ରାଜନଗର : ୮ ଦିନ ହେଲା ବିଛଣାରେ ପଡ଼ିରହିଛନ୍ତି ପରିବାରର ମୁଖ୍ୟ। ରୋଗ ଯନ୍ତ୍ରଣାରେ ଆଉଟୁପାଉଟୁ ହେଉଛନ୍ତି। ଏହାର ପ୍ରଭାବରେ ଦୁଇଦିନ ଧରି ପାଞ୍ଚପ୍ରାଣୀ କୁଟୁମ୍ବ ଉପବାସରେ ଅଛନ୍ତି। ଏକଥା ଜାଣିବା ପରେ ଗାଁର ଯୁବକମାନେ ଯାହାକିଛି ସହାୟତା କରିଛନ୍ତି, ସେଇଥିରେ ଆଜି ତାଙ୍କର ଚୁଲି ଜଳିଛି। ଆଗକୁ ଚୁଲି ଜଳିବ କି ନାହିଁ, ତାହାକୁ ନେଇ ଅନିଶ୍ଚିତତାରେ ଅଛନ୍ତି ସମସ୍ତେ। ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଲେ ଗୋଟିଏ ଦରିଦ୍ର ପରିବାରର ଅବସ୍ଥା କିଭଳି ପରିସ୍ଥିତିର ସାମ୍ନା କରିଥାଏ, ଏହା ହେଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ।
ଏହି ପରିବାରର ମୁଖିଆ ହେଉଛନ୍ତି ବାବାଜୀ ବିଶ୍ୱାଳ (୪୦ବର୍ଷ)। ଘର କେନ୍ଦ୍ରାପଡା ଜିଲ୍ଲା କୋଇଲିପୁର ପଞ୍ଚାୟତ ଅନ୍ତର୍ଗତ ଗାଁକାଳୁପଡ଼ା। ପରିବାର କହିଲେ ସ୍ତ୍ରୀ, ଦୁଇ ଝିଅ, ଗୋଟିଏ ପୁଅ। ଜମି ବାଡି କିଛି ନାହିଁ। ରାସ୍ତା କଡରେ ଚାଳଛପର ଘରେ ପଡିରହିଛନ୍ତି । ୨ ବର୍ଷ ହେଲା ଘର ଛପର କରିପାରିନାହାନ୍ତି। ବର୍ଷାଦିନ ଦୂରର କଥା, ଶୀତର ଶିଶିର ବିନ୍ଦୁ ଘର ମଧ୍ୟକୁ ଗଳୁଛି। ଏପରି ଅବସ୍ଥାରେ ରହୁଛନ୍ତି ବାବାଜୀଙ୍କ ପରିବାର।
ବାବାଜୀ ମାଛ ଧରି ବିକ୍ରି କଲେ ପରିବାରର ଚୁଲି ଜଳେ। ଯେଉଁଦିନ ମାଛ ଧରିବାକୁ ଯାଇ ହୁଏନି, କିମ୍ବା ଜାଲରେ ମାଛ ପଡେନି ପରିବାର ଲୋକେ ଭୋକ ଉପବାସରେ ରୁହନ୍ତି। ୮ ଦିନ ହେଲା ବାବାଜୀ ରୋଗଶଯ୍ୟାରେ ପଡିଛନ୍ତି। ତାଙ୍କୁ ଜଣ୍ଡିସ୍ ହୋଇଥିବା ବେଳେ ତାଙ୍କର ଗୋଡ, ହାତ, ମୁହଁ, ଆଖି ସବୁ ହଳଦିଆ ପଡିଗଲାଣି। ୮ ଦିନ ହେଲା ଉଠି ବସି ପାରୁନଥିବାରୁ ଘରେ ପଡି ରହିଥିଲେ। ଆର୍ଥକ ସମସ୍ୟା ଯୋଗୁଁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇପାରୁନଥିଲେ। ଆଜି ଅବସ୍ଥା ଗୁରୁତର ହୋଇପଡିବାରୁ ସଂଧ୍ୟାରେ ଗ୍ରାମବାସୀମାନେ ତାଙ୍କୁ କଟକ ବଡମେଡିକାଲ୍କୁ ଚିକିତ୍ସା ପାଇଁ ନେଇଛନ୍ତି। ଏପରି ଅବସ୍ଥାରେ ବାବାଜୀଙ୍କ ପରିବାର ସଦସ୍ୟ ଉପବାସରେ ରହୁଛନ୍ତି। ୨ ଦିନ ଧରି ପରିବାର ସଦସ୍ୟ ଉପବାସରେ ରହିବା ପରେ ଗାଁ ଯୁବକଙ୍କ ସାହାଯ୍ୟରୁ ଘରେ ଚୁଲି ଜଳିଛି।
ଖାଦ୍ୟ ସୁରକ୍ଷା ଆଇନ୍ରେ ସାମିଲ୍ ନ ହୋଇଥିବା ଗୋଟିଏ ଦରିଦ୍ର ପରିବାରର ଅବସ୍ଥା କିଭଳି ହୋଇଥାଏ, ଏହା ହେଉଛି ଏକ ଜ୍ୱଳନ୍ତ ଉଦାହରଣ। ବାବାଜୀଙ୍କ ପତ୍ନୀ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସରକାର ମୁଣ୍ଡ ପିଛା ୫ କେ.ଜି. ଚାଉଳ/ଗହମ ଯୋଗାଇ ଦେଉଛନ୍ତି। ବାବାଜୀ ରାସନକାର୍ଡ ପାଇଁ ଥରେ ନୁହେଁ, ପାଞ୍ଚ ପାଞ୍ଚ ଥର ଆବେଦନ କରିଛନ୍ତି। ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଯାଏଁ ସବୁଠି ଆବେଦନ କରିଛନ୍ତି। ମାତ୍ର ଆଜିଯାଏଁ ବାବାଜୀଙ୍କ ପରିବାରକୁ ବ୍ଲକ ପ୍ରଶାସନ ରାସନକାର୍ଡ ଯୋଗାଇବାରେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ, ବାବାଜୀଙ୍କ ପରିବାର ମୋ ପାଖରେ ଆବେଦନ କରିନାହାନ୍ତ। ଯଦି ବା କରିଥିବେ ସେ ଜାଣନ୍ତିନି ବୋଲି କହିଛନ୍ତି ରାଜନଗର ଯୋଗାଣ ଅଧିକାରୀ ପ୍ରଭଂଜନ ସାହୁ।
ତେବେ, ଦେଖିବାକୁ ବାକି ରହିଲା ବାବାଜୀ କେବେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏବଂ, ସେହି ସମୟରେ ତାଙ୍କ ପରିବାର କିଭଳି କାଳାତିପାତ କରୁଛନ୍ତି। ସରକାରୀ ସହାୟତା ମିଳୁଛି କି ନାହିଁ, ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/rajnagar-babaji-ra-paribar.jpg)