେ ଏସ୍‌ସିବିକୁ ଟେକି ଆଣିଲେ, ବେଡ଼ ଦେଲେନି

୧୦ ଘଣ୍ଟା ଗଛ ମୂଳରେ ପଡ଼ିରହିଲେ ଅନଶନକାରୀ

କଟକ: ଖରସ୍ରୋତା ଆନ୍ଦୋଳନ ଓ ଭିତରକନିକା ସୁରକ୍ଷାକୁ ପ୍ରସଙ୍ଗକୁ ନେଇ ୧୭ଦିନ ହେଲା ଆମରଣ ଅନଶନ ଚଳାଇଥିବା ପରିବେଶବିତ୍‌ ଶ୍ରୀକାନ୍ତ ନାୟକଙ୍କୁ ନେଇ ଏସସିବି ବଡ଼ ମେଡିକାଲରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ ତରବରିଆଭାବେ ଗୁରୁତର ଦର୍ଶାଇ ଏସ୍‌ସିବିକୁ ପ୍ରଶାସନ ଟେକି ଆଣିଲ ସତ କିନ୍ତୁ ମେଡିସିନ୍‌ ବିଭାଗରେ ତାଙ୍କ ପାଇଁ ବେଡ୍‌ ଖଣ୍ଡିଏ ଯୋଗାଇ ପାରିଲା ନାହିଁ। ୱାର୍ଡର ତଳେ ଶୋଇବାକୁ ତାଙ୍କୁ କୁହାଗଲା। ଏଭଳି ସ୍ଥିତିରେ ଶ୍ରୀକାନ୍ତ ୱାର୍ଡ ବାହାରେ ଗଛମୂଳରେ ଏକ ବେଡରେ ରାତିତମାମ ଶୋଇ ରହିଲେ। ଆଜି ଦିନ ୧୧ଟା ପର୍ଯ୍ୟନ୍ତ ଶ୍ରୀକାନ୍ତ ସେହିଭଳି ୱାର୍ଡ ବାହାରେ ଶୋଇ ରହିଥିବାବେଳେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଏ ଖବର ଚାରି ଆଡ଼େ ବ୍ୟାପି ଯିବାପରେ ଅନେକ ସାମାଜିକ କର୍ମୀ ସେଠାରେ ପହଞ୍ଚି ପ୍ରତିବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଖରସ୍ରୋତା ପ୍ରକଳ୍ପ ବିରୋଧରେ ଗଲା ୧୭ଦିନ ହେଲା ଶ୍ରୀକାନ୍ତ ଅନଶନ କରୁଛନ୍ତି। ପ୍ରଥମ ୬ଦିନ ସେ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ଗାନ୍ଧୀ ମୂର୍ତ୍ତି ପାଖରେ ଅନଶନ କରିଥିଲେ। ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟୁଥିବା ଦର୍ଶାଇ ପ୍ରଶାସନ ୬ଷ୍ଠ ଦିନ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଏହାଭିତରେ ଆଉ ୧୦ଦିନ ବିତିଥିବା ବେଳେ ଦେଶର ‘ଜଳ ମାନବ’ ଆଖ୍ୟା ପାଇଥିବା ରାଜେନ୍ଦ୍ର ସିଂଙ୍କ ସମେତ ବହୁ ରାଜ୍ୟସ୍ତରୀୟ ନେତା ତାଙ୍କୁ ଭେଟି ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇଥିଲେ। ଏପରିକି ଗତକାଲି ରାଜ୍ୟ ଖଦି ବୋର୍ଡର ପୂର୍ବତନ ସଭାପତି ତେଜେଶ୍ବର ପରିଡ଼ା ଶ୍ରୀକାନ୍ତଙ୍କୁ ଭେଟିଥିଲେ।

ଏଭଳି ସ୍ଥିତିରେ ଅଚାନକ ଗତକାଲି ରାତି ୧୦ଟା ବେଳେ ଶ୍ରୀକାନ୍ତଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ଅଚାନକ ଏଭଳି ସ୍ଥାନାନ୍ତରକୁ ନେଇ ଶ୍ରୀକାନ୍ତ ସନ୍ଦେହ କରିବା ସହ ତାଙ୍କୁ ମାରିଦେବା ପାଇଁ ସରକାର ଓ ପ୍ରଶାସନ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ। କଟକ ଆଣିବା ପଛରେ କ’ଣ କାରଣ ରହିଛି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏସ୍‌ସିବିରେ ତାଙ୍କୁ ପ୍ରଥମେ କାଜୁଆଲିଟିକୁ ନିଆଯାଇଥିଲା ଓ ସେଠାରୁ ତାଙ୍କୁ ମେଡିସିନ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ବେଡ଼୍‌ ଖଣ୍ଡିଏ ରାତିରେ ମିଳି ନଥିଲା। ତାଙ୍କୁ ଚଟାଣରେ ଶୋଇବା ପାଇଁ କୁହାଯାଇଥିଲା। ତଳେ ମଧ୍ୟ ଏତେ ରୋଗୀ ଭର୍ତ୍ତି ଥିଲେ ଯେ, ସେଠାରେ ମଧ୍ୟ ସ୍ଥାନାଭାବ ଥିବାରୁ ଶେଷରେ ସେ ୱାର୍ଡ ବାହାରେ ଗଛମୂଳରେ ଥିବା ପିଣ୍ଡିରେ ଆଜି ଦିନ ୧୧ଟା ପର୍ଯ୍ୟନ୍ତ ଶୋଇ ରହିଥିଲେ।

ଏଭଳି ଘଟଣା ସଂପର୍କରେ ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ଯେ ଏସ୍‌ସିବିରେ ରୋଗୀ ସଂଖ୍ୟା ବଢୁଛି। ୨୫୦୦ ବେଡ୍‌ ଥିବା ବେଳେ ଦୁଇ ଗୁଣା ରୋଗୀ ଚିକିତ୍ସିତ ହେଉଛନ୍ତି। ତାରି ଭିତରେ ସବୁ ବ୍ୟବସ୍ଥା କରାଯାଉଛି। କିନ୍ତୁ ଶ୍ରୀକାନ୍ତଙ୍କୁ ବେଡ୍‌ ଦିଆଯାଇଥିଲା ୱାର୍ଡରେ ଗହଳି ପାଇଁ ସେ ନିଜେ ବାହାରକୁ ପଳେଇ ଆସିଥିଲେ। ଏ ଘଟଣା ଜାଣିବା ପରେ ତାଙ୍କ ପାଇଁ ଆଇସିୟୁର ବ୍ୟବସ୍ଥା କରାଯାଇଥିଲା ବୋଲି ଡାକ୍ତର ମହାରଣା କହିଛନ୍ତି। କିନ୍ତୁ ୱାର୍ଡ ବାହାରେ ୧୦/୧୧ ଘଣ୍ଟା କାଳ ଗଛମୂଳେ ଶ୍ରୀକାନ୍ତ ଶୋଇ ଥିବା ବେଳେ କର୍ତ୍ତୃପକ୍ଷ ଏ ଖବର ପାଇବାକୁ କଣ ଏତେ ସମୟ ଲାଗିଗଲା ବୋଲି ଅନେକ ସାମାଜିକ କର୍ମୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର