ଭୋକରେ ଛଟପଟ ପ୍ରବାସୀ: ରାଜପଥ ଅବରୋଧ କଲେ, ପ୍ରଶାସନ ନାକେଦମ

ଭଦ୍ରକ: ଭୋକ ପାଇଁ ଯାଇଥିଲେ, ଭୋକ ପାଇଁ ବି ଫେରିଆସିଥିଲେ। ହେଲେ ଏଠାରେ ପୁଣି ଭୋକରେ ରହିବାକୁ ପଡ଼ିବାରୁ ପ୍ରତିବାଦ କରିଛନ୍ତି ଶହଶହ ପ୍ରବାସୀ। ପ୍ରଶାସନର ଦାୟିତ୍ବହୀନତାର ପ୍ରତିବାଦ କରି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଘଣ୍ଟା ଘଣ୍ଟା ଧରି ଆଜି ଭଦ୍ରକ ସାଳନ୍ଦୀ ବ୍ରିଜ ଉପରେ ବିରୋଧ ପ୍ରଦର୍ଶନ କରିଥିଲେ ଶତାଧିକ ପ୍ରବାସୀ। ରାସ୍ତାର ଉଭୟ ପଟେ ୧୫/୨୦ କିଲୋମିଟର ପର୍ଯ୍ୟନ୍ତ ମାଲବାହୀ ଟ୍ରକ୍ ଅଟକି ରହିଥିଲେ। ଏତେ ସଂଖ୍ୟାରେ ଲୋକଙ୍କୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ନାକେଦମ ହୋଇଯାଇଥିଲେ। ଭୋକ ବିକଳରେ ଲୋକେ ଏଠି ସେଠି ପଶିଯାଉଥିବାରୁ ସ୍ଥାନୀୟ ଲୋକେ, ଦୋକାନୀ ଆତଙ୍କିତ ହୋଇପଡ଼ିଥିଲେ।

ଗତକାଲି ରାତିରେ ୫ଟି ସ୍ବତନ୍ତ୍ର ଟ୍ରେନରେ ୪ହଜାର ୮୩୭ ପ୍ରବାସୀ ଚରମ୍ପା ଷ୍ଟେସନରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ବରଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ବଲାଙ୍ଗିର ଆଦି ଅଞ୍ଚଳର ପ୍ରବାସୀ ମଧ୍ୟ ଓହ୍ଲାଇଥିଲେ। ସେମାନଙ୍କୁ ଭଦ୍ରକ କଲେଜରେ ଖୋଲିଥିବା ଅସ୍ଥାୟୀ ଶିବିରକୁ ନିଆଯାଇଥିଲା। ତେବେ ଏତେ ସଂଖ୍ୟାରେ ଲୋକଙ୍କ ପାଇଁ ନା ଥିଲା ଶୌଚାଳୟ, ନା ଖାଇବା ବ୍ୟବସ୍ଥା ହୋଇଥିଲା। ଯିଏ ଯେଉଁଠି ପାରିଲେ ଝାଡ଼ା ପରିସ୍ରା କରିଥିଲେ। ଆଜି ସକାଳୁ ସକାଳୁ କିନ୍ତୁ ଭୋକ ବିକଳରେ ଛଟପଟ ହୋଇଯାଇଥିଲେ। ପ୍ରଶାସନ କିଛି ନ ବୁଝିବାରୁ ସେମାନେ ଉତ୍ତ୍ୟକ୍ତ ହୋଇ ରାଜପଥ ଅବରୋଧ କରିଥିଲେ। ସେମାନଙ୍କୁ ହଟାଇବା ପାଇଁ ପ୍ରଶାସନ ନାକେଦମ ହୋଇଥିଲା। ଆଜି ଦିନତମାମ ଏ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ୩ ହଜାରରୁ ଅଧିକ ପ୍ରବାସୀଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଇ ଦିଆଯାଇଛି। ତଥାପି ଆହୁରି ୨ହଜାର ଲୋକ ସେମାନଙ୍କ ଘରକୁ ଯିବାକୁ ଅପେକ୍ଷାରେ ଅଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଯେ, ଏତେ ସଂଖ୍ୟକ ପ୍ରବାସୀ ଏଠାରେ ଓହ୍ଲାଇବେ ବୋଲି ପ୍ରଶାସନ ପାଖରେ ସୂଚନା ଥିଲା କି ନାହିଁ। ଯଦି ଥିଲା ତେବେ ସେମାନଙ୍କ ରହିବା, ଖାଇବାର ବ୍ୟବସ୍ଥା କାହିଁକି ହୋଇପାରିଲା ନାହିଁ। ନା ଏତେ ସଂଖ୍ୟକ ଲୋକଙ୍କ ଦାୟିତ୍ବ ନେବା ସତରେ ପ୍ରଶାସନ ପକ୍ଷରେ ସମ୍ଭବ ନୁହେଁ। ପ୍ରତିବାଦ ବେଳେ ସାମାଜିକ ଦୂରତା ବୋଲି କିଛି ନ ଥିଲା। ଯଦି ତାଙ୍କ ଭିତରେ କେହି ସଂକ୍ରମିତ ଫେରିଥିବେ, ତାହାଲେ ଆଗକୁ କଣ ହେବ ତାହା ଚିନ୍ତାର ବିଷୟ।

ସମ୍ବନ୍ଧିତ ଖବର