ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ତଥା ଗଞ୍ଜାମ ବ୍ଲକ୍ ଅଧୀନ କୁଶପଲ୍ଲୀ ଗ୍ରାମରେ ବାର୍‌ହା ଶିକାର ପାଇଁ ନିଜେ ବିଛାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ଜଣେ ଶିକାରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ, କୁଶପଲ୍ଲୀ ଗ୍ରାମର ଗଣେଶ ବିଶ୍ବାଳ (୩୫)। ତେବେ ପୁଲିସକୁ ନଜଣାଇ ଗ୍ରାମବାସୀ ଶବକୁ ଗାଏବ୍ କରି ଦେଇଛନ୍ତି। ଶବକୁ ସତ୍କାର କରାଯାଇଛି ନା ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଛି ଏ ନେଇ କିଛି ବି ସ୍ପଷ୍ଟ ହୋଇପାରିନି।

Advertisment

ସୂଚନା ଅନୁସାରେ, ଗଶେଶ ଓ ତାଙ୍କର ୩ ଜଣ ସାଥୀ ବାର୍‌ହା ଶିକାର ପାଇଁ ଗତକାଲି ରାତିରେ ଚାଷ ଜମିରେ ୧୧ କେଭି ଲାଇନ୍‌ରୁ ହୁକ୍ ପକାଇ ତାର ବିଛାଇ ଏକ ବୁଦାରେ ଜଗି ରହିଥିଲେ। ହଠାତ୍ ତାରରୁ ଶଦ୍ଦ ଶୁଭିବା ସହ ସ୍ପାର୍କ ହେବାରୁ ବାର୍‌ହା ପଡ଼ିଥିବ ଭାବି ତାର ପାଖକୁ ଯାଇ ଗଣେଶ ଏହାକୁ ଟେକି ଦେଇଥିଲେ। ବିଦ୍ୟୁତ୍ ଆଘାତରେ ଘଟଣା ସ୍ଥଳରେ ହିଁ ଗଣେଶଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ତିନି ସାଥି ଗୁରୁତର ହୋଇଥିଲେ। କାହାର ଅଙ୍ଗୁଳି ତ ଆଉ କାହାର ଗୋଡ଼ ଜଳିଯାଇଥିଲା।

publive-image

ଘଟଣା ଗାଁରେ ପ୍ରଚାର ହେବା କ୍ଷଣି ଗ୍ରାମବାସୀ ପୁଲିସକୁ ସୂଚନା ନ ଦେଇ ତିନି ଗୁରୁତରଙ୍କ ପରିବାର ପାଖରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରିଥିଲେ। ଆଜି ସକାଳ ୭ଟାରେ ପୁଲିସ ପହଞ୍ଚିବା ଆଗରୁ ଶବକୁ ଗାଏବ୍ କରି ଦେଇଥିଲେ। ରମ୍ଭା ଥାନା ଆଇଆଇସି ଶ୍ରୀ ବେହେରା କହିଛନ୍ତି, ଗ୍ରାମର କିଛି ଲୋକଙ୍କୁ ଘଟଣା ବିଷୟରେ ପଚରାଉଚରା ସହ ଛାନଭିନ୍ ଜାରି ରହିଛି। ଶବକୁ ଜଙ୍ଗଲ ଭିତରେ କୌଣସି ସ୍ଥାନରେ ପୋଡ଼ି ଦିଆଯାଇଛି ଅଥବା ଲୁଚାଇ ରଖାଯାଇଛି। ଅନ୍ୟ ପକ୍ଷରେ ଗଞ୍ଜାମ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ରମ୍ଭା ଥାନାରେ ଏକ ଏତଲା ଦେଇଛନ୍ତି।