ରାସୋଳ: ଶିକାରୀ ଗୁଳିରେ ଅନ୍ୟ ଜଣେ ଶିକାରୀଙ୍କ ପ୍ରାଣ ଯାଇଛି। ଗୁରୁବାର ରାତିରେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀପାଳଠାରେ ଏହି ଅଭାବନୀୟ ଘଟଣା ଘଟିଛି। ରାସୋଳ ଥାନା କଦଳୀପାଳ ଗ୍ରାମର ପ୍ରଶାନ୍ତ ନାଏକ, ବାବୁଲା ନାଏକ, ସନ୍ତୋଷ ନାଏକ, ଢେଙ୍କାନାଳ ସଦର ଥାନା କୋତମ ଗ୍ରାମର ନରେଶ ସ୍ୱାଇଁ, ଦଣ୍ଡୁଆ ଦେହୁରୀ ଗତକାଲି ରାତିରେ ଏକାଠି ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ଜନ୍ତୁ ଭାବି ପ୍ରଶାନ୍ତ ନାଏକ ଗୁଳି ଚଳାଇବାରୁ ତାହା ସାଥୀ ବାବୁଲା ନାଏକଙ୍କ ଦେହରେ ବାଜିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଅଭିଯୁକ୍ତମାନେ ଜଙ୍ଗଲରେ ମୃତଦେହକୁ ଛାଡ଼ି ଭୟରେ ଘରକୁ ପଳାଇ ଆସିଥିଲେ। ପରେ ଅଭିଯୁକ୍ତ ପ୍ରଶାନ୍ତ ନାଏକ ଗାଁରେ ଜଣାଇବା ପରେ ଗ୍ରାମବାସୀ ବିଳମ୍ବିତ ରାତିରେ ରାସୋଳ ପୁଲିସକୁ ଖବର ଦେଇଥିଲେ। ଥାନା ଆଇଆଇସି ବିଧୁଭୂଷଣ ମିଶ୍ର ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରିଥିଲେ। ଶିକାର ପାଇଁ ଯାଇଥିବା ୪ ଜଣଙ୍କ ସମେତ ବେଆଇନ ଭାବେ ବନ୍ଧୁକ ଯୋଗାଇଥିବା ପରମାନନ୍ଦ ଛତରକୁ ଥାନାରେ ଅଟକ ରଖାଯାଇଥିଲା। ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସତ୍ୟକୁମାର ନନ୍ଦଙ୍କ ସୂଚନା ଅନୁଯାୟୀ, ବେଆଇନ ବନ୍ଧୁକ ରଖିବା, ହତ୍ୟା ଓ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।