ବ୍ରହ୍ମଗିରି: ସରକାର କୃଷି ଓ ଉଦ୍ୟାନ ବିଭାଗର ଉନ୍ନତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଉନ୍ନତମାନର ଚାଷବାସ କରି ଚାଷୀ କିପରି ଅଧିକ ଉତ୍ପାଦନ କରିବ ସେଥିପାଇଁ ପ୍ରୋତ୍ସାହନ ଦେଉଛନ୍ତି। ଗବେଷଣା କେନ୍ଦ୍ରମାନ ପ୍ରତିଷ୍ଠା କରୁଛନ୍ତି। କିନ୍ତୁ ତାଲିମକେନ୍ଦ୍ର ପ୍ରତିଷ୍ଠା ହୋଇ ଭୂତକୋଠିରେ ପରିଣତ ହୋଇଥିବା ବେଳେ ଏହାର ଚତୁଃପାର୍ଶ୍ବ ସରୀସୃପଙ୍କ ଅଭୟାରଣ୍ୟ ପାଲଟିଛି। ବର ନେବାରେ ଜଣାପଡ଼ିଛି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ରେବଣାନୂଆଗାଁ ହାଇସ୍କୁଲ ପାଖରେ ରହିଛି ଉଦ୍ୟାନ ବିଭାଗ କାର୍ଯ୍ୟାଳୟ। ଏହାର ଅଧୀନରେ ବ୍ରହ୍ମଗିରି କଲେଜ ପାଖରେ ରହିଛି ମାହେଶ୍ବରୀ ଫାର୍ମ। ଏହି ଫାର୍ମରେ ଉନ୍ନତମାନର ନଡ଼ିଆ ଚାରା ଉତ୍ପାଦନ ହେଉଥିବା ବେଳେ ୫ ଏକରରୁ ଅଧିକ ଜାଗାରେ ନଡ଼ିଆ ବଗିଚା ରହିଛି। ଏହି ଫାର୍ମକୁ ଲାଗି ୨୦୧୨-୧୩ ମସିହାରେ ଉଦ୍ୟାନ ବିଭାଗ ପକ୍ଷରୁ ଏକ ତାଲିମ କେନ୍ଦ୍ର ନିର୍ମାଣ କରାଯାଇଛି। ଏହା ଦ୍ବାରା ଜିଲ୍ଲାର ଚାଷୀମାନେ ଆସି ନଡ଼ିଆ, ଆମ୍ବ, ପଣସ, ପିଜୁଳି ଭଳି ଉଦ୍ୟାନ ବିଭାଗର ସମସ୍ତ ଚାଷ ତଥା ମହୁଚାଷ, ଗୋବର ଗ୍ୟାସ୍ ଓ ଜୈବିକ ସାର ଉତ୍ପାଦନ ବିଷୟରେ ପ୍ରଶିକ୍ଷଣ ନେବା କଥା। ଏଥି ସହ ଚାଷୀମାନେ ଏଠାରେ ରାତ୍ରୀଯାପନ କରିବା ଲାଗି ଆବଶ୍ୟକ ସୁବିଧାର ବ୍ୟବସ୍ଥା କରାଯାଇଛି।
ମାତ୍ର ପ୍ରାୟ ୫୦ ଲକ୍ଷ ଟଙ୍କାରେ ନିର୍ମିତ ଦୁଇ ମହଲା ବିଶିଷ୍ଟ ଏହି ତାଲିମ ଓ ଗବେଷଣା କେନ୍ଦ୍ର ଏବେ ଭୂତକୋଠି ପାଲଟି ଅବ୍ୟବହୃତ ହୋଇ ପଡ଼ିରହିଛି। ଚାରିଆଡ଼େ ଗଛଲତା ଓ ଉଈ ହୁଙ୍କାରେ ଦେଖିବାକୁ ମିଳୁଥିବା ବେଳେ ବିଷଧର ସାପ ଓ ଗୋଧି ନିର୍ଭୟରେ ବିଚରଣ କରୁଛନ୍ତି। ୧୦ ବର୍ଷରୁ ଅଧିକ ସମୟ ହେଲାଣି ଗବେଷଣା କେନ୍ଦ୍ର ଗୃହ ନିର୍ମାଣ ହୋଇଥିଲେ ମଧ୍ୟ ଏହା ଚାଷୀଙ୍କ କାମରେ ଆସୁନାହିଁ। ଏହି ତାଲିମ ଓ ଗବେଷଣା କେନ୍ଦ୍ର ନିର୍ମାଣ କରିଥିବା ଠିକାଦାର ଉଦ୍ୟାନ ବିଭାଗକୁ ଗୃହ ହସ୍ତାନ୍ତର କରିନଥିବାରୁ ଏହା କାର୍ଯ୍ୟକ୍ଷମ ନ ହୋଇ ଭୂତ କୋଠି ପାଲଟିଥିବା ଉଦ୍ୟାନ ବିଭାଗର ତତ୍କାଳୀନ ସହାକାରୀ କୃଷି ଅଧିକାରୀ ଦୁଇ ବର୍ଷ ପୂର୍ବେ ସୂଚନା ଦେଇଥିଲେ। ଆଜି ମଧ୍ୟ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଛି। ତୁରନ୍ତ ଏହି କେନ୍ଦ୍ରର ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଗଲେ ଏହା ଚାଷୀଙ୍କ କାମରେ ଆସି ପାରିବ ବୋଲି ସ୍ଥାନୀୟ କୃଷକମାନେ କହିଛନ୍ତି।