କୋରାପୁଟ/ନନ୍ଦପୁର: ନନ୍ଦପୁର ବ୍ଲକ୍‌ ବାଲଡ଼ା ନାଗେଶ୍ବରୀ ପାହାଡ଼ରୁ ଖଣି ଖନନ ନିମନ୍ତେ ଘରୋଇ କଂପାନି ବ୍ୟାକୁଳ ରହିଛି। କୌଣସି ପରିସ୍ଥିତିରେ ବି ଖଣି ଖନନ କରିବାକୁ ଚାହୁଛି। ଏଥିପାଇଁ କଳ, ବଳ ସହ କୌଶଳକୁ ଲଗାଇଛି। ସମର୍ଥନ ଯୋଗାଡ଼ କରିବାକୁ ଗାଁ ଗାଁରେ ଦେଶୀ ସହ ବିଦେଶୀ ମଦ ବାଣ୍ଟୁଛନ୍ତି କଂପାନିର ଏଜେଣ୍ଟ। ଚାପ ପକାଇ କିମ୍ବା ପ୍ରଲୋଭିତ କରି ଗୋଟିଏ ଘରକୁ ଭାଗ ଭାଗ କରିଦେଲଣି। ଗୋଟିଏ ଘରେ ପୁଅ ବିରୋଧରେ ଠିଆ ହେଲାଣି ବାପା। ବାପାଙ୍କ ନିଷ୍ପତ୍ତିକୁ ପୁଅ ବିରୋଧ କରୁଛି। ବିଭେଦର ମଞ୍ଜି ବୁଣି ଅଶାନ୍ତିର ବାତାବରଣ ସୃଷ୍ଟି କରି ଖଣି ଖୋଳିବାକୁ ମସୁଧା ଚାଲିଛି। ବାଲଡ଼ା ପାହାଡ଼ ନିକଟସ୍ଥ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଆଜି ହୋଇଥିବା ମେଳିରେ ଏମିତି ଉଦ୍‌ବେଗ ପ୍ରକାଶ ପାଇଛି। ଖଣି ଯୋଗୁଁ ପ୍ରଭାବିତ ହେବାକୁ ଥିବା ୫ ପଞ୍ଚାୟତର ହଜାରହଜାର ଲୋକ ଯୋଗଦେଇ ନିଜର ମନର କଥା ସହ ବ୍ୟଥାକୁ ଜଣାଇଥିଲେ।

Advertisment

ନାଗେଶ୍ୱରୀ ବନ ସୁରକ୍ଷା ସମିତି ପକ୍ଷରୁ ଆଜିର ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ବାଲଡ଼ା, କୁଲାବିର, ଭେଜା, ବାଡ଼େଲ ଓ ଅତଣ୍ଡା ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର ଯୋଗ ଦେଇଥିଲେ। ଏକାଠି ବସି ସମସ୍ତେ ନାଗେଶ୍ୱରୀ ପାହାଡ଼ର ସୁରକ୍ଷା ପାଇଁ ଜୋର ଦେବା ସହ ଖଣି ଖନନକୁ ସିଧାସଳଖ ବିରୋଧ କରିଥିଲେ। ଆଗକୁ ମଧ୍ୟ ବିରୋଧ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଖଣି ଖନନ ପାଇଁ କଂପାନି ସ୍ଥାନୀୟ ଯୁବକଙ୍କୁ ଅବାଟକୁ ନେଉଛି। ଟଙ୍କା ବଳରେ ଲୋକଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ ଚାଲିଛି। ଆଗକୁ ଏହାର କଡ଼ା ଜବାବ ଦିଆଯିବ। ଆବଶ୍ୟକ ପଡ଼ିଲେ ଆଇନ ହାତକୁ ନିଆଯିବ ବୋଲି ଚେତାବନୀ ଦେଇଥିଲେ। କଂପାନି ଏଜେଣ୍ଟ୍‌ ଏବେ ଗାଁ ଗାଁ ବୁଲି ସ୍କୁଲ ହେବ, ରାସ୍ତା ହେବ ଏବଂ ଡାକ୍ତରଖାନା ହେବ ବୋଲି କହୁଛନ୍ତି। କଂପାନିର ବଡ଼ ଅଧିକାରୀ ଆଦିବାସୀ ଭାଷାର ସାହାରା ନେଇଛନ୍ତି। ନିଜକୁ ସେମାନେ ଆମର ତ୍ରାଣକର୍ତ୍ତା ବୋଲି ଦର୍ଶାଉଛନ୍ତି ବୋଲି ବୈଠକରେ ଆଲୋଚନା ହୋଇଥିଲା। ଉପସ୍ଥିତ ଲୋକେ ଉପରୋକ୍ତ କଥା ଶୁଣି ଉତ୍ତେଜିତ ହୋଇଯିବା ସହ କୌଣସି କଂପାନି ଖଣି ଖନନ ପରେ ଆମକୁ ଆମ ବାଲଡ଼ା ଗୁମ୍ଫା ଅକ୍ଷତ ଅବସ୍ଥାରେ ଫେରାଇ ପାରିବେ ନାହିଁ ବୋଲି କହିଥିଲେ। ଅନ୍ୟପକ୍ଷରେ ଖଣି ଖନନକୁ କେନ୍ଦ୍ର କରି ଏହି ଅଞ୍ଚଳରେ ଦୁଇଟି ଗୋଷ୍ଠୀ ଉଭା ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ସିଧାସଳଖ ସମର୍ଥନ କରୁଥିଲା ବେଳେ ଗୋଟିଏ ଗୋଷ୍ଠୀ ବିରୋଧ କରି ଚାଲିଛି। ତେଣୁ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ବଢ଼ିଛି। ଯାହା ଆଗକୁ ମୁଣ୍ଡବିନ୍ଧାର କାରଣ ହେବ ବୋଲି ଆଶଙ୍କା କରାଯାଉଛି।