ବନ୍ତଳା: ୧୫ବର୍ଷ ତଳେ ସାତକୋଶିଆ ଅଭୟାରଣ୍ୟରେ ଦେଖିବାକୁ ମିଳିଥିଲା ବିରଳ ଧଳା ହରିଣ ବା ଆଲ୍‌ବିନୋ। ଧଳା ହରିଣର ଫଟୋ ଜାତୀୟ ଗଣମାଧ୍ୟମରେ ପ୍ରମୁଖ ଶିରୋନାମା ବି ପାଲଟିଲା। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବହୁ ପଶୁପ୍ରେମୀ ସେତେବେଳେ ଏହାକୁ ନେଇ ଖୁସିବ୍ୟକ୍ତ କରିବା ସହ ସାତକୋଶିଆକୁ ଶୁଭେଚ୍ଛା ଜଣାଇଥିଲେ। ଏ ନେଇ ୨୦୨୩ ମାର୍ଚ୍ଚ ମାସରେ ବର୍ତ୍ତମାନର ପିସିସିଏଫ୍‌ ବରିଷ୍ଠ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ ସୋସିଆଲ୍‌ ମିଡିଆରେ ସୂଚନା ବି ଦେଇଥିଲେ। ତେବେ ୨୦୧୪ରେ ପୁଣିଥରେ କିଛି ବନ୍ୟପ୍ରାଣୀ ଗବେଷକ ସାତକୋଶିଆକୁ ଲାଗିଥିବା ମହାନଦୀ ପଠାରେ ଗୋଟିଏ ଆଲ୍‌ବିନୋକୁ ଠାବ କରିଥିଲେ। କିନ୍ତୁ ଗଲା ୯ବର୍ଷ ଭିତରେ ବନ କର୍ମଚାରୀ କି ବନବିଭାଗର ଟ୍ରାପ୍‌ କ୍ୟାମେରାରେ ଆଉ ଆଲ୍‌ବିନୋ ଦେଖାଯାଇନାହିଁ। ସାତକୋଶିଆରେ ଥିବା ଏକମାତ୍ର ଆଲ୍‌ବିନୋ ଏବେ କେଉଁଠି ତାହା କେହି କହିପାରୁନାହାନ୍ତି। ତେଣୁ ଶିକାରୀଙ୍କ ଅଭୟାରଣ୍ୟ ପାଲଟିଥିବା ସାତକୋଶିଆରେ ଉକ୍ତ ଆଲ୍‌ବିନୋକୁ ମାରି ଦେଇଥିବା ପଶୁପ୍ରେମୀ ଆଶଙ୍କା ବ୍ୟକ୍ତ କରିଛନ୍ତି।

Advertisment

୨୦୧୪ ମସିହାରେ ଏହି ବିରଳ ଆଲ୍‌ବିନୋ ଚିତ୍ତଲ୍‌କୁ ଅତି ପାଖରୁ ଦେଖିଥଲେ ବନ୍ୟପ୍ରାଣୀ ଗବେଷକ ଲାଲା ଏ.କେ ସିଂହ। ୧୯୭୫ରୁ ୧୯୮୧ ମସିହା ପର୍ଯ୍ୟନ୍ତ ଶ୍ରୀ ସିଂହ ସାତକୋଶିଆରେ ବନ୍ୟପ୍ରାଣୀଙ୍କ ଉପରେ ଗବେଷଣା କରିଥିଲେ। କିନ୍ତୁ ସେତେବେଳେ ସେ ଆଲ୍‌ବିନୋ ଦେଖି ନଥିଲେ। ହେଲେ ଦ୍ବିତୀୟଥର ପାଇଁ ୨୦୧୪ ଜୁନ୍‌ ମାସରେ ତାଙ୍କ ସହ ଏକ ଟିମ୍‌ ସାତକୋଶିଆରେ ପୁନର୍ବାର ଗବେଷଣା ପାଇଁ ଯାଇଥିବା ବେଳେ ମହାନଦୀ ପଠାରେ ଆଲ୍‌ବିନୋ ଦେଖିଥିବା ଦାବି କରିଥିଲେ। ତତ୍କାଳୀନ ଡିଏଫ୍‌ଓ ଶ୍ରୀ ରେହମାନ୍‌ ଏହାକୁ ସ୍ବୀକାର କରିବା ସହ ସାତକୋଶିଆରେ ଆଲ୍‌ବିନୋ ଚିତ୍ତଲ୍ ଥିବା ସ୍ପଷ୍ଟ କରିଥିଲେ। ସାତକୋଶିଆ ଅଭୟାରଣ୍ୟ ପକ୍ଷରୁ ୬ ଜୁନ୍ ୨୦୧୪ରେ ପ୍ରକାଶିତ ମାଗାଜିନ୍‌ରେ ଏହି ବିରଳ ଆଲ୍‌ବିନୋ ଚିତ୍ତଲ୍‌ର ଫଟୋ ପ୍ରକାଶ ପାଇଥିଲା। ପମ୍ପାସର ରେଞ୍ଜ ଅଧୀନ ଲବଙ୍ଗି ସେକ୍ସନ୍‌ରେ ୧୩ଟି ଅନ୍ୟ ହରିଣ ସହିତ ଧଳା ହରିଣ ଥିବାର ଫଟୋ ସେତେବେଳେ ଖୁବ୍‌ ଭାଇରାଲ୍‌ ହୋଇଥିଲା।

ତେବେ ଏହାପରେ ଆଉ କେହି ବି ଉକ୍ତ ଆଲ୍‌ବିନୋ ଚିତ୍ତଲ୍‌କୁ କେବେ ଦେଖିନାହାନ୍ତି। ଏ ସମ୍ପର୍କରେ ବନବିଭାଗ ପକ୍ଷରୁ କେହି କେବେ ଗୁରୁତ୍ବ ଦେଇ ନାହାନ୍ତି। ଫଳରେ ଉକ୍ତ ଆଲ୍‌ବିନୋ ଆପେ ମରିଗଲା ନା ତାକୁ ଶିକାରୀ ମାରିଦେଲେ ତାହାକୁ ନେଇ ସଂଶୟ ସୃଷ୍ଟି ହୋଇଛି। ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବିରଳ ଆଲ୍‌ବିନୋ ଚିତ୍ତଲ୍‌କୁ ସୁରକ୍ଷା ଦିଆଯାଇପାରିଲା ନାହିଁ ବୋଲି ପଶୁପ୍ରେମୀ କହିଛନ୍ତି। ହୁଏତ ତାହା ସୁରକ୍ଷିତ ଥିଲେ ଆଜି ଆଉ କିଛି ଆଲ୍‌ବିନୋ ସାତ‌କୋଶିଆର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଆନ୍ତେ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପଟେ ଏହା ଏକ ଜେନେଟିକ୍‌ ଡିସ୍‌ଅର୍ଡର ଓ ଏଥିରେ ବିଶେଷ କିଛି ସ୍ବତନ୍ତ୍ରତା ନାହିଁ ବୋଲି କହିବା ସହ ଉକ୍ତ ହରିଣ ଆଉ ଦେଖିବାକୁ ମିଳିନାହିଁ ବୋଲି ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା କହିଛନ୍ତି।